ମାଲକାନଗିରି,୦୬/୦୬(ପିପିଟି):ଏସଆଇଆର ୨୦୨୬ ର ସଫଳ ରୂପାୟନ ମାଧ୍ୟମରେ ଏକ ସ୍ୱଚ୍ଛ, ତ୍ରୁଟିଶୂନ୍ୟ ଏବଂ ସର୍ବସାମିଲ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ମାଲକାନଗିରି ଜିଲ୍ଲା ଏକ ପ୍ରଶଂସନୀୟ ଗଣ-ଆନ୍ଦୋଳନର ରୂପ ନେଇଛି। ଜିଲ୍ଲାର ପ୍ରତିଟି କୋଣ ଅନୁକୋଣରେ ନାଗରିକମାନଙ୍କୁ ସେମାନଙ୍କର ଗଣତାନ୍ତ୍ରିକ ଅଧିକାର ବିଷୟରେ ଜଣାଇବା ପାଇଁ ଏକ ସ୍ୱତନ୍ତ୍ର ସଘନ ସଂଶୋଧନ ସଚେତନତା ରଥ ପରିକ୍ରମା କରୁଛି। ଏହି ଅଭିଯାନରେ ସକ୍ରିୟ ଭାଗ ନେଇ ନିଜର ଭାଗିଦାରୀ ସୁନିଶ୍ଚିତ କରିବାକୁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଉତ୍ସାହିତ କରାଯାଉଛି।ଏହି ଅଭିଯାନକୁ ସଠିକ୍ ଭାବେ ପରିଚାଳନା କରିବା ପାଇଁ ୧୪୬-ମାଲକାନଗିରି ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ମାଲକାନଗିରି ପୌରପାଳିକା ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ କରି କ୍ଷେତ୍ରସ୍ତରୀୟ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। କୌଣସି ବି ଯୋଗ୍ୟ ନାଗରିକ ଯେପରି ଭୋଟର ତାଲିକାରୁ ବଞ୍ଚିତ ନ ହେବେ, ସେଥିପାଇଁ କ୍ଷେତ୍ରାଧିକାରୀମାନଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି।
ଏହି କ୍ରମରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ୧୪୬-ମାଲକାନଗିରି ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ନିଜେ ମାଲକାନଗିରି ପୌରପାଳିକା ଅଞ୍ଚଳ ଗସ୍ତ କରିଛନ୍ତି। ସେ ସ୍ଥାନୀୟ ବରିଷ୍ଠ ନାଗରିକମାନଙ୍କୁ ବ୍ୟକ୍ତିଗତ ଭାବେ ଭେଟି ସେମାନଙ୍କର ପରିଗଣନା ଫର୍ମ ବଣ୍ଟନ କରିବା ସହ ଅଭିଯାନର ମହତ୍ତ୍ୱ ବୁଝାଇଛନ୍ତି।
ଅଭିଯାନର ଅଷ୍ଟମ ଦିନରେ ବିଭିନ୍ନ ଅଞ୍ଚଳରେ ବୁଥ୍ ସ୍ତରୀୟ ଅଧିକାରୀ ମାନେ ମଧ୍ୟ ଆନ୍ତରିକତାର ସହ ଘରକୁ ଘର ବୁଲି ପରିଗଣନା ଫର୍ମ ବଣ୍ଟନ ଜାରି ରଖିଛନ୍ତି। ନୂତନ ଯୋଗ୍ୟ ଭୋଟରଙ୍କ ନାମ ସାମିଲ କରିବା ଏବଂ ପୁରୁଣା ଭୁଲ୍ ସଂଶୋଧନ କରିବା ସହ ବରିଷ୍ଠ ନାଗରିକଙ୍କ ସୁବିଧା ପ୍ରତି ଧ୍ୟାନ ଦେବା ହିଁ ଏହି ଅଭିଯାନର ମୂଳ ଲକ୍ଷ୍ୟ, ଯାହା ଆଗାମୀ ଦିନରେ ଅଞ୍ଚଳର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅଧିକ ମଜବୁତ କରିବ। ଅନ୍ୟ ମାନଙ୍କ ମଧ୍ୟରେ ପୌର ପରିଷଦ ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ନାୟକ ଓ ସହାୟକ ଜିଲ୍ଲାପାଳ ଅଜୟ ମାଣ୍ଡାଙ୍ଗୀ ଉପସ୍ଥିତ ଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Next Post