ହାଇକୋର୍ଟଙ୍କ ବଡ଼ ରାୟ, ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରକ୍ରିୟା ରଦ୍ଦ ।

0 46

କଟକ,୨୮/୧୦(ପିପିଟି): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ତିଖିରି ଗ୍ରାମ ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ଓଡ଼ିଶା ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ଆରମ୍ଭ ହୋଇଥିବା ଅନାସ୍ଥା ପ୍ରସ୍ତାବ ପ୍ରକ୍ରିୟାକୁ ଅବୈଧ ଦର୍ଶାଇ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି। ବିଚାରପତି ଜଷ୍ଟିସ୍ ସଞ୍ଜୟ କୁମାର ମିଶ୍ର ବୁଧବାର ଏହି ମାମଲାର ରାୟ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ତିଖିରି ପଞ୍ଚାୟତର ମୋଟ ୨୨ ଜଣ ୱାର୍ଡ ସଦସ୍ୟଙ୍କ ମଧ୍ୟରୁ ୨୧ ଜଣ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଗତ ଜୁଲାଇ ୨୭ ତାରିଖରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ସେପ୍ଟେମ୍ବର ୧୩ରେ ଭୋଟ୍ ଗ୍ରହଣ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ତେବେ ଆଇନ ଅନୁଯାୟୀ ଆବଶ୍ୟକ ପ୍ରକ୍ରିୟା ପାଳନ କରାଯାଇ ନଥିବା ଅଭିଯୋଗ କରି ଚାମେଲି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଧାରା ୨୪ ଅନୁଯାୟୀ, ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଭୋଟ୍ ପୂର୍ବରୁ ଆଇନରେ ନିର୍ଦ୍ଧାରିତ ନିୟମ ପାଳନ ସହ ଆବଶ୍ୟକ ନୋଟିସ୍, ପ୍ରସ୍ତାବ ଓ ରିକ୍ୱିଜିସନ୍ର ନକଲ ପ୍ରଦାନ କରିବା ଏବଂ ନିର୍ଦ୍ଧାରିତ ୧୫ ଦିନର ନୋଟିସ୍ ଅବଧି ଦେବା ଆବଶ୍ୟକ। କିନ୍ତୁ ଚାମେଲିଙ୍କୁ ପ୍ରସ୍ତାବ ଓ ରିକ୍ୱିଜିସନ୍ର ନକଲ ଦିଆଯାଇ ନଥିବାବେଳେ କେବଳ ତାଙ୍କ ବାପାଙ୍କୁ ନୋଟିସ୍ ହସ୍ତାନ୍ତର କରାଯାଇଥିଲା ଏବଂ ଅନ୍ୟ ଏକ ନକଲ ଡାକ ଯୋଗେ ପଠାଯାଇଥିଲା ବୋଲି ତାଙ୍କ ଓକିଲ ଯୁକ୍ତି ଦର୍ଶାଇଥିଲେ। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ହାଇକୋର୍ଟ ଚାମେଲିଙ୍କ ସପକ୍ଷରେ ରାୟ ଦେଇ ସମଗ୍ର ଅନାସ୍ଥା ପ୍ରକ୍ରିୟାକୁ ରଦ୍ଦ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ଜୁନ୍ ୧୧ ତାରିଖରେ ମହାକାଳପଡ଼ା ବିଡିଓ କାର୍ଯ୍ୟାଳୟରେ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ହୋଇଥିବା ବିବାଦ ପରେ ଚାମେଲି ଓଝା ଚର୍ଚ୍ଚାକୁ ଆସିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ଗିରଫଦାରୀ ଏବଂ ପୁଲିସ ହେପାଜତରେ ମାଡ଼ ମରାଯାଇଥିବା ଅଭିଯୋଗକୁ ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା। ହାଇକୋର୍ଟଙ୍କ ଏହି ରାୟ ଫଳରେ ତାଙ୍କ ବିରୋଧରେ ଚାଲିଥିବା ଅନାସ୍ଥା ପ୍ରକ୍ରିୟା ବାତିଲ ହୋଇଛି।

Leave A Reply

Your email address will not be published.