ନଭେମ୍ବର ୧୮ ତାରିଖ ଦିନ ମାରଦା ମନ୍ଦିରରେ ପହଞ୍ଚିବ ନନ୍ଦିଘୋଷ ରଥର ଚକ।

0 260

ପୋଲସରା,୧୭/୧୧ (ପିପିଟି) : ପୁରୀର ପ୍ରସିଦ୍ଧ ରଥ ଯାତ୍ରା ୨୦୨୬ ର ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଏକ ଚକ ୧୮/୧୧/୨୬ ତାରିଖ ଦିନ ମଥୁରା ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିରରେ ପହଞ୍ଚିବ ବୋଲି ଜଣାପଡ଼ିଛି। ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଓ ଇଚ୍ଛା ପ୍ରକଟ ଯୋଗୁଁ ମାତ୍ର ତିନିଦିନର କାର୍ଯ୍ୟକ୍ରମ ମଧ୍ୟରେ ଏହି ପବିତ୍ର ନନ୍ଦିଘୋଷ ରଥ ଏକ ଚକ ବିନା ମୂଲ୍ୟରେ ମାରଦା ଜଗନ୍ନାଥ ମନ୍ଦିରରେ ପହଞ୍ଚିବାକୁ ଯାଉଛି। ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନଙ୍କ ପାତ୍ରଙ୍କ ୧୫୭୨୬, ତାରିଖ ୦୪/୧୧/୨୬ ପ୍ରକାରେ ମଥୁରା ମାର୍ଦା ଜଗନ୍ନାଥ ମନ୍ଦିର ପରିଚାଳନା ପରିଷଦଙ୍କ ନିକଟକୁ ପତ୍ର ଆସିଅଛି। ୧୫ ଦିନ ମଧ୍ୟରେ ଅର୍ଥାତ୍ ୧୯/୧୧/୨୬ ତାରିଖ ମଧ୍ୟରେ ନନ୍ଦିଘୋଷ ରଥର ଚକ ଆଣିବାକୁ ନିର୍ଦ୍ଦେଶ ଅଛି। ୧୬/୧୧/୨୬ ତାରିଖ ଦିନ ମଥୁରାର ଶ୍ରୀ ଜଗନ୍ନାଥଙ୍କ ଭକ୍ତ ମଙ୍ଗୁଳୁ ସାହୁ ବରିଷ୍ଠ ସାମ୍ବାଦିକ ଅନିଲ କୁମାର ମହାରଣାଙ୍କୁ ଜଣାଇଥିଲେ। ନନ୍ଦିଘୋଷ ରଥର ଚକ ମାରଦା ମନ୍ଦିର ପାଇଁ ଗ୍ରହଣର ଶେଷ ତାରିଖ ୧୯/୧୧/୨୬ ଥିବା ବେଳେ ମନ୍ଦିରର କୌଣସି କର୍ମକର୍ତ୍ତା ଏହା ଜାଣି ନଥିଲେ। ଦେବଦୂତ ଭାବେ ମାଗୁଣି ସାହୁ ସାମ୍ବାଦିକ ଅନିଲ ମହାରଣାଙ୍କୁ ଜଣାଇବାପରେ ଶ୍ରୀ ମହାରଣା ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମାରଦା ମନ୍ଦିରର ମୁଖ୍ୟ ଟ୍ରଷ୍ଟି ତଥା ସମ୍ପାଦକ ପୋଲସରା ବିଡିଓ ଶଶିଭୂଷଣ ମହାପାତ୍ର, ଅନ୍ୟତମ ଦାୟିତ୍ୱବାନ ଟ୍ରଷ୍ଟି ତଥା ଶିକ୍ଷାବିତ ଶ୍ୟାମ ସୁନ୍ଦର ସାହୁ ଓ ପୋଲସରା ତହସିଲଦାର ଦିପ୍ତିମୟୀ ପାତ୍ରଙ୍କ ନିକଟକୁ ଶ୍ରୀ ମନ୍ଦିର ପରିଚାଳନା କମିଟିର ପତ୍ର ଓ ଘୋଷଣା ପତ୍ରର ନକଲ ପଠାଇଥିଲେ ଓ ଫୋନ୍ କରିଥିଲେ। ଆଶ୍ଚର୍ଯ୍ୟ ବିଷୟ, ବନ୍ୟା ରିଲିଫ କାର୍ଯ୍ୟରେ ମନ୍ତ୍ରୀ ଓ ସମସ୍ତ ଅଧିକାରୀ ବ୍ୟସ୍ତ ଥିବା ବେଳେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସାମ୍ବାଦିକ ଶ୍ରୀ ମହାରଣା ପଠାଇଥିବା ଶ୍ରୀମନ୍ଦିରର ଚିଠି ପଢ଼ି ରାତ୍ରରେ ସଙ୍ଗେ ସଙ୍ଗେ ନିଜ ବୁଗୁଡ଼ା କାର୍ଯ୍ୟାଳୟକୁ ବିଭିନ୍ନ କର୍ମକର୍ତ୍ତାଙ୍କୁ ଡକାଇ  ଆଜି  ମହନ୍ତ ସୁନ୍ଦର ରାମ ଦାସ,ଶ୍ରୀ ଭବାନୀ ଶଙ୍କର ଦାସ,  ସୁରେନ୍ଦ୍ର କୁମାର ପାଣିଗ୍ରାହୀ ଓ ରମେଶ ଚନ୍ଦ୍ର ପ୍ରଧାନଙ୍କୁ ନେଇ ଏକ ଚାରି ଜଣିଆ ଟିମ୍ ପୁରୀ ଯାଇ ନନ୍ଦିଘୋଷ ରଥ ଚକ ଆଣିବାକୁ ସ୍ଥିର ହୋଇଥିଲା। ମନ୍ତ୍ରୀ ମହୋଦୟ ଶ୍ରୀମନ୍ଦିରର ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢ଼ୀ ମହୋଦୟଙ୍କୁ ଫୋନ୍ ମାଧ୍ୟମରେ ଟିମ୍ ଯିବା କଥା ଜଣାଇଥିଲେ। ଚାରି ଜଣିଆ ଟିମ୍ ଆଜି ସାଢେ ଗୋଟାଏ ବେଳେ ପୁରୀରେ ପହଁଚିଥିବା ବେଳେ ସମସ୍ତ କାର୍ଯ୍ୟ ସନ୍ଧ୍ୟା ସୁଦ୍ଧା ସମାପ୍ତ ହୋଇଥିଲା। ୧୮/୧୧/୨୬ ତାରିଖ ଦିନ ପୁରୀରେ ନନ୍ଦିଘୋଷ ରଥ ଚକଙ୍କୁ ପୂଜାର୍ଚ୍ଚନା ପରେ ମାରଦା ଜଗନ୍ନାଥ ମନ୍ଦିରକୁ ଅଣାଯିବ। ମାରାଦା ମନ୍ଦିରରେ ନନ୍ଦିଘୋଷ ରଥ ଚକ ପହଞ୍ଚିବା ବେଳକୁ ଅପରାହ୍ନ ପ୍ରାୟ ଚାରି ଘଣ୍ଟା ହୋଇପାରେ ବୋଲି ଅନୁମାନ କରାଯାଉଛି। ସମସ୍ତ ଜଗନ୍ନାଥ ପ୍ରେମୀ ଉପସ୍ଥିତ ରହି ଚକକୁ ଦର୍ଶନ କରି ପୁରୀ ରଥ ଯାତ୍ରାର ପୂର୍ଣ୍ୟଲାଭ କରିପାରିବେ।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.