ସବୁ ପର ଲୁହ ନିଜର

0 1

ମାତୃ ଗର୍ଭରୁ ଯେବେ ଭୂମିଷ୍ଠ ହୁଅଇ
ଶିଶୁ କିନ୍ଦେ କୁଆଁ କୁଆଁ…..
କାହିଁକି ଆସିଲି କୁଆଡେ ଆସିଲି
ଦୁନିଆ ଟା ଦୁଇ ନିଆଁ……!!
ଲୁହ ଧରି ସାଥେ ଜନମ ମାନବ
ଏ ଲୁହ ନିଜର ତା’ର….
ପତ୍ନୀ ପୁତ୍ର କେବେ ହୋଇ ଗଲେ ପର
ଲୁହ ଟା ଭାରି ନିଜର…..!!
ଏ ଦେହରେ ଆସେ କେତେ ଦୁଃଖ କ୍ଳେଶ
ପିଣ୍ଡେ ପ୍ରାଣ ଥିବା ଯାଏଁ….
ସୁଖର ସମୟ କ୍ଷଣିକ ମାତର
ଦୁଃଖ ଦୀର୍ଘ ହୋଇଥାଏ…..!!
ଜୀବନ ଟା ଏକ ଯନ୍ତ୍ରଣା ର ପଥ
ଚାଲିଲେ ସରଇ ନାହିଁ…..
ଗଙ୍ଗା ଯମୁନା ଯେ ଏ ଦୁଇ ନୟନ
ଲୁହ ହୋଇଯାଏ ବୋହି……!!
ବାର୍ଦ୍ଧକ୍ୟ ଆସିଲେ ସବୁ ଛାଡ଼ି ଯିବେ
ଯେତେ ଆପଣର ଥିଲେ…..
ମରଣ ସାଥୀରେ ଲୋତକ ବି ଯିବ
ଚିତାଗ୍ନିଟା ଜଳୁଥିଲେ……!!
ଏଣୁ ଏ ଜଗତେ କିଏ ନୁହେଁ କା’ର
ସବୁ ସ୍ବାର୍ଥ ମନା ସଖା…..
ସୁଖର ସାଥୀ ତ ହଜାର ମିଳନ୍ତି
ଦୁଃଖରେ ନମିଳେ ଦେଖା…..!!
ଜନ୍ମ ଠାରୁ ମୃତ୍ୟୁ ଲୁହ ଟା ନିଜର
ବଞ୍ଚିଥିବ ଯେତେ ଦିନ…..
ଯାହା ନେତ୍ରରୁ କେବେ ଧରି ନାହିଁ ଲୁହ
ନିହାତି ପଶୁ ସମାନ…..!!
କ୍ରୋଧ କୃର ହିଂସା ପ୍ରତିହିଂସା ଘୃଣା
ଗର୍ବ ଅହଙ୍କାର ଯେତେ…..
ଯା’ ନେତ୍ରେ ନିର୍ଝ ହୋଉଥିବ ଅଶ୍ରୁ
ସଂସ୍କାର ସମ୍ଭବ ସେତେ…..!!
ମାନବ କୁ ସିନା ଅଶ୍ରୁ ମିଳିଅଛି
ହସିବା ମିଳିଛି ଯାହା….
ନାହିଁ ଏ ସୌଭାଗ୍ୟ ପଶୁପକ୍ଷୀ ଭାଗ୍ୟେ
ଭାଗ୍ୟବାନ ନର ତାହା….!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)

Leave A Reply

Your email address will not be published.