ବୋଲଗଡ଼,୨୩/୧୧ (ପିପିଟି):ଯେଉଁଠି ଦେଶରେ ଧର୍ମ ନାଁରେ ବିଭେଦ ଚାଲିଛି, ସେଠି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଗୋପାଳପୁର ପଞ୍ଚାୟତର ପଶ୍ଚିମେଶ୍ୱର ପୀଠ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି।
ତାଳତୁମ୍ବ ଓ ଅନନ୍ତାପଲ୍ଲୀ ହିନ୍ଦୁ-ମୁସଲିମ ମିଳିତ ଗ୍ରାମର ପାହାଡ ଉପରେ ଥିବା ପଶ୍ଚିମେଶ୍ୱର ପୀଠରେ ପଞ୍ଚୁକ ଅବସରରେ ପାଞ୍ଚ ଦିନ ଧରି ୨୭ତମ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଛି।
ମନ୍ଦିର ନୀତିକାନ୍ତି ଭିତରେ ଯଜ୍ଞ ଚାଲିଛି, ହେଲେ ବାହାରେ ଯଜ୍ଞର ସବୁ ଆୟୋଜନ ବାଉଁଶ ବନ୍ଧା, ଲାଇଟ୍, ଭକ୍ତଙ୍କୁ ପାଣି ଦେବା, ବାଦୀପାଲା ପାଇଁ ପେଣ୍ଡାଲ କରିବା ସବୁଥିରେ ତାଳତୁମ୍ବ, ଅନନ୍ତାପଲ୍ଲୀ, ମୁଗମଣ୍ଡା, ବାରବାଟୀ, ସିମାପଲ୍ଲୀ, ଦେଉଳି, ସାନପଦର, ନୁଆପଲ୍ଲୀ, ନାରାୟଣୀପଡା ଗ୍ରାମର ହିନ୍ଦୁ ଓ ମୁସଲିମ ଭାଇ ମାନେ କାନ୍ଧକୁ କାନ୍ଧ ମିଳାଇ କାମ କରୁଛନ୍ତି।
ସନ୍ଧ୍ୟା ହେଲେ ସବୁ ଧର୍ମର ଲୋକେ ଏକାଠି ବସି ବାଦୀପାଲା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରୁଛନ୍ତି। ଏଠି ହିନ୍ଦୁ ନାହିଁ, ମୁସଲିମ ନାହିଁ ସମସ୍ତେ ପଶ୍ଚିମେଶ୍ୱର ବାବାଙ୍କ ସନ୍ତାନ।
ପାହାଡ ଉପରେ ଥିବା ଏହି ପୀଠର ପ୍ରାକୃତିକ ସୌନ୍ଦର୍ଯ୍ୟ ମନୋରମ। କର୍ମମୟ ଜୀବନର ଦୁଃଖକୁ ଭୁଲି ଶହ ଶହ ଶ୍ରଦ୍ଧାଳୁ ଏଠାକୁ ଆସୁଛନ୍ତି। ବିଶ୍ୱାସ ଅଛି, ପ୍ରଭୁ ପଶ୍ଚିମେଶ୍ୱର ସମସ୍ତଙ୍କ ମନସ୍କାମନା ପୂରଣ କରନ୍ତି।
ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ଏହି ଯଜ୍ଞ ପ୍ରମାଣ କରିଛି ବୋଲଗଡ଼ ମାଟିରେ ଭକ୍ତି ଅଛି, ସହିଷ୍ଣୁତା ଅଛି ଓ ମଣିଷ ପଣିଆ ବଞ୍ଚିଛି।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ