ତ୍ରୁଟିପୂର୍ଣ୍ଣ ଇଲେକ୍ଟ୍ରିକ୍ ସ୍କୁଟର ବିକ୍ରି ମାମଲା: ଓଲା ଇଲେକ୍ଟ୍ରିକ୍ କମ୍ପାନୀକୁ ସୁଧ ସହ ଟଙ୍କା ଫେରସ୍ତ ଓ କ୍ଷତିପୂରଣ ଦେବାକୁ ଜିଲ୍ଲା ଖାଉଟି ଅଦାଲତର ନିର୍ଦ୍ଦେଶ ।
ବ୍ରହ୍ମପୁର,୧୭/୧୧(ପିପିଟି): ତ୍ରୁଟିପୂର୍ଣ୍ଣ ଇଲେକ୍ଟ୍ରିକ୍ ସ୍କୁଟର ବିକ୍ରି କରିବା ଏବଂ ବାରମ୍ବାର ମରାମତି ସତ୍ତ୍ୱେ ଗ୍ରାହକଙ୍କୁ ଉଚିତ ସେବା ଯୋଗାଇବାରେ ବିଫଳ ହେବା ମାମଲାରେ ଗଞ୍ଜାମ ଜିଲ୍ଲା ଖାଉଟି ବିବାଦ ବିଚାର ଆୟୋଗ (ବ୍ରହ୍ମପୁର) ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଓଲା ଇଲେକ୍ଟ୍ରିକ୍ ଟେକ୍ନୋଲୋଜିସ୍ ପ୍ରାଇଭେଟ୍ ଲିମିଟେଡ୍ (OLA Electric) ଏବଂ ଏହାର ସ୍ୱୀକୃତିପ୍ରାପ୍ତ ବିକ୍ରେତାଙ୍କୁ ଅଭିଯୋଗକାରିଣୀଙ୍କୁ ସ୍କୁଟରର ମୂଲ୍ୟ ବାବଦକୁ ୧,୪୮,୧୩୯ ଟଙ୍କା ସୁଧ ସହ ଫେରସ୍ତ କରିବା ସହିତ ଅତିରିକ୍ତ ୩୫,୦୦୦ ଟଙ୍କା କ୍ଷତିପୂରଣ ଓ ମକଦ୍ଦମା ଖର୍ଚ୍ଚ ପ୍ରଦାନ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ।
ମାମଲାର ବିବରଣୀ: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଗୋବିନ୍ଦ ବିହାର ମୁଖ୍ୟ ରାସ୍ତାର ବାସିନ୍ଦା ଜୟତ୍ରୀ ପାଢ଼ୀ ଓରଫ ସୁହାନୀ ପାଢ଼ୀ ଗତ ୧୦.୧୨.୨୦୨୩ ତାରିଖରେ ବ୍ରହ୍ମପୁର ସୋମନାଥ ନଗରସ୍ଥିତ ଓଲା ଇଲେକ୍ଟ୍ରିକ୍ ଶୋ’ରୁମରୁ ଏକ ‘OLA S1 Pro (2nd Generation)’ ଇଲେକ୍ଟ୍ରିକ୍ ସ୍କୁଟର (ରେଜିଷ୍ଟ୍ରେସନ୍ ନଂ: OD 07 AT 2353) କିଣିଥିଲେ । ଏଥିପାଇଁ ସେ ଗାଡ଼ି ମୂଲ୍ୟ ୧,୪୭,୪୯୯ ଟଙ୍କା ଏବଂ ପ୍ରୋସେସିଂ ଫି’ ବାବଦକୁ ୬୪୦ ଟଙ୍କା ପ୍ରଦାନ କରିଥିଲେ। ୨୧.୧୨.୨୦୨୩ରେ ଗାଡ଼ି ଡେଲିଭରି ନେବାର ମାତ୍ର ୨୫ରୁ ୩୦ ଦିନ ମଧ୍ୟରେ ସ୍କୁଟରଟିରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା ।
ଅଭିଯୋଗ ଅନୁଯାୟୀ,ଗାଡ଼ିର ଡିସ୍ପ୍ଲେ ବ୍ଲାକ୍ଆଉଟ୍ ହେବା, ୨୦୦ରୁ ଅଧିକ ଥର ରିବୁଟ୍ ସମସ୍ୟା, ଚଳନ୍ତା ଅବସ୍ଥାରେ ହଠାତ୍ ବନ୍ଦ ହୋଇଯିବା (ଯାହାଫଳରେ ସେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଥିଲେ), ସସ୍ପେନ୍ସନ୍ ଓ ବ୍ରେକ୍ ସମସ୍ୟା ଏବଂ ୧୩୮ କି.ମି. ବଦଳରେ ମାତ୍ର ୯୦ କି.ମି. ମାଇଲେଜ୍ ମିଳିବା ଭଳି ଗୁରୁତର ତ୍ରୁଟି ଦେଖାଦେଇଥିଲା । ମରାମତି ପାଇଁ ସ୍କୁଟରଟିକୁ ପ୍ରାୟ ୨୪ ଦିନ ଧରି ୱାର୍କସପ୍ରେ ରଖାଯାଇ ବ୍ୟାଟେରୀ ବଦଳାଯାଇଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିନଥିଲା । ବାରମ୍ବାର ସର୍ଭିସ୍ ସେଣ୍ଟରକୁ ଦୌଡ଼ିବା ଏବଂ ଲିଗାଲ୍ ନୋଟିସ୍ ପଠାଇବା ପରେ କମ୍ପାନୀ କୌଣସି ଉତ୍ତର ନଦେବାରୁ ଶ୍ରୀମତୀ ପାଢ଼ୀ ୨୩.୦୮.୨୦୨୪ ତାରିଖରେ ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ ।
ଆୟୋଗଙ୍କ ରାୟ ଓ ନିର୍ଦ୍ଦେଶ: ଉଭୟ ପକ୍ଷଙ୍କ ଯୁକ୍ତି ଓ ଦସ୍ତାବିଜ୍କୁ ତର୍ଜମା କରିବା ପରେ ଆୟୋଗର ଭାରପ୍ରାପ୍ତ ସଭାପତି ସତୀଶ କୁମାର ପାଣିଗ୍ରାହୀ ଏବଂ ସଦସ୍ୟା ସରିତ୍ରୀ ପଟ୍ଟନାୟକ ଗତ ୦୨.୧୧.୨୦୨୬ ତାରିଖରେ ଏହି ଚୂଡ଼ାନ୍ତ ରାୟ ପ୍ରଦାନ କରିଛନ୍ତି । ନୂଆ ଗାଡି କିଣିବାର ଦୁଇ ମାସ ମଧ୍ୟରେ ବାରମ୍ବାର ୱାର୍କସପ୍ ଯିବା ଏବଂ ବ୍ୟାଟେରୀ ବଦଳାଇବାକୁ ପଡ଼ିବା ଗାଡ଼ିର ଉତ୍ପାଦନଗତ ତ୍ରୁଟି (Manufacturing Defect) ଏବଂ ସେବାରେ ଅବହେଳାକୁ ପ୍ରମାଣିତ କରୁଛି ବୋଲି ଆୟୋଗ ସ୍ପଷ୍ଟ କରିଛନ୍ତି ।
ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ,
ମୂଲ୍ୟ ଫେରସ୍ତ: ଓଲା ଇଲେକ୍ଟ୍ରିକ୍ କମ୍ପାନୀ ଓ ଏହାର ବିକ୍ରେତା ମିଳିତ ଭାବେ ଅଭିଯୋଗକାରିଣୀଙ୍କୁ ସ୍କୁଟରର ମୂଲ୍ୟ ଓ ପ୍ରୋସେସିଂ ବାବଦକୁ ୧,୪୮,୧୩୯ ଟଙ୍କା ଫେରସ୍ତ କରିବେ। ଏଥିରେ ମାମଲା ଦାଏର ତାରିଖ (୨୩.୦୮.୨୦୨୪) ଠାରୁ ଟଙ୍କା ପଇଠ ହେବା ପର୍ଯ୍ୟନ୍ତ ବାର୍ଷିକ ୯ ପ୍ରତିଶତ ସୁଧ ପ୍ରଦାନ କରିବାକୁ ହେବ।
କ୍ଷତିପୂରଣ ଓ ମକଦ୍ଦମା ଖର୍ଚ୍ଚ: ମାନସିକ ନିର୍ଯାତନା, ହଇରାଣ ଏବଂ ଯାତାୟାତ ଖର୍ଚ୍ଚ ବାବଦକୁ ୨୫,୦୦୦ ଟଙ୍କା ଏବଂ ମକଦ୍ଦମା ଖର୍ଚ୍ଚ ବାବଦକୁ ୧୦,୦୦୦ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସମୟସୀମା ଓ ଜୋରିମାନା: ଆଦେଶର ନକଲ ପାଇବାର ୪୫ ଦିନ ମଧ୍ୟରେ ଏହି ଅର୍ଥ ପଇଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ଟଙ୍କା ନଦେଲେ ସମ୍ପୂର୍ଣ୍ଣ ରାଶି ଉପରେ ବାର୍ଷିକ ୧୨ ପ୍ରତିଶତ ଦଣ୍ଡମୂଳକ ସୁଧ ଲାଗୁ ହେବ ।
ଗାଡ଼ି ହସ୍ତାନ୍ତର: ଟଙ୍କା ପାଇବାର ୧୫ ଦିନ ମଧ୍ୟରେ ଅଭିଯୋଗକାରିଣୀ ସ୍କୁଟର, ଏହାର ଚାର୍ଜର ଓ ଚାବି ବ୍ରହ୍ମପୁର ଶୋ’ରୁମରେ ହସ୍ତାନ୍ତର କରିବେ ଏବଂ କମ୍ପାନୀ ନିଜ ଖର୍ଚ୍ଚରେ ଏଚ୍ଡିଏଫ୍ସି (HDFC) ବ୍ୟାଙ୍କର ହାଇପୋଥିକେସନ୍ କ୍ଲିୟରାନ୍ସ କରିବ ।