ଜିଲ୍ଲା ସ୍ତରୀୟ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ।

0 174

ମାଲକାନଗିରି,୨୧/୦୫(ପିପିଟି):ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ଜିଲ୍ଲା ସମାଜ କଲ୍ୟାଣ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ “ଶିଶୁଙ୍କ ପାଇଁ ଦିନଟିଏ” କାର୍ଯ୍ୟକ୍ରମର ତ୍ରୟମାସିକ ସମ୍ମିଳନୀ ସଫଳତାର ସହ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ, ସାମାଜିକ ସଂଗଠନ ପ୍ରତିନିଧି ଓ ଶିଶୁ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।

ବିପଦ ସଂକୁଳ ପରିସ୍ଥିତିରେ ଥିବା ଶିଶୁମାନଙ୍କ ସୁରକ୍ଷା, ବିକାଶ ଓ ବୌଦ୍ଧିକ ଉନ୍ନତି ପାଇଁ ସମସ୍ତ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ମାଲକାନଗିରି ଜିଲ୍ଲାରେ ହେଉଥିବା ବାଲ୍ୟବିବାହ, ଶିଶୁ ଶ୍ରମିକ ଓ ଶିଶୁଙ୍କ ପ୍ରତି ଯୌନ ନିର୍ଯାତନା ଭଳି ସମସ୍ୟା ଗୁଡିକୁ ପ୍ରତିହତ କରିବା ପାଇଁ ସମସ୍ତଙ୍କ ଆନ୍ତରିକ ପ୍ରୟାସର ଆବଶ୍ୟକତା ରହିଛି ବୋଲି ସେ ମତବ୍ୟକ୍ତ କରିବା ସହ ଜିଲ୍ଲାକୁ ୨୦୩୦ ସୁଦ୍ଧା ବାଲ୍ୟବିବାହ ଓ ଶିଶୁ ଶ୍ରମିକ ମୁକ୍ତ କରିବା ପାଇଁ ଆହ୍ୱାନ ଦେଇଥିଲେ। ବିଗତ ତିନି ମାସର କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ବିବରଣୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଇନ୍ଦିରା ପ୍ରଧାନ, ଜିଲ୍ଲା ସଂଯୋଜିକା ମୀନାକ୍ଷି ପ୍ରଧାନ, ରୁପେଶ ସାହୁ ଏବଂ ମଣି ମୋହନ ସରକାରଙ୍କ ଦ୍ୱାରା ଉପସ୍ଥାପିତ କରାଯାଇଥିଲା।
ଏହି ଅବସରରେ ଚଳିତ ଦଶମ ଶ୍ରେଣୀ ପରୀକ୍ଷାରେ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଶିଶୁ ଗୃହର ଅନ୍ତେବାସୀମାନଙ୍କୁ ମାନପତ୍ର ସହ ୫,୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ଏହାସହ ପିତୃମାତୃ ହୀନ ଶିଶୁଙ୍କୁ ପ୍ରମାଣପତ୍ର ଏବଂ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ୧୪ ଜଣ କିଶୋରଙ୍କୁ କର୍ମ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା।
ଜିଲ୍ଲାରେ ଶିଶୁଙ୍କ ପ୍ରତି ହେଉଥିବା ସମସ୍ତ ପ୍ରକାରର ଶୋଷଣ ଓ ନିର୍ଯାତନାକୁ ସମ୍ପୂର୍ଣ ଭାବେ ରୋକାଯିବା ସହ ଏଭଳି ଅମାନବୀୟ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ସାମାଜିକ ଚିନ୍ତାଧାରାର ପରିବର୍ତ୍ତନ ପାଇଁ ତୃଣମୂଳ ସ୍ତରରେ ସଚେତନତା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ କାର୍ଯ୍ୟପନ୍ଥା ଧାର୍ଯ୍ୟ ହୋଇଛି। ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ତରଫରୁ ସୁଦେଷ୍ଣା ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.