ମାଲକାନଗିରି ଜିଲ୍ଲା ଷ୍ଟାଡିୟମରେ ସିଏମ୍ ଟ୍ରଫିର ମହାକୁମ୍ଭ ।

0 88

ମାଲକାନଗିରି,୨୦/୦୪(ପିପିଟି):ଓଡ଼ିଶାର କ୍ରୀଡ଼ା ମାନଚିତ୍ରରେ ମାଲକାନଗିରିର ଯୁବପିଢ଼ିଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବା ଲକ୍ଷ୍ୟରେ ଆଜି ସ୍ଥାନୀୟ ଜିଲ୍ଲା ଷ୍ଟାଡିୟମ୍ ପରିସରରେ ଜିଲ୍ଲା ସ୍ତରୀୟ ସିଏମ୍ ଟ୍ରଫି କ୍ରୀଡ଼ା ପ୍ରତିଯୋଗିତା ଅତ୍ୟନ୍ତ ଭବ୍ୟ ଓ ଆଡ଼ମ୍ବରପୂର୍ଣ୍ଣ ଭାବେ ଉଦଘାଟିତ ହୋଇଯାଇଛି। ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ ଏବଂ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି କ୍ରୀଡ଼ା ମହୋତ୍ସବର ଶୁଭାରମ୍ଭ କରିଥିଲେ। ଷ୍ଟାଡିୟମରେ ଶତାଧିକ କ୍ରୀଡ଼ାବିତ୍‌ଙ୍କ ମାର୍ଚ୍ଚ-ପାଷ୍ଟ ଓ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶକୁ ବେଶ୍ ଉତ୍ସବମୁଖର କରିଥିଲା।
ଏହି ଅବସରରେ ଉଦ୍‌ବୋଧନ ଦେଇ ବିଧାୟକ କହିଥିଲେ ଯେ, ଆମ ମାଲକାନଗିରିର ମାଟିରେ ଅନେକ ପ୍ରତିଭା ଲୁଚି ରହିଛନ୍ତି। ସିଏମ୍ ଟ୍ରଫି କେବଳ ଏକ ଖେଳ ନୁହେଁ, ବରଂ ଏହା ଉପାନ୍ତ ଅଞ୍ଚଳର ଯୁବପିଢ଼ିଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ଏକ ମଜଭୁତ ସେତୁ। ସରକାରଙ୍କ ଏହି ଅଭିନବ ପ୍ରୟାସ ଫଳରେ ପିଲାମାନେ ଖେଳ ମାଧ୍ୟମରେ ନିଜର ଭବିଷ୍ୟତ ଗଢ଼ିପାରିବେ।ସେହିପରି ଜିଲ୍ଲାପାଳ କ୍ରୀଡ଼ାବିତ୍‌ଙ୍କୁ ଉତ୍ସାହିତ କରି କହିଥିଲେ, କ୍ରୀଡ଼ା ଆମକୁ ଶୃଙ୍ଖଳା, ଧୈର୍ଯ୍ୟ ଏବଂ ସହଭାଗିତା ଶିଖାଏ। ଜିଲ୍ଲାର ପ୍ରତିଟି ବ୍ଲକରୁ ଆସିଥିବା ଖେଳାଳିମାନେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରନ୍ତୁ ଏବଂ ହାର୍-ଜିତ୍‌କୁ ଭୁଲି କ୍ରୀଡ଼ା ମନୋଭାବ ସହ ଖେଳନ୍ତୁ। ଜିଲ୍ଲା ପ୍ରଶାସନ ପକ୍ଷରୁ ଖେଳାଳିମାନଙ୍କୁ ସମସ୍ତ ପ୍ରକାର ଆନୁଷଙ୍ଗିକ ସୁବିଧା ଓ ଉନ୍ନତମାନର ପ୍ରଶିକ୍ଷଣ ଯୋଗାଇ ଦେବାକୁ ଆମେ ସଂକଳ୍ପବଦ୍ଧ।ଏହି ପ୍ରତିଯୋଗିତାରେ ଜିଲ୍ଲାର କୋରକୁଣ୍ଡା, ମାଥିଲି, ଚିତ୍ରକୋଣ୍ଡା, ପଡ଼ିଆ ଭଳି ସମସ୍ତ ବ୍ଲକରୁ ଆସିଥିବା ଶତାଧିକ ଛାତ୍ରଛାତ୍ରୀ ଓ ଯୁବ କ୍ରୀଡ଼ାବିତ୍ ଭାଗ ନେଇଛନ୍ତି। ଫୁଟବଲ୍, ଭଲିବଲ୍, ଖୋ-ଖୋ ଓ କବାଡି ଭଳି ଲୋକପ୍ରିୟ ଖେଳରେ ଖେଳାଳିମାନେ ନିଜର ଜଲୱା ଦେଖାଉଛନ୍ତି। ଖେଳାଳିମାନଙ୍କ ସୁବିଧା ପାଇଁ ଷ୍ଟାଡିୟମ୍ ପରିସରରେ ବିଶ୍ରାମ କକ୍ଷ, ପାନୀୟ ଜଳ ଏବଂ ପ୍ରାଥମିକ ଚିକିତ୍ସା ଶିବିର ମଧ୍ୟ ସ୍ଥାପନ କରାଯାଇଛି।
କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍, ବନଖଣ୍ଡ ଅଧିକାରୀ ସାଇ କିରଣ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ, ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ଜିଲ୍ଲା କ୍ରୀଡ଼ା ଅଧିକାରୀ ମୁନା ତୁରୁକ୍ ଏବଂ ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ରହି ଖେଳାଳିମାନଙ୍କ ପ୍ରଦର୍ଶନକୁ ଉପଭୋଗ କରିବା ସହ ସେମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଜିଲ୍ଲା କ୍ରୀଡ଼ା ବିଭାଗ ସହଯୋଗରେ ଜିଲ୍ଲା ଆଥଲେଟିକ୍ ସଂଘ୍ ଏହାକୁ ଆୟୋଜନ କରିଛି। ଜିଲ୍ଲା ଆଥଲେଟିକ୍ ସଂଘ୍ ର ସଭାପତି, ସଂପାଦକ ଙ୍କ ସମେତ ସମସ୍ତ କ୍ରୀଡ଼ା ବିଭାଗ ର କର୍ମଚାରୀ ଉପସ୍ଥିତ ଥିଲେ।ଆଗାମୀ କିଛି ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରୁ ଶ୍ରେଷ୍ଠ ଖେଳାଳିମାନଙ୍କୁ ଚୟନ କରାଯାଇ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରଶିକ୍ଷଣ ଦିଆଯିବ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.