କାର୍ତ୍ତିକ ପୁର୍ଣିମା ଉପଲକ୍ଷେ ସର୍ବତ୍ର ଭକ୍ତିମୟ ପରିବେଶ ,ଶୈବ ପୀଠଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ଼ ।

0 0

ବେଗୁନିଆପଡା,୨୪/୧୧(ପିପିଟି ):ପବିତ୍ର କାର୍ତ୍ତିକ ପୁର୍ଣିମା ଅବସରରେ କୋଦଳା ଏନଏସି ସମେତ ବିଭିନ୍ନ ଗ୍ରାମର ଶୈବପୀଠ ଏବଂ ଦେବଦେବୀ ମନ୍ଦିର ଗୁଡିକରେ ଭକ୍ତିମୟ ପରିବେଶ ସହ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି l ପଞ୍ଚୁକର ଶେଷଦିନ ତଥା କାର୍ତ୍ତିକ ମାସର ସମାପ୍ତି ଅବସରରେ କୋଦଳା ଏନଏସି ସ୍ଥିତ ବାବା ଶ୍ରୀ ଦଣ୍ଡିଶ୍ୱର, କାଳେଶ୍ୱର, ତାଳେଶ୍ୱର,ବରାଳ ବାଲୁଙ୍କେଶ୍ୱର, ଖଜରେଶ୍ୱର,ହୁକୁମେଶ୍ୱର, ଜଗନ୍ନାଥ ମନ୍ଦିର, ମହାଲକ୍ଷ୍ମୀ ମନ୍ଦିର, ଗୋପୀନାଥ ମନ୍ଦିର, ଭଗବତୀ ଗାଦି,ରତନୀ ଠାକୁରାଣୀ, ହନୁମନ୍ତ ନାରାୟଣୀ, ପଥରି ଠାକୁରାଣୀ, ବାଘୁଆ ଠାକୁରାଣୀ, ଖଜୁରେଶ୍ୱର ଏବଂ ଖରଖରେଶ୍ୱରୀ ଆଦି ପୀଠରେ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା ସହ ଦେବଦେବୀଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ହବିଷ୍ୟ ଓ ପଞ୍ଚୁକ ବ୍ରତ ପାଳନ କରୁଥିବା ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ମାନେ ମହାଦେବଙ୍କୁ ବେଲପତ୍ର, କ୍ଷୀର ଓ ଫଳମୂଳ ଆଦି ଅର୍ପଣ କରି ବ୍ରତ ଉଦଯାପନ କରିଥିଲେ । ଏହି ଅବସରରେ କୋଦଳା ବାବା ଶ୍ରୀ ଦଣ୍ଡିଶ୍ୱର ମନ୍ଦିର ପରିସରରେ ଦିନସାରା ପୂଜାର୍ଚନା ଚାଲିଥିବା ବେଳେ ମଧ୍ୟାନ ରେ ଅଞ୍ଚଳ ର ବିଭିନ୍ନ ସଂକୀର୍ତନ ଦଳ ମଧ୍ୟରେ ତାଳମୃଦଙ୍ଗ ବା ସଂକୀର୍ତନ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା, ସତେ ଯେମିତି ଏହା ଏହା ଏକ ପ୍ରତିଯୋଗିତା ଭଳି ହୋଇଥିଲା । ଏହାର ମନୋଭରି ଉପଭୋଗ କରିଥିଲେ ଶ୍ରଦ୍ଧାଳୁ । ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୋଲିସ ପ୍ରଶାସନ ସମେତ ନୋଡାଲ ଉଚ୍ଚ ବିଦ୍ୟାଳୟ ର ରେଡ଼କ୍ରସ, ଏନସିସି, ସ୍କାଉଟ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ମନ୍ଦିର ସେବାୟତ ବି ଭକ୍ତଙ୍କୁ ଭରପୁର ସହଯୋଗ କରିଥିଲେ । ସେହିପରି ଶାଳବଣ ସ୍ଥିତ ସିଦ୍ଧେଶ୍ୱର,ବେଗୁନିଆପଡା ସିଦ୍ଧେଶ୍ୱର, ବରିଡା ଅମରେଶ୍ୱର,ଫାସି ସ୍ଥିତ ମାଣିକେଶ୍ବର, ସାତନଳ ସ୍ଥିତ ଲଙ୍ଗଳେଶ୍ୱର, ଗୌରଦେଇପୁର ସ୍ଥିତ ବାଲୁଙ୍କେଶ୍ୱର,କାଳିମେଘି ସ୍ଥିତ କାଳେଶ୍ୱର, ବେଲଝରି ସ୍ଥିତ କପିଳେଶ୍ୱର ଆଦି ମନ୍ଦିର ଗୁଡିକରେ ସକାଳୁ ଅପରାହ୍ନ ଯାଏଁ ଶ୍ରଦ୍ଧାଳୁମାନଙ୍କ ଭିଡରେ ପରିବେଶ ଚଳଚଞ୍ଚଳ ହୋଇଉଠିଥିଲା ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.