ବୋଲଗଡ଼,୨୭/୦୯(ପିପିଟି):ଆଜି ବିଶ୍ୱ ପର୍ଯ୍ୟଟନ ଦିବସ। ଏହି ବିଶେଷ ଅବସରରେ ଖୋର୍ଦ୍ଧା ଜିଲ୍ଲା ଗର୍ବର ଏକ ଅଜଣା ପର୍ଯ୍ୟଟନ ସ୍ଥଳୀ ବିଷୟରେ ଜାଣନ୍ତୁ। ବୋଲଗଡ଼ ବ୍ଲକ୍ ସାଗରଗୁଆଁ ପଞ୍ଚାୟତର ପାଟବନ୍ଧ-କୃଷ୍ଣପୁର ସଂଲଗ୍ନ ମୌଜାରେ ମୁକୁଟ ପରି ଶୋଭା ପାଉଛି ମଣ୍ଡନଗିରି । ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ, ଆଧ୍ୟାତ୍ମିକ ଚେତନା ଓ ରହସ୍ୟର ଏକ ଅପୂର୍ବ ସଙ୍ଗମସ୍ଥଳୀ ଏହି ଗିରି।ଏଠାରେ ବହୁ ପ୍ରାଚୀନ ପ୍ରଭୁ ରଘୁନାଥ ବିଜେ କରିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ସମୁଦ୍ର ପତନଠାରୁ ୧୨୪୦ ଫୁଟ ଉଚ୍ଚରେ ପାହାଡ ଶିଖରରେ ରହିଛି ଏକ ପ୍ରାକୃତିକ ପୋଖରୀ, ଯାହା ବର୍ଷର ୧୨ ମାସ ଜଳ ପରିପୂର୍ଣ୍ଣ ହୋଇ ରହିଥାଏ। ବିଜ୍ଞାନକୁ ମଧ୍ୟ ଚକିତ କରୁଥିବା ଏହି ପୋଖରୀ ପ୍ରକୃତିର ଏକ ଅଲୌକିକ ଉପହାର। ଚତୁର୍ଦିଗ ସବୁଜ ବନାନୀ, ପାହାଡ଼ିଆ ପଥ ଓ ନିର୍ମଳ ବାୟୁ ମଣ୍ଡନଗିରିର ଶୋଭାକୁ ଦ୍ୱିଗୁଣିତ କରିଛି। ସହରର କୋଳାହଳରୁ ଦୂରେଇ ପ୍ରକୃତି କୋଳରେ ଦୁଇ ମୁହୂର୍ତ୍ତ ଶାନ୍ତିରେ ବିତାଇବା ପାଇଁ ଏଠାକୁ ଛୁଟି ଆସନ୍ତି ଶହ ଶହ ଶ୍ରଦ୍ଧାଳୁ, ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକ। ଏଠାକାର ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଦୃଶ୍ୟ ଯେ କୌଣସି ମନକୁ ମୋହି ନେବ। ଯଦିଓ ଏହାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିଛି, ତଥାପି ଏହାର ବିକାଶ ପାଇଁ ଅନେକ କିଛି ବାକି ରହିଛି। ଭିତ୍ତିଭୂମିର ବିକାଶ, ସୁଗମ ଯାତାୟତ ବ୍ୟବସ୍ଥା, ପାନୀୟ ଜଳ ଓ ବିଶ୍ରାମାଗାର ଭଳି ମୌଳିକ ସୁବିଧା ଯୋଗାଇ ଦିଆଗଲେ ଏହି ସ୍ଥାନ ଖୋର୍ଦ୍ଧା ଜିଲ୍ଲା ନୁହେଁ, ସାରା ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବେ ଉଭା ହୋଇପାରିବ।
ପ୍ରକୃତିକୁ ସୁରକ୍ଷିତ ରଖିବା ସହ ଏହାର ପ୍ରଚାର ପ୍ରସାର ହେଲେ ମଣ୍ଡନଗିରି ଖୋର୍ଦ୍ଧା ମାନଚିତ୍ରରେ ଏକ ଉଜ୍ଜ୍ୱଳ ତାରା ଭାବେ ଜଳିବ ଏହା ହିଁ ବିଶ୍ୱ ପର୍ଯ୍ୟଟନ ଦିବସର ପ୍ରକୃତ ବାର୍ତ୍ତା।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।