ପୁରୁଣା ଚିମିଟାପାଲ୍ଲୀରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ।

0 93

ମାଲକାନଗିରି,୨୦/୦୪(ପିପିଟି):ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଙ୍କ ନିର୍ଦ୍ଦେଶକ୍ରମେ କୋରକୁଣ୍ଡା ବ୍ଲକ ଅନ୍ତର୍ଗତ ଓଲ୍ଡ ଚିମିଟାପାଲ୍ଲୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ବିଶାଳ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଓ ସହାୟତା ପ୍ରଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ (ସିଡିଓ) ଦାଶରଥି ସରାବୁ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଗୁରୁତର ସମସ୍ୟାର ଶୁଣାଣି କରିଥିଲେ। ସରକାରୀ ସେବାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ ଅସହାୟଙ୍କୁ ତୁରନ୍ତ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ଏଠାରେ ବିଭିନ୍ନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର କ୍ୟାମ୍ପ ବା ଷ୍ଟଲ୍ ମାନ ସ୍ଥାପନ କରାଯାଇଥିଲା। ଏହି କ୍ୟାମ୍ପଗୁଡ଼ିକ ମାଧ୍ୟମରେ ଦରିଦ୍ର ଓ ନିଷ୍ପେଷିତ ଲୋକଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସହାୟତା ରାଶି ଓ ସାମଗ୍ରୀ ବଣ୍ଟନ କରାଯାଇଥିଲା।
ଏହି ଶିବିରରେ ମୋଟ ୫୪ଟି ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିଲା। ଗ୍ରାମବାସୀମାନେ ମୁଖ୍ୟତଃ ଚାଷ ଜମିରେ ଜଳସେଚନର ଅଭାବ, ଗ୍ରାମାଞ୍ଚଳରେ ଅଧାପନ୍ତରିଆ ହୋଇ ପଡ଼ିଥିବା ରାସ୍ତାଘାଟ ନିର୍ମାଣ, ପାନୀୟ ଜଳ ସଂକଟ, ଅଙ୍ଗନବାଡ଼ି କେନ୍ଦ୍ରରେ ଖାଦ୍ୟ ବଣ୍ଟନରେ ଅନିୟମିତତା ଏବଂ ବିଦ୍ୟୁତ ବିଭାଗର ଅହେତୁକ ବିଲ୍ ପ୍ରଦାନ ଭଳି ଜଟିଳ ସମସ୍ୟା ଉପରେ ସିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିସହିତ ବହୁ ଯୋଗ୍ୟ ହିତାଧିକାରୀ ନୂତନ ରାସନ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା ଏବଂ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ଆବେଦନ କରିଥିଲେ। ସିଡିଓ ସମସ୍ତ ଅଭିଯୋଗକୁ ଗମ୍ଭୀରତାର ସହ ଶୁଣିବା ସହ କେତେକ ସମସ୍ୟାର ତୁରନ୍ତ ସମାଧାନ କରିଥିଲେ ଏବଂ ଅବଶିଷ୍ଟ ମାମଲାଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସମାଧାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କୋରକୁଣ୍ଡା ବ୍ଲକ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ପଦାଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ସେବା କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.