ମାଆ ବୁଢାକେନ୍ଦୁଙ୍କ ଐତିହାସିକ ବାର୍ଷିକ ଉତ୍ସବ ; ଦେଢ଼ଲକ୍ଷ ଭକ୍ତଙ୍କ ସମାଗମ ।

0 0

ବେଲଗୁଣ୍ଠା,୨୪/୧୧(ପିପିଟି): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଘୁମୁସର ମାଟିର ଅନନ୍ୟ ଆରାଧ୍ଯ ଦେବୀ ମାଆ ବୁଢାକେନ୍ଦୁଙ୍କ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଅନୁକୂଳ ପାଗ ଏବଂ ଧାନ କଟା ଆରମ୍ଭ ହୋଇନଥିବାରୁ ଏହି ଐତିହାସିକ ପର୍ବରେ ବର୍ଷ ବର୍ଷର ରେକର୍ଡ଼ ଭଙ୍ଗ କରି ଏକ ଲକ୍ଷ ପଚାଶ ହଜାର ଭକ୍ତଙ୍କ ସମାଗମ ହୋଇଥିଲା ଏବଂ ଏହି ଗହଳି ସନ୍ଧ୍ୟା ସାତଟା ପର୍ଯ୍ୟନ୍ତ ଲାଗି ରହିଥିଲା । ମନ୍ଦିର ପରିଚାଳନା କମିଟିର ପୂର୍ବ ନିଷ୍ପତି କ୍ରମେ ଆଜି ଭୋର୍ ଚାରି ଘଣ୍ଟା ପନ୍ଦର ମିନିଟ୍ ସମୟରେ ମାଆଙ୍କ ମଙ୍ଗଳ ଆଳତି ଏବଂ ରାଜଭୋଗ ନୀତି ଅନୁଷ୍ଠିତ ହୋଇଥିଲା । ସକାଳ ଚାରି ଘଣ୍ଟା ତିରିଶି ମିନିଟ୍ ସମୟରେ ମାଆଙ୍କର ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଯାଇଥିଲା । ସକାଳୁ ସକାଳୁ ହିଁ ମାଆଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଛୁଟିବା ସହିତ ଭିଡ଼ ଦିନ ଆଠଟା ପରେ ଶ୍ରଦ୍ଧାଳୁଙ୍କ ଭିଡ଼ ବଢିଥିଲା । ସକାଳ ୧୧ ଘଣ୍ଟା ୩୦ ମିନିଟ୍ ସମୟରେ ମଧ୍ୟାହ୍ନ ଭୋଗ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲ୍ଳା ସମେତ ପଡ଼ୋଶୀ କନ୍ଧମାଳ, ଗଜପତି ଏବଂ ନୟାଗଡ଼ ଏପରିକି ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ମଧ୍ୟ ବହୁ ଭକ୍ତଙ୍କ ସୁଅ ଛୁଟିଥିଲା । କ୍ଷତ୍ରିୟବରପୁର ଠାରୁ ମାଆଙ୍କ ମନ୍ଦିର ପର୍ଯ୍ୟନ୍ତ ଏକ ଜନ ସମୁଦ୍ର ସୃଷ୍ଟି ହୋଇଥିଲା । ସନ୍ଧ୍ୟା ଛଅଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସହିତ ଯାନବାହନର ପାର୍କିଂ ପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଥିଲା । ଭକ୍ତଙ୍କ ଗହଳି ସହିତ ଶହ ଶହ ପସରା ଉତ୍ସବକୁ ବହୁଗୁଣିତ କରିଥିଲା । ବିଶେଷ କରି ବିଭିନ୍ନ ଘର କରଣା ସାମଗ୍ରୀର ଷ୍ଟଲ୍ ନିକଟରେ ମହିଳା ମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା ବେଳେ ଆଇସ୍କ୍ରିମ୍,ଖେଳଣା,ଚାଟ୍, ଗୁପଚୁପ ଷ୍ଟଲ୍ ରେ ଛୋଟ ପିଲା ଏବଂ ବିଭିନ୍ନ ଫାଷ୍ଟ ଫୁଡ୍ ଷ୍ଟଲ୍ ରେ ଯୁବ ଗୋଷ୍ଠୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଠାକୁର ଅନୁକୂଳ ଚନ୍ଦ୍ର ଅନୁଷ୍ଠାନର ଗୁରୁ ଭାଇମାନେ ଶ୍ରଦ୍ଧାଳୁଙ୍କୁ ପାନୀୟଜଳ ବଣ୍ଟନ କରିଥିବା ବେଳେ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡ୍ କ୍ରସ୍ ,ରେଡ଼୍ ରିବନ୍,ସ୍କାଉଟ୍ ଏବଂ ଜାତୀୟ ସେବା ଯୋଜନାର ସ୍ଵେଚ୍ଛାସେବୀ ମାନେ ଭକ୍ତଙ୍କୁ ଚହ୍ଲା ପଣା ବଣ୍ଟନ କରିଥିଲେ। ଆୟୁଷ ଡ଼ାକ୍ତର ସରୋଜ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ପ୍ରାଥମିକ ଚିକିତ୍ସାର ବ୍ୟବସ୍ଥା କରାଯାଇଥିଲା । ଏହି ଅବସରରେ ପ୍ରଜାପିତା ବ୍ରହ୍ମାକୁମାରୀ ଷ୍ଟଲ୍ ରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ମାଆଙ୍କ କାନିକା ଭୋଗ ବଣ୍ଟନ କରାଯାଇଥିଲା । ଭଞ୍ଜନଗର ଅଗ୍ନିଶମ ବାହିନୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଭଞ୍ଜନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜନ କୁମାର ଦେ ଏବଂ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଡ. ଦୀପକ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ,ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ନେତୃତ୍ୱରେ ଦୁଇ ଜଣ ଏସ୍.ଆଇ,୨୦ ଜଣ ଏ.ଏସ୍.ଆଇଙ୍କ ସମେତ ଏକ ପ୍ଲାଟୁନ ମହିଳା ପୋଲିସ ଏବଂ ତିନି ପ୍ଲାଟୁନ ପୋଲିସ୍ ଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ,ବିଡ଼ିଓ ସିଙ୍ଗାପୁରମ୍ ହରି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ତଦାରଖ କରିଥିଲେ। ମାଆଙ୍କ ପୂଜା କାର୍ଯ୍ୟରେ ମୁକ୍ତି ପ୍ରଶିକ୍ଷଣ ବେଦାନ୍ତ ଆଶ୍ରମ ମୁଖ୍ୟ ବାବା ହରି ଶଙ୍କର ସ୍ବାମୀ,ପୁରୋହିତ ଯୋଗେଶ ଦାସ,ରବୀନ୍ଦ୍ର ତ୍ରିପାଠୀ,ଚିତ୍ତ ରଞ୍ଜନ ରଥ,ପୂଜକ ଶିବ ପ୍ରସାଦ ଦାସ,ଶୁଭ୍ରାଂଶୁ ଦାସ,ଯୋଗିନ୍ଦ୍ର ତ୍ରିପାଠୀ,ହେମନ୍ତ ମିଶ୍ର,ଗୋପାଳ ତ୍ରିପାଠୀ,ମନମୋହନ ପାଢ଼ୀ ପ୍ରମୁଖ ସହଯୋଗ କରିଥିଲେ। ମନ୍ଦିର ପରିଚାଳନା କମିଟି ସଭାପତି ଦେବୀ ପ୍ରସାଦ ତ୍ରିପାଠୀଙ୍କ ନେତୃତ୍ୱରେ ଉପସଭାପତି ସୁରେନ୍ଦ୍ର କୁମାର ଡାକୁଆ,ସମ୍ପାଦକ ରମେଶ ଚନ୍ଦ୍ର ରାଉତ,କୋଷାଧ୍ୟକ୍ଷ ଦୂର୍ଗା ମାଧବ ନାୟକ,ବେଲଗୁଣ୍ଠା ପ୍ରେସକ୍ଲବ୍ ସଭାପତି ତଥା ମନ୍ଦିର ପରିଚାଳନା ସଦସ୍ୟ ପ୍ରଦ୍ୟୁମ୍ନ ପାତ୍ର,କମିଟିର ସମସ୍ତ କର୍ମକର୍ତ୍ତାଙ୍କ ସମେତ ସ୍ଥାନୀୟ ଜନ ପ୍ରତିନିଧି, ସହଯୋଗ କରିଥିଲେ ।

ରିପୋର୍ଟ -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.