କେ. ବରିଡ଼ାରେ କେବେ ନିଯୁକ୍ତ ହେବେ ନୂଆ ସମ୍ପାଦକ?

0 4

ବେଗୁନିଆପଡା,୧୭/୦୯(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କେ. ବରିଡ଼ା ସେବା ସମବାୟ ସମିତିରେ ଖାଲି ପଡ଼ିଥିବା ସମ୍ପାଦକ ପଦବୀରେ ଏପର୍ଯ୍ୟନ୍ତ ନୂତନ ନିଯୁକ୍ତି ହୋଇନଥିବାରୁ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପୂର୍ବରୁ ଦାୟିତ୍ୱରେ ଥିବା ସମ୍ପାଦକ ଅବସର ନେବା ପରେ ଏହି ପଦବୀ ଖାଲି ରହିଛି। ବର୍ତ୍ତମାନ ବେଗୁନିଆପଡ଼ା ସେବା ସମବାୟ ସମିତିର ସମ୍ପାଦକଙ୍କୁ କେ. ବରିଡ଼ା ସେବା ସମବାୟ ସମିତିର ମଧ୍ୟ ଦାୟିତ୍ୱ ଦିଆଯାଇଛି। ଫଳରେ ଜଣେ ବ୍ୟକ୍ତିଙ୍କ ଉପରେ ଦୁଇଟି ସମିତିର ଦାୟିତ୍ୱ ରହିଥିବାରୁ କାର୍ଯ୍ୟଚାପ ବଢ଼ୁଥିବା କୁହାଯାଉଛି। ଅନ୍ୟପଟେ କେ. ବରିଡ଼ା ସେବା ସମବାୟ ସମିତିର ନିଜସ୍ୱ କୋଠା ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏହି କାରଣରୁ ବର୍ତ୍ତମାନ ଭଡ଼ା ଘରେ ସମିତିର କାର୍ଯ୍ୟାଳୟ ଚାଲୁଥିବା କୁହାଯାଉଛି। କେ. ବରିଡ଼ା ସେବା ସମବାୟ ସମିତି ଅଧୀନରେ ବରିଡ଼ା, ବିରିବାଟିଆ, ବି. ନୂଆପଲ୍ଲୀ, ନିମିନା, ପିହାଣିଆ ଆଦି ଗ୍ରାମ ରହିଛି। ନୂତନ ସମ୍ପାଦକ ନିଯୁକ୍ତି ସମ୍ପର୍କରେ ବେଗୁନିଆପଡ଼ା ସମବାୟ ବ୍ୟାଙ୍କ ଶାଖା ପରିଚାଳକଙ୍କ ସହ ଯୋଗାଯୋଗ କରାଯାଇଥିଲା। ଏନେଇ ଶାଖା ପରିଚାଳକ କହିଥିଲେ, “ନିଯୁକ୍ତି ବିଷୟରେ ମୁଁ କିଛି କରିପାରିବି ନାହିଁ। ଆପଣ DRCSଙ୍କ ସହ କଥା ହୁଅନ୍ତୁ।”ତେବେ ଏହି ପ୍ରସଙ୍ଗରେ DRCSଙ୍କ ସହ ଯୋଗାଯୋଗ କରିବା ସମ୍ଭବପର ହୋଇପାରିନି। ଜଣେ ସମ୍ପାଦକଙ୍କୁ ଦୁଇଟି ସମବାୟ ସମିତିର ଦାୟିତ୍ୱ ଦେଇ ରଖାଯାଇଥିବା ବେଳେ କେ. ବରିଡ଼ା ପାଇଁ ନୂତନ ସମ୍ପାଦକ ନିଯୁକ୍ତି କାହିଁକି ହେଉନାହିଁ ? ତାହାକୁ ନେଇ ଚାଷୀଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.