ବାତ୍ୟା ‘ଅର୍ଣ୍ଣବ’ର ତାଣ୍ଡବ: ଭୁଶୁଡ଼ିଲା ଗଜଲକ୍ଷ୍ମୀ ପୂଜା ତୋରଣ, ଭାଙ୍ଗିଲା ମା’ଙ୍କ ମୂର୍ତ୍ତି ।

0 102

ଭୁବନେଶ୍ୱର, ୨୮/୧୦(ପିପିଟି ):ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ରାଜଧାନୀ ଭୁବନେଶ୍ୱରର କ୍ଲବ୍ ଟାଉନ୍ ପଡ଼ିଆରେ ଉତ୍ତର ଭୁବନେଶ୍ୱର ଯୁବ ସଂଘ ପକ୍ଷରୁ ଆୟୋଜିତ ଗଜଲକ୍ଷ୍ମୀ ପୂଜା ମଣ୍ଡପର ତୋରଣ ଓ ଆଲୋକସଜ୍ଜିତ ପ୍ରବେଶଦ୍ୱାର ଭୁଶୁଡ଼ି ପଡ଼ିବା ସହ ମା’ ଲକ୍ଷ୍ମୀଙ୍କ ମୂର୍ତ୍ତି ଭାଙ୍ଗିଯାଇଛି। ଏହି ଘଟଣାରେ ପୂଜା ମଣ୍ଡପର ବ୍ୟାପକ କ୍ଷୟକ୍ଷତି ହୋଇଛି। ସେହିପରି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ରେ ମଧ୍ୟ ପ୍ରବଳ ପବନ ଯୋଗୁଁ ଗଜଲକ୍ଷ୍ମୀ ପୂଜା ତୋରଣ ଭୁଶୁଡ଼ି ରାସ୍ତା ଉପରେ ପଡ଼ିଯାଇଛି। ତୋରଣ ତଳେ ଏକ ଅଟୋ, କାର୍ ଓ ବୋଲେରୋ ଚାପି ହୋଇ ରହିଥିବାବେଳେ ଜାତୀୟ ରାଜପଥ ୨୬ରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ବାତ୍ୟାର ପ୍ରଭାବରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବାବେଳେ ରାସ୍ତା ସଫା କରିବା କାର୍ଯ୍ୟ ଜାରି ରହିଛି। ପାଣିପାଗ ସୂଚନା ଅନୁଯାୟୀ, ବାତ୍ୟା ‘ଅର୍ଣ୍ଣବ’ ବୁଧବାର ସନ୍ଧ୍ୟାରେ ମାଲକାନଗିରି ଅତିକ୍ରମ କରିବା ସମୟରେ ଦୁର୍ବଳ ହୋଇ ଅବପାତର ରୂପ ନେବାର ଆକଳନ କରାଯାଇଥିଲା। ସ୍ଥଳଭାଗ ଅତିକ୍ରମ ସମୟରେ ପବନର ବେଗ ସର୍ବାଧିକ ଘଣ୍ଟାପ୍ରତି ୧୫୦ କିଲୋମିଟର ଥିବା ସୂଚନା ଦିଆଯାଇଛି। ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଓ ପବନ ଆଶଙ୍କାରେ ଆସନ୍ତା ୨୪ ଘଣ୍ଟା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଥିବାବେଳେ କନ୍ଧମାଳ, ବଲାଙ୍ଗିର, ନୂଆପଡ଼ା, ସୋନପୁର, ବରଗଡ଼, ବୌଦ୍ଧ, କଳାହାଣ୍ଡି, ନୟାଗଡ଼, ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଥିଲା। ଅଞ୍ଚଳରେ ବର୍ଷା ଓ ପବନ ଜାରି ରହିଥିବାରୁ ଜନସାଧାରଣଙ୍କୁ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.