ସମ୍ଭାବ୍ୟ ବାତ୍ୟା ‘ଅକବାନ’ ମୁକାବିଲା ପାଇଁ ପ୍ରସ୍ତୁତ ଗଞ୍ଜାମ ପ୍ରଶାସନ ।

0 263

ଛତ୍ରପୁର,୧୭/୧୧(ପିପିଟି): ସମ୍ଭାବ୍ୟ ବାତ୍ୟା ‘ଅକବାନ’ର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲାରେ ଧନଜୀବନ ସୁରକ୍ଷା, ଜଳ ନିଷ୍କାସନ,ଆଗୁଆ ସ୍ଥାନାନ୍ତର, ସ୍ୱାସ୍ଥ୍ୟସେବା ଓ ଜରୁରୀକାଳୀନ ସାମଗ୍ରୀ ଯୋଗାଣ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି ।

ଆସନ୍ତା ୧୮ ତାରିଖ ପାଇଁ ପାଣିପାଗ ବିଭାଗ ପକ୍ଷରୁ ହଳଦିଆ ସତର୍କ ସୂଚନା ଏବଂ ୧୯ ଓ ୨୦ ତାରିଖ ପାଇଁ କମଳା ସତର୍କ ସୂଚନା ଜାରି ହୋଇଥିବାରୁ ପ୍ରଶାସନ ପାଣିପାଗର ପ୍ରତ୍ୟେକ ପରିବର୍ତ୍ତନ ଉପରେ ନଜର ରଖିଛି । ଏ ନେଇ ମଙ୍ଗଳବାର ସନ୍ଧ୍ୟାରେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଗଣମାଧ୍ୟମକୁ ଜିଲ୍ଲାର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେବା ଅବସରରେ ଉଲ୍ଲେଖ କରିଛନ୍ତି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ଜିଲ୍ଲାର ଭୂସ୍ଖଳନ ପ୍ରବଣ ଓ ବିପଦସଙ୍କୁଳ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରାଯାଇଛି । ବିଶେଷକରି ଧରାକୋଟ,ଭଞ୍ଜନଗର,ଆସିକା ଓ ପାତ୍ରପୁର ଅଞ୍ଚଳର ସମ୍ବେଦନଶୀଳ ସ୍ଥାନଗୁଡ଼ିକ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି । ଭୂସ୍ଖଳନ ଆଶଙ୍କା ଥିବା ସ୍ଥାନରୁ ଲୋକଙ୍କୁ ଆଗୁଆ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ସ୍ଥାନୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସ୍ଥାନୀୟ ଲୋକମାନେ ପ୍ରଶାସନର ନିର୍ଦ୍ଦେଶ ମାନି ସ୍ଥାନାନ୍ତର ପ୍ରକ୍ରିୟାରେ ସହଯୋଗ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।

ଜିଲ୍ଲାରେ ସମ୍ଭାବ୍ୟ ସ୍ଥାନାନ୍ତର ପାଇଁ ୧,୨୧,୫୯୭ ଜଣଙ୍କୁ ଚିହ୍ନଟ କରାଯାଇ ୧,୧୩୯ଟି ସୁରକ୍ଷିତ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ୬୪ଟି ଆଶ୍ରୟସ୍ଥଳୀରେ ୨,୭୩୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି ।

ଆଶ୍ରୟସ୍ଥଳୀଗୁଡ଼ିକରେ ଶୁଖିଲା ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ମହଜୁଦ ରଖାଯାଇଛି । ଆବଶ୍ୟକ ସ୍ଥଳେ ରନ୍ଧା ଖାଦ୍ୟ ଯୋଗାଣ ପାଇଁ ମଧ୍ୟ ବ୍ୟବସ୍ଥା ହେଉଛି ।

ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲାରେ ୧୨ଟି ଓଡ୍ରାଫ୍ ଟିମ୍, ୩ଟି ଏନ୍‌ଡିଆର୍‌ଏଫ୍ ୟୁନିଟ୍ ଓ ୨୪ଟି ଅଗ୍ନିଶମ ଟିମ୍ ମୁତୟନ କରାଯାଉଛି । ଏଥିସହ ୧୩ଟି ମେଡିକାଲ ରେସପନ୍ସ ଟିମ୍ ଓ ୨୩ଟି ପ୍ରାଣୀ ଚିକିତ୍ସା ତ୍ୱରିତ ପ୍ରତିକ୍ରିୟା ଦଳ ନିରନ୍ତର କାର୍ଯ୍ୟ କରୁଛନ୍ତି ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୧,୭୭୭ ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଛି, ଯେଉଁମାନଙ୍କର ପ୍ରସବ ସମୟ ଆସନ୍ତା ୧୫ ଦିନ ମଧ୍ୟରେ ରହିଛି । ସେମାନଙ୍କ ମଧ୍ୟରୁ ୭୧୧ ଜଣ ଉଚ୍ଚ ବିପଦସଙ୍କୁଳ ଗର୍ଭବତୀଙ୍କୁ ମା’ ଗୃହ ଓ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୦୨ ଜଣ ଗର୍ଭବତୀଙ୍କ ସୁରକ୍ଷିତ ପ୍ରସବ ହୋଇଛି। ଏହା ସହ ପ୍ରାଣୀ ସମ୍ପଦର ସୁରକ୍ଷା ପାଇଁ ମଧ୍ୟ ବ୍ଲକ୍‌ସ୍ତରରେ ତ୍ୱରିତ ଚିକିତ୍ସା ଦଳ କାର୍ଯ୍ୟ କରୁଛନ୍ତି ।

ବ୍ରହ୍ମପୁର ସହରରେ ଜଳବନ୍ଦୀ ସମସ୍ୟା ଏଡ଼ାଇବା ପାଇଁ ବିଏମ୍‌ସି ପକ୍ଷରୁ ପ୍ରାୟ ସମସ୍ତ ୱାର୍ଡରେ ସ୍ୱତନ୍ତ୍ର ଟିମ୍ ନିୟୋଜିତ କରାଯାଉଛି । ସହରର ବିଭିନ୍ନ ଡ୍ରେନ୍ ଓ ଜଳ ନିଷ୍କାସନ ପଥରୁ ଅବରୋଧ ହଟାଇବା କାର୍ଯ୍ୟ ଚାଲିଛି। ଆବଶ୍ୟକ ପଡ଼ିଲେ ବିଏମ୍‌ସି ପକ୍ଷରୁ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ।

ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ରଖିବା ପାଇଁ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌, ୱାଟ୍‌କୋ ଓ ଅନ୍ୟ ସମ୍ପୃକ୍ତ ବିଭାଗକୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି ।

ଜଳସମ୍ପଦ ବିଭାଗ ପକ୍ଷରୁ ସମସ୍ତ ପ୍ରମୁଖ ନଦୀ,ଜଳଭଣ୍ଡାର ଓ ଡ୍ୟାମ୍‌ର ଜଳସ୍ତର ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି । ବର୍ତ୍ତମାନ ସମସ୍ତ ନଦୀ ବିପଦସଙ୍କେତ ତଳେ ପ୍ରବାହିତ ହେଉଛି। ଜଳଭଣ୍ଡାରଗୁଡ଼ିକରୁ ଆବଶ୍ୟକ ଜଳ ନିଷ୍କାସନ କରାଯାଇ ଜଳଧାରଣ କ୍ଷମତାର ପ୍ରାୟ ୬୦ ପ୍ରତିଶତ ବା କିଛି ସ୍ଥାନରେ ତାଠାରୁ କିଛି ଅଧିକ ଜଳ ରଖାଯାଇଛି । ପରିସ୍ଥିତିକୁ ଦେଖି ଆବଶ୍ୟକ ହେଲେ ଆହୁରି ଜଳ ନିଷ୍କାସନ କରାଯିବ ।

ସାମୁଦ୍ରିକ ସୁରକ୍ଷା ଦୃଷ୍ଟିରୁ ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ମାଛ ଧରିବା ପାଇଁ ଯିବା ଉପରେ କଟକଣା ଜାରି ରହିଛି । ସମସ୍ତ ମତ୍ସ୍ୟଜୀବୀ କୂଳକୁ ଫେରିଆସିଛନ୍ତି। ଜିଲ୍ଲାରେ ମୋଟ ୧,୫୭୮ଟି ପଞ୍ଜିକୃତ ଡଙ୍ଗା ଚିହ୍ନଟ ହୋଇଛି । ସମୁଦ୍ର ଉପକୂଳରେ ପୁଲିସ, ମତ୍ସ୍ୟ ବିଭାଗ ଓ ତହସିଲ ପକ୍ଷରୁ ପାଟ୍ରୋଲିଂ ଜାରି ରହିଛି ।

ଆସନ୍ତା ତିନିଦିନ ଅର୍ଥାତ୍ ୧୮, ୧୯ ଓ ୨୦ ନଭେମ୍ବର ପର୍ଯ୍ୟନ୍ତ ଗୋପାଳପୁର, ସୁନାପୁର ସମେତ ଜିଲ୍ଲାର ସମସ୍ତ ବେଳାଭୂମି ଓ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯିବ ।

ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ ବର୍ଷା ହୋଇନଥିଲେ ମଧ୍ୟ ପଡ଼ୋଶୀ ଗଜପତି ଓ କନ୍ଧମାଳ ଜିଲ୍ଲାର ବର୍ଷା ପରିସ୍ଥିତି ଉପରେ ମଧ୍ୟ ପ୍ରଶାସନ ନଜର ରଖିଛି । ଜିଲ୍ଲାବାସୀଙ୍କୁ ଆସନ୍ତା ତିନିଦିନ ପାଇଁ ଯଥେଷ୍ଟ ପାନୀୟ ଜଳ, ଶୁଖିଲା ଖାଦ୍ୟ,ଆବଶ୍ୟକ ଔଷଧ ଓ ଜରୁରୀ କାଗଜପତ୍ର ସୁରକ୍ଷିତ ରଖିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ସ୍କୁଲ ଓ କଲେଜ ଛୁଟି ସମ୍ପର୍କରେ ପାଣିପାଗ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ।

ଜିଲ୍ଲାର ସମସ୍ତ ବ୍ଲକ୍, ତହସିଲ ଓ ସହରାଞ୍ଚଳରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଛି। ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟ କେନ୍ଦ୍ରର ଯୋଗାଯୋଗ ନମ୍ବର ୦୬୮୧୧-୨୬୩୯୭୮ ।

ଜିଲ୍ଲାରେ ୨୬୦ କୁଇଣ୍ଟାଲରୁ ଅଧିକ ଚୁଡ଼ା,ପର୍ଯ୍ୟାପ୍ତ ପରିମାଣର ଗୁଡ଼ ଏବଂ ୨ ଲକ୍ଷ ୧୦ ହଜାରରୁ ଅଧିକ ପାଣି ବୋତଲ ମହଜୁଦ ରଖାଯାଇଛି। ଆଶ୍ରୟସ୍ଥଳୀ ଓ ପ୍ରଭାବିତ ଅଞ୍ଚଳରେ ଏହି ସାମଗ୍ରୀ ଯୋଗାଇ ଦିଆଯାଉଛି ।

ଜିଲ୍ଲାବାସୀ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.