ତରଳ ସାମଗ୍ରୀ ବିନ୍ଦୁ ସମାହାର
ସୃଷ୍ଟି ର ମୂଳ ଆଧାର…..
ମେଘରୁ ବରଷା ହୁଏ ଉତୁପନ୍ନ
ଧରି ବିନ୍ଦୁର ଆକାର…..!!
ସେଇ ଜଳ ବିନ୍ଦୁ ହୋଇ ଏକତ୍ରିତ
ଶଇଳୁ ଝରେ ନିର୍ଝର….
ନଦୀ ମହାନଦୀ ଦେଇ ସ୍ରୋତ ବହେ
ଶେଷେ ଅସୀମ ସାଗର…..!!
ଜଳ ହିଁ ଜୀବନ ଏହି ପୃଥିବୀର
ପାନ କରି ଜଳ ବିନ୍ଦୁ…..
ଉଦ୍ଭିଦ ଜଗତ ଅବା ଜୀବଜନ୍ତୁ
ବିନ୍ଦୁ ହିଁ ସକଳ ବନ୍ଧୁ….!!
ପ୍ରତି ପ୍ରାଣୀ ଦେହେ ରକ୍ତ ମାଂସ ଅସ୍ଥି
ଜଳ ବିନ୍ଦୁ ମୁଖ୍ୟ ଭାବ….
ରଜ ବୀର୍ଯ ବିନ୍ଦୁ ହୋଇଲେ ମିଳନ
ସୃଷ୍ଟି ହୁଅଇ ସମ୍ଭବ….!!
ସୁପ୍ତ ବିନ୍ଦୁ କ୍ଷୁଦ୍ର ନଦିଶେ ନେତ୍ରକୁ
ଫୁଲେ ମଧୁ ଭରି ରହେ…..
ଅଳି ପ୍ରଜାପତି ସେ ମଧୁ ପାନରେ
ଆତ୍ମ ତୃପ୍ତି ମଣୁ ଥାଏ…. !!
ମହୁ ମାଛି ମହୁ ସଂଗ୍ରହ କରିଣ
କ୍ଷୁଦ୍ର ବିନ୍ଦୁ ମୁଖେ ଆଣି…..
ଫଣାରେ ସାଇତି ବଡ଼ କରିଥାଏ
ବୃକ୍ଷ ଡାଳେ ଦିଶେ ପୁଣି…..!!
ପୁଷ୍ପ ରେଣୁ ଅଣୁ ମାତ୍ର ବିନ୍ଦୁ ଭାବେ
ପବନରେ ଭାସୁଥାଏ…..
ପରାଗ ସଙ୍ଗମେ ଫଳ ଶସ୍ୟ ହୋଇ
ଆମକୁ ଖାଦ୍ୟ ଯୋଗାଏ….!!
ଏଣୁ ଯେ ବିନ୍ଦୁର ତତ୍ତ୍ଵ ଗୁଣ ଧର୍ମ
ବର୍ଣ୍ଣି କେ ପାରିବ କୁହ…..
ପିଣ୍ଡ ବ୍ରହ୍ମାଣ୍ଡ ରେ ସର୍ବତ୍ର ବ୍ୟାପିଛି
ସାଧୁଙ୍କୁ କରେ ବିମୋହ…..!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)