ଅନୁଗୋଳ,୧୭/୧୧: ବେଆଇନ ଗଞ୍ଜେଇ ଚାଷ ବିରୋଧରେ ଅନୁଗୋଳ ପୁଲିସ ପକ୍ଷରୁ ବଡ଼ ଧରଣର ଅଭିଯାନ କରାଯାଇଛି। ଜରପଡ଼ା ଓ ବାଗଡ଼ିଆ ଥାନା ଅଞ୍ଚଳରେ ଚଢ଼ାଉ କରାଯାଇ ପ୍ରାୟ ୧୨ ଏକର ଜମିରେ ଚାଷ ହୋଇଥିବା ୩୮ ହଜାର ଗଞ୍ଜେଇ ଗଛକୁ ନଷ୍ଟ କରାଯିବା ସହ ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି।
ଏହି ଅଭିଯାନରେ ତିନି ପ୍ଲାଟୁନ୍ ପୁଲିସ ଫୋର୍ସ ଓ ପ୍ରାୟ ୨୦ ଜଣ ପୁଲିସ ଅଧିକାରୀ ସାମିଲ ହୋଇଥିଲେ। ଏଥିରେ ଅନୁଗୋଳ ଏସ୍ଡିପିଓଙ୍କ ସମେତ ଜରପଡ଼ା ଓ ବାଗଡ଼ିଆ ଥାନାର ଅଧିକାରୀମାନେ ଯୋଗଦେଇଥିଲେ। ଅନୁଗୋଳ ଏସ୍ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ନିର୍ଦ୍ଦେଶରେ ଏହି ଚଢ଼ାଉ ଯୋଜନାବଦ୍ଧ ଭାବେ କରାଯାଇଥିଲା।ପୁଲିସ ସୂଚନା ଅନୁଯାୟୀ, ବାଗଡ଼ିଆ ଥାନା ଅଞ୍ଚଳରେ ୨ ଏକର ଜମିରେ ଚାଷ ହୋଇଥିବା ୧୦ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ଏନେଇ ବାଗଡ଼ିଆ ଥାନାରେ କେସ୍ ନମ୍ବର ୩୭୭, ତାରିଖ ୧୭.୧୧.୨୦୨୬, ଏନ୍ଡିପିଏସ୍ ଆଇନର ଧାରା ୨୦(କ)(i)/୨୯ ଅନୁଯାୟୀ ମାମଲା ରୁଜୁ ହୋଇଛି।
ସେହିପରି ଜରପଡ଼ା ଥାନା ଅଞ୍ଚଳରେ ୧୦ ଏକର ଜମିରେ ଚାଷ ହୋଇଥିବା ୨୮ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯିବା ସହ ୩ ଜଣଙ୍କୁ ଗିରଫ କରାଯାଇଛି। ଏନେଇ ଜରପଡ଼ା ଥାନାରେ କେସ୍ ନମ୍ବର ୫୫୬, ତାରିଖ ୧୭.୧୧.୨୦୨୬, ଏନ୍ଡିପିଏସ୍ ଆଇନର ଧାରା ୨୦(କ)(i)/୨୯ ଅନୁଯାୟୀ ଅନ୍ୟ ଏକ ମାମଲା ରୁଜୁ ହୋଇଛି।
ଏହି ବେଆଇନ ଗଞ୍ଜେଇ ଚାଷ ପଛରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି ଏବଂ ଏହାର ଚେର କେତେଦୂର ଲମ୍ବିଛି, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।
ବେଆଇନ ନିଶାଦ୍ରବ୍ୟ ଚାଷ, ଗଚ୍ଛିତ ରଖିବା ଓ ଚୋରା କାରବାର ବିରୋଧରେ ଅନୁଗୋଳ ପୁଲିସର ଶୂନ୍ୟ ସହନଶୀଳତା ନୀତି ରହିଥିବା ଏସ୍ପି କହିଛନ୍ତି। ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବା ସହ ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନିଆଯିବ ବୋଲି ଅନୁଗୋଳ ପୁଲିସ ପକ୍ଷରୁ କୁହାଯାଇଛି।