ମାତୃ ଗର୍ଭୁ ଜୀବ ପାଇ ତୁ ଆସିଛୁ
ବାୟୁରେ ଖେଳା ଜୀବନ….
ଯୋଉ ଦିନ ନାକ ପୁଡାରେ ପବନ
ନ ଯିବ ଯିବ ପରାଣରେ ମନୁଆ
ଅମାନିଆ ଏତେ କିଆଁ
ମିଛେ ମାରୁ ଗର୍ବେ ଏଡ଼େ ଡିଆଁରେ….!!
ମାତା ଗରଭରେ ପିତା ବ୍ରହ୍ମ ବିନ୍ଦୁ
ପତିତ ହୋଇଲା ଯେଣୁ….
ଘଟ ତୋ ଗଢିଲେ ଅଦୃଶ୍ୟ ଈଶ୍ୱର
ମାତାକୁ ଅଜ୍ଞାତ ତେଣୁ….
ଭୂମିଷ୍ଠ ହୋଇଲୁ କୁଆଁ କୁଆଁ ରାବି
ବେନି ହସ୍ତ ଯୋଡି ପୁଣିରେ ମନୁଆ
ଶୈଶବରୁ ହେଲୁ ଯୁବା
ମାୟା ମୋହେ ହୋଲୁ ଲୋଭାରେ….!!
ଯୁବା ବୟସରେ ଯୁବତୀ ବଶରେ
ବିଷୟା ବିଷରେ ପଡି….
ରତି ପ୍ରୀତି ରସେ ଆନନ୍ଦ ଉଲ୍ଲାସେ
ହରି ନାମ ଗଲୁ ହୁଡି….
ସଂସାର ଜଞ୍ଜାଳେ ପଡି ମାୟା ଜାଲେ
ମାଛ ପରି ଛଟପଟରେ ମନୁଆ
ଯନ୍ତ୍ରଣାରେ ଗଲା ଦିନ
ପ୍ରଭୁ ପାଦେ ନ ବଳିଲା ମନରେ….!!
ଧନ ଅରଜନେ ଧ୍ୟାନ ଦେଲୁ ସଦା
ଲୋଭରେ ହୋଇ ବିଭୋର…..
ମାତା ପିତା ପତ୍ନୀ ପୁତ୍ର ବନ୍ଧୁ ବର୍ଗ
ବାନ୍ଧିଲା ସଂସାର ଡୋର……
ବୃଦ୍ଧ କାଳ ହେଲା ଜରା ଗ୍ରାସ କଲା
ପ୍ରାଣ ପକ୍ଷୀ ଥରହରରେ ମନୁଆ
ଜୀବ ଯିବା ବେଳ ଆସି
ଯମ ଡାକେ ଦ୍ବାରେ ବସିରେ ମନୁଆ….!!
ଆସିବା ଯିବା ତ ଲାଗିଛି ମର୍ତ୍ତ୍ୟରେ
ଜୀବଟା ଯିବାର ପାଇଁ….
ଯେତେ କଲେ ଆଶା ସବୁ ତ ନିରାଶା
ଫନ୍ଦିଟି ଚଳିବ ନାହିଁ….
ଭଜ ହରି ହରି ସେ କରିବେ ପାରି
ଭବ ସାଗରୁ ଦୁର୍ଦ୍ଦଶାରେ ମନୁଆ
ପତିତ ପାବନ ଚାହିଁ
ଯାଉ ଜୀବ ମୋ ମୁକୁତି ହୋଇରେ ମନୁଆ….!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭