ଆନ୍ଧ୍ର ଉପକୂଳରେ ବାତ୍ୟା ‘ମୁରାସୁ’ର ସ୍ଥଳଭାଗ ସ୍ପର୍ଶ, ଓଡ଼ିଶାର ୬ ଜିଲ୍ଲାକୁ ବର୍ଷା ଭୟ; ନଭେମ୍ବର ୮ରୁ ବଢ଼ିବ ଶୀତ ।

0 17

ଭୁବନେଶ୍ୱର,୦୩/୧୧(ପିପିଟି): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ‘ମୁରାସୁ’ ସୋମବାର ଭୋର ସମୟରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିଛି। ଓଙ୍ଗୋଲ୍ ନିକଟରେ ନେଲ୍ଲୋର ଓ ନରସାପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ବାତ୍ୟାଟି ସ୍ଥଳଭାଗ ଛୁଇଁଥିଲା। ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ପ୍ରାୟ ୮ କିଲୋମିଟର ବେଗରେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିଥିଲା ଏହି ସାମୁଦ୍ରିକ ଝଡ଼। ସ୍ଥଳଭାଗ ଅତିକ୍ରମ ପରେ ଦକ୍ଷିଣ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ଜାରି ରହିଛି। ବାତ୍ୟାଟି ଆଗକୁ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଏହାର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଓ ପଶ୍ଚିମ ଭାଗରେ ବର୍ଷା ହେବାର ଆଶଙ୍କା ରହିଛି।

ପାଣିପାଗ ଆକଳନ ଅନୁଯାୟୀ, କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡ଼ା ଆଦି ୬ଟି ଜିଲ୍ଲାରେ ବାତ୍ୟାର ପ୍ରଭାବ ଅନୁଭୂତ ହେବ। ବିଶେଷକରି କୋରାପୁଟ ଓ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ସହ ଅଳ୍ପ କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ। ସ୍ଥଳଭାଗ ସହ ସଂସ୍ପର୍ଶ, ଥଣ୍ଡା ଓ ଶୁଷ୍କ ବାୟୁର ପ୍ରଭାବ ଏବଂ ପୂର୍ବଘାଟ ପର୍ବତମାଳାର ଭୌଗୋଳିକ ପ୍ରଭାବ ଯୋଗୁଁ ବାତ୍ୟାଟି ଧୀରେ ଧୀରେ ଦୁର୍ବଳ ହେବ। ଏହା ପଶ୍ଚିମ ଦିଗରେ ତେଲେଙ୍ଗାନା ଆଡ଼କୁ ଗତି କରିବା ଫଳରେ ସୋମବାର ଏବଂ ମଙ୍ଗଳବାର ପୂର୍ବାହ୍ନ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷାର ପ୍ରଭାବ ରହିପାରେ। ଏହାପରେ ବର୍ଷାର ପ୍ରଭାବ ହ୍ରାସ ପାଇବ। ପାଣିପାଗ ମଡେଲ୍ର ଆକଳନ ଅନୁସାରେ, ଆଗାମୀ ୧୦ ଦିନ ମଧ୍ୟରେ ଓଡ଼ିଶାକୁ ପ୍ରଭାବିତ କରିବା ଭଳି ଆଉ କୌଣସି ନୂଆ ପାଣିପାଗ ସିଷ୍ଟମ୍ ସୃଷ୍ଟି ହେବାର ସମ୍ଭାବନା ନାହିଁ।

ବାତ୍ୟାର ପ୍ରଭାବ ହ୍ରାସ ପାଇବା ପରେ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ କମିବ। ଫଳରେ ରାଜ୍ୟରେ ଶୀତର ପ୍ରକୋପ ଧୀରେ ଧୀରେ ବଢ଼ିବା ସମ୍ଭାବନା ରହିଛି। ପାଣିପାଗ ମଡେଲ୍ ଅନୁଯାୟୀ, ନଭେମ୍ବର ୮ ଓ ୯ ତାରିଖରୁ ରାଜ୍ୟରେ ଶୀତ ବଢ଼ିବା ସହ ରାତିର ତାପମାତ୍ରାରେ ଉଲ୍ଲେଖନୀୟ ହ୍ରାସ ଘଟିପାରେ ବୋଲି ସୋଆର ସେଣ୍ଟର ଫର୍ ଏନଭାୟରନମେଣ୍ଟ ଆଣ୍ଡ କ୍ଲାଇମେଟ୍ (ସିଇସି) ମୁଖ୍ୟ କହିଛନ୍ତି।

Leave A Reply

Your email address will not be published.