ବାଲିଗୁଡା,୧୪/୦୪(ପିପିଟି): ଓଡିଶା ର ସର୍ବ ବୃହତ୍ତମ ଉପଖଣ୍ଡ କହିଲେ କନ୍ଧମାଳ ଜିଲ୍ଲା ବାଲିଗୁଡା କୁ ହିଁ ବୁଝାଏ, ହେଲେ ଏଠାରେ ସବୁ କିଛି ଅଭାବ ଅସୁବିଧା ଓ ଅବ୍ୟବସ୍ଥା ଦେଇ ଗତି କରୁଛି l ସେ ଭିତରେ ବାଲିଗୁଡା ଠାରୁ ସମ୍ବଲପୁର ଯିବାକୁ ସାଧାସଳଖ ସରକାରୀ ବସ୍ ଚଳାଚଳ ନଥିବାରୁ ଅଞ୍ଚଳବାସୀ ଅସୁବିଧା ଭୋଗୁଛନ୍ତି । ଏ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତଥା ସ୍ଥାନୀୟ ବିଧାୟକଙ୍କୁ ମୌଖିକ ଓ ଲିଖିତ ଭାବେ ଜଣାଇଥିଲେ ହେଁ ଅଦ୍ୟାବଧି ସୁଦ୍ଧା କୌଣସି ଭାବେ ବିହିତ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ଅଞ୍ଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ପରେ ପୁନଃରାୟ ଅବଗତ କରାଯାଇଛି l ସୂଚନା ଯୋଗ୍ୟ ଯେ, ବାଲିଗୁଡା, ବାରଖମା, ସୁଡୁରା, ଲଣ୍ଡାଗାଁ, କଣ୍ଟାମାଳ ଦେଇ ସମ୍ବଲପୁର ପ୍ରାୟ ୧୮୦ କିମି । ଏହି ରୁଟ ରେ ବସ୍ ଚଳାଚଳ ହେଲେ ବୁର୍ଲା ମେଡିକାଲ କଲେଜକୁ ସିଧାସଳଖ ଯାତ୍ରା କରିହେବ । ବାଲିଗୁଡା ତଥା ଆଖପାଖ ଅଞ୍ଚଳର ଅଧିକାଂଶ ଛାତ୍ରଛାତ୍ରୀ ବୁର୍ଲା ମେଡିକାଲ ସହ ଅନେକ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। ବାଲିଗୁଡା, ସମେତ କ.ନୂଆଗାଁ, ରାଇକିଆ, ଦାରିଙ୍ଗବାଡି, ତୁମୁଡିବନ୍ଧ ଆଦି ବ୍ଳକର ଶତାଧୂକ ଛାତ୍ରଛାତ୍ରୀ ସମ୍ବଲପୁର ଏବଂ ଝାରସୁଗୁଡାର ବିଭିନ୍ନ ବିଦ୍ୟାଳୟ , ୟୁନିଭରସିଟି ଓ ଅନ୍ୟ ଅନୁଷ୍ଠାନରେ ପଢୁଛନ୍ତି । ସମ୍ବଲପୁରକୁ ସିଧାସଳଖ ଗାଡି ନଥୁବାରୁ ଅଧୂକ ଖର୍ଚ୍ଚାନ୍ତର ଶିକାର ହେଉଛନ୍ତି । ବୁର୍ଲା ଡାକ୍ତରଖାନାକୁ ମଧ୍ଯ ଅନେକ ଲୋକ ଚିକିତ୍ସା ପାଇଁ ଯାଇଥାନ୍ତି । ବାଲିଗୁଡା ଠାରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ଆପେକ୍ଷା ବୁର୍ଲା ଡାକ୍ତରଖାନା ନିକଟତର ହେବ ବୋଲି ବାଲିଗୁଡା ବିଧାୟକଙ୍କ ନିକଟରେ କିଛି ସଂଘ ଏବଂ ବୁଦ୍ଧିଜୀବୀ ଲିଖୁତ ଜଣାଇଛନ୍ତି । ଏ ସମ୍ପର୍କ ରେ ବିଧାୟକ ଚକ୍ରମଣି କହଁର ବାଲିଗୁଡା ଠାରୁ ସମ୍ବଲପୁର ସିଧା ସଳଖ ବସ୍ ଚଳାଚଳ ନେଇ ପରିବହନ ମନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି।
ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ