ବୋଲଗଡ଼, ୧୭/୧୧ (ପିପିଟି):କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ଆହ୍ୱାନ କ୍ରମେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ କୋଟଗଡ଼ ଆଶ୍ରମ ବିଦ୍ୟାଳୟ ପରିସର ଗତ ରବିବାର ପାଲଟି ଯାଇଥିଲା ଇତିହାସର ଜୀବନ୍ତ ମଞ୍ଚ। ଜଙ୍ଗଲ-ପାହାଡ ଘେରା ଏହି ଆଶ୍ରମ ପରିସରରେ ମହାନ ଜନନାୟକ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ବାର୍ଷିକୀରେ ମହା ଆଡମ୍ବରରେ ପାଳିତ ହେଲା ଜନଜାତୀୟ ଗୌରବ ଦିବସ।
ଫୁଲ, ଚନ୍ଦନ ଓ ଦୀପ ଶିଖା ମଧ୍ୟରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଏହି ପବିତ୍ର ଉତ୍ସବର ଶୁଭାରମ୍ଭ ହୋଇଥିଲା।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଦାଧର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ରାଜସୁନାଖଳା ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ଯୋଗଦେଇ କହିଲେ, “ଗୌରବ କେବଳ ଇତିହାସ ନୁହେଁ, ଗୌରବ ହେଉଛି ଭବିଷ୍ୟତର ପ୍ରେରଣା।”
ବିଶେଷ ନିମନ୍ତ୍ରିତ ଅତିଥି ରଣପୁର ବ୍ଲକ୍ ସମ୍ପ୍ରସାରଣ ଅଧିକାରିଣୀ ପାର୍ବତୀ ହାଁସଦା ଛାତ୍ରଛାତ୍ରୀଙ୍କୁ ଧରତୀ ଆବାଙ୍କ ଅମର ଗାଥା ଶୁଣାଇ କହିଲେ – ୧୮୭୫ ନଭେମ୍ବର ୧୫ ଝାଡ଼ଖଣ୍ଡ ଉଲିହାଟୁରୁ ଆରମ୍ଭ ହୋଇ ମାତ୍ର ୨୫ ବର୍ଷ ବୟସରେ ୧୯୦୦ ମସିହାରେ ରାଞ୍ଚି ଜେଲରେ ଶହୀଦ ହେବା ପର୍ଯ୍ୟନ୍ତ, ଜଳ-ଜଙ୍ଗଲ-ଜମିର ଅଧିକାର ପାଇଁ ସେ ଯେଉଁ ‘ଉଲଗୁଲାନ’ର ଡାକ ଦେଇଥିଲେ, ତାହା ଆଜି ବି ପ୍ରତ୍ୟେକ ଆଦିବାସୀ ହୃଦୟରେ ନିଆଁ ହୋଇ ଜଳୁଛି।
ମୁଖ୍ୟ ବକ୍ତା ରଣପୁର ବ୍ଲକ୍ ଶିକ୍ଷକ ସଂଘ ସମ୍ପାଦକ ପବିତ୍ର ମୋହନ ସାମନ୍ତରାୟ କହିଲେ – ବିର୍ସା କେବଳ ଜଣେ ବ୍ୟକ୍ତି ନୁହଁନ୍ତି, ସେ ଏକ ଚେତନା। ସେହି ଚେତନାରୁ ଲକ୍ଷ୍ମଣ ନାୟକ, ସିଦ୍ଧୁ-କାହ୍ନୁ, ରାଣୀ ଗାଇଦିନଲ୍ୟୁଙ୍କ ଭଳି ବୀର ଜନ୍ମ ନେଇଛନ୍ତି।
ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଚିତ୍ରାଙ୍କନ, ସଙ୍ଗୀତ, ନୃତ୍ୟ, ବକ୍ତୃତା ଏବଂ “ଅଭିଭାବକ ଆମର ଅଂଶୀଦାର” କାର୍ଯ୍ୟକ୍ରମରେ ଅଭିଭାବକମାନେ ଉତ୍ସାହର ସହ ଭାଗ ନେଇ ପୁରସ୍କୃତ ହୋଇଥିଲେ।
ସମ୍ମାନିତ ଅତିଥି ଭାବେ ଅକ୍ରୁର କୁମାର ରାଉତରାୟ, ପରିଚାଳନା କମିଟି ସଭାପତି ଯଶୋବନ୍ତ ଦୋରା, ସଭାନେତ୍ରୀ ସୁବନି ପରିଡା, ସଦସ୍ୟ ବିଚିତ୍ର ଦୋରା ଉପସ୍ଥିତ ଥିଲେ। ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ମାନସ ପଟ୍ଟନାୟକ, ସ୍ୱାଗତ ସଙ୍ଗୀତ ଗାନ କରିଥିଲେ ଛାତ୍ରୀମାନେ।
ଶିକ୍ଷୟିତ୍ରୀ ସ୍ୱାଗତିକା ଦେଓ, ମେରିନା ସାହୁ, ଗୀତାଞ୍ଜଳି ପରିଡା ଓ ମିତାଲି ମଲ୍ଲଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ମିତାଲି ମଲ୍ଲ।
ସୂଚନାଯୋଗ୍ୟ ୨୦୨୧ ନଭେମ୍ବର ୧୦ ତାରିଖରେ କେନ୍ଦ୍ର କ୍ୟାବିନେଟ୍ ପ୍ରତିବର୍ଷ ନଭେମ୍ବର ୧୫କୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲା।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ