ଓଡ଼ିଆ ନବବର୍ଷରେ ଭଞ୍ଜନଗର ପୋଲିସ ପକ୍ଷରୁ ପଣା ବଣ୍ଟନ ।

0 229

ଭଞ୍ଜନଗର, ୧୪/୦୪(ପିପିଟି ):ଓଡ଼ିଆ ପଞ୍ଜିକା ଅନୁଯାୟୀ ଆଜି ନୂତନ ବର୍ଷର ପ୍ରଥମ ଦିନ ତଥା ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଭାବେ ଚାରିଆଡ଼େ ପାଳନ କରାଯାଏ।ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରିବା ସହ ନୂତନ ବର୍ଷର ଆରମ୍ଭ ହୁଏ।ଏଥିସହ ଆଜିର ଦିନରେ ପୁରାଣ ଅନୁସାରେ ହନୁମାନ ଜୟନ୍ତୀ ମଧ୍ୟ ପାଳନ କରାଯାଏ।ଏହି ଅବସରରେ ଆଜି ବିଭିନ୍ନ ସ୍ଥାନରେ ଦିନ ତମାମ ବହୁ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।ଏହି ଅବସରରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଓ ଏହାର ଆଖପାଖରେ ଥିବା ସମସ୍ତ ରାମ ଓ ହନୁମାନ ମନ୍ଦିର ଚଳଚଞ୍ଚଳ ହୋଇ ଉଠିଛି।ଶ୍ରଦ୍ଧାଳୁମାନେ ଭଜନ କୀର୍ତ୍ତନ, ହୋମ ଯଜ୍ଞ,ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ଭଳି ଧାର୍ମିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ।ବିଶେଷ କରି ଭଞ୍ଜନଗର ସହରରେ ଥିବା ରଘୁନାଥ ମନ୍ଦିର, ମହାବୀର ଛକରେ ଥିବା ହନୁମାନ ମନ୍ଦିର, ଭେଜିପୁଟ ଗୁପ୍ତେଶ୍ଵର ମନ୍ଦିର, ଲଣ୍ଡେଇ ସାହି ରାମ ମନ୍ଦିର,ଜୟ ହନୁମାନ ସ୍ବେଚ୍ଛାସେବୀ ସଂଘ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମରେ ବହୁ ଭକ୍ତଙ୍କ ସମାଗମ ହୋଇଥିଲା।ସେହିପରି ଭଞ୍ଜନଗର ପୋଲିସ ପକ୍ଷରୁ ଥାନା ସାମ୍ନାରେ ପଣା ବଣ୍ଟନ କରାଯାଇଛି।ପ୍ରବଳ ଖରାରେ ରାସ୍ତାରେ ଯାଉଥିବା ଯାତ୍ରୀମାନେ ପଣା ପିଇ ଆତ୍ମତୃପ୍ତି ଲାଭ କରିଥିଲେ।ଏଥିରେ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଡ଼ ଦୀପକ କୁମାର ମିଶ୍ର, ଏସଆଇ ସମୀର ସେଠୀ, ହାବିଲଦାର ଦିଲୀପ କୁମାର ରାଉତ, ସନ୍ତୋଷ ନାୟକ, ଯଶୋବନ୍ତ ମାଝୀ ଓ ଅନ୍ୟ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ।

ରିପୋର୍ଟ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.