ବାହାରେ ଶୌଚ ହେବା ସମୟରେ ୪ବର୍ଷର ଶିଶୁକୁ ଝାମ୍ପିନେଲା ବନ୍ୟଜନ୍ତୁ ।

0 0

ରାଇଘର,୨୪/୧୧: ନବରଙ୍ଗପୁର ଜିଲ୍ଲାରେ ବନ୍ୟଜନ୍ତୁ ଆକ୍ରମଣ ଆଶଙ୍କାକୁ ନେଇ ଚାଞ୍ଚଲ୍ୟ। ରାଇଘର ବନାଞ୍ଚଳ ଅନ୍ତର୍ଗତ ନାକଟିସିମୋଡା ପଞ୍ଚାୟତର ଚଢ଼ିଆପାରା ଗ୍ରାମରେ ଘର ଦାଣ୍ଡରେ ଥିବା ସମୟରେ ଜଣେ ଚାରି ବର୍ଷର ଶିଶୁକନ୍ୟାକୁ ଏକ ଅଜଣା ବନ୍ୟଜନ୍ତୁ ଝାମ୍ପି ନେଇଥିବା ଅଭିଯୋଗ ହୋଇଛି। ଶିଶୁକନ୍ୟା ଜଣକ ଗ୍ରାମର ବିଷ୍ଣୁ ଗଣ୍ଡଙ୍କ ଝିଅ। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଛି।
ପରିବାର ପକ୍ଷରୁ ମିଳିଥିବା ସୂଚନାନୁସାରେ, ଶିଶୁକନ୍ୟାଟି ଘର ଦାଣ୍ଡରେ ସନ୍ଧ୍ୟା ପ୍ରାୟ 8 ଟା ସମୟରେ ଶୌଚ ପାଇଁ ବସିଥିବା ସମୟରେ ହଠାତ୍ ଏକ ଅଜଣା ବନ୍ୟଜନ୍ତୁ ଆସି ତାକୁ ଝାମ୍ପି ନେଇଥିଲା। ଘଟଣାଟି ଶିଶୁର ଜେଜେବାପା ଦେଖିଥିବା ତାଙ୍କ ମା’ ସୁମିତ୍ରା ଗଣ୍ଡ କହିଛନ୍ତି। ହଠାତ୍ ଘଟିଥିବା ଏହି ଘଟଣାରେ ପରିବାର ଲୋକେ ସ୍ତବ୍ଧ ହୋଇପଡ଼ିଥିବା ବେଳେ ଶିଶୁର ସନ୍ଧାନ ନମିଳିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଉଦ୍‌ବେଗ ବଢ଼ିଛି।ସେହିପରି ଉକ୍ତ ସ୍ଥାନ ରେ ରକ୍ତ ଛିଟା ପଡ଼ିଥିବା ମଧ୍ୟ୍ୟ ପରିବାର ପକ୍ଷରୁ କୁହା ଯାଇଛି l ଘଟଣା ସମ୍ପର୍କରେ ଖବର ପାଇବା ପରେ ବନ ବିଭାଗର ୧୫ ଜଣିଆ ଟିମ୍ ଗ୍ରାମରେ ପହଞ୍ଚି ତଲାସୀ ଆରମ୍ଭ କରିଛି। ରାଇଘର ବନାଞ୍ଚଳ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶିଶୁର ସନ୍ଧାନ ଜାରି ରଖିଛନ୍ତି। ବନ ବିଭାଗର କର୍ମଚାରୀଙ୍କ ସହ ୩୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ମିଶି ନିକଟସ୍ଥ ଜଙ୍ଗଲରେ ଖୋଜାଖୋଜି ଚଳାଇଛନ୍ତି।

ଅନ୍ୟପକ୍ଷରେ, ଶିଶୁକନ୍ୟାକୁ ଝାମ୍ପି ନେଇଥିବା ଜନ୍ତୁଟି କଲରାପତରିଆ ବାଘ ହୋଇଥାଇପାରେ ବୋଲି ଗ୍ରାମବାସୀଙ୍କ ମଧ୍ୟରେ ସନ୍ଦେହ ପ୍ରକାଶ ପାଇଛି। ଏ ସମ୍ପର୍କରେ ନବରଙ୍ଗପୁର ସହକାରୀ ବନ ସଂରକ୍ଷକ ଅଧିକାରୀ ସୁବାସ ଚନ୍ଦ୍ର ଖୁଣ୍ଟିଆଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଘଟଣାସ୍ଥଳ ଛତିଶଗଡ଼ ସୀମାକୁ ଲାଗି ରହିଛି। ସୀମାନ୍ତ ଛତିଶଗଡ଼ ଅଞ୍ଚଳରେ ବ୍ୟାଘ୍ର ଅଭୟାରଣ୍ୟ ଥିବାରୁ ଏହି ଅଞ୍ଚଳରେ ବନ୍ୟଜନ୍ତୁଙ୍କ ଚଳପ୍ରଚଳ ରହିଛି। ତେବେ ଶିଶୁକନ୍ୟାକୁ ଝାମ୍ପି ନେଇଥିବା ଜନ୍ତୁଟି ବାଘ ନା ଅନ୍ୟ କୌଣସି ହିଂସ୍ର ବନ୍ୟଜନ୍ତୁ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଲାଗି ରହିଥିବା ବେଳେ ବନ ବିଭାଗର ତଲାସୀ ଓ ତଦନ୍ତ ଜାରି ରହିଛି। ଏବେ ସମସ୍ତଙ୍କ ନଜର ନିଖୋଜ ଶିଶୁକନ୍ୟାର ସନ୍ଧାନ ଉପରେ ରହିଛି।

Leave A Reply

Your email address will not be published.