ପ୍ରଦୂଷଣ ବୋର୍ଡର କଟକଣାକୁ ‘ରି-ସଷ୍ଟେନେବିଲିଟି’ର ଖୋଲା ଉଲ୍ଲଙ୍ଘନ ।

0 213

ଯାଜପୁର ୧୧/୦୯ (ପିପିଟି): ପ୍ରାଧିକରଣ ଅନୁମୋଦନ କିମ୍ବା ବୈଧ ପ୍ରମାଣପତ୍ର ନାହିଁ; ଏହା ସତ୍ତ୍ୱେ ୬ ମାସ ହେଲା ଚାଲିଛି ଓଡ଼ିଶାର ଏକମାତ୍ର ବିପଜ୍ଜନକ ବର୍ଜ୍ୟ ପରିଚାଳନା ପ୍ରକଳ୍ପ ।

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କଟକଣା ସତ୍ତ୍ୱେ ସୁକିନ୍ଦା କଞ୍ଚିଚୁଆସ୍ଥିତ ‘ରି-ସଷ୍ଟେନେବିଲିଟି ଲିମିଟେଡ଼’ ପକ୍ଷରୁ ନିୟମକୁ ଖୋଲାଖୋଲି ଉଲଂଘନ କରାଯାଇ ବିଭିନ୍ନ କାରଖାନାରୁ ବିପଜ୍ଜନକ ବର୍ଜ୍ୟବସ୍ତୁ ସଂଗ୍ରହ ଓ ପରିବହନ ଜାରି ରହିବା ଗମ୍ଭୀର ଚିନ୍ତାର କାରଣ ପାଲଟିଛି। ବୋର୍ଡ ସୂଚନା ଅନୁସାରେ, ଏହି ସଂସ୍ଥା ପାଖରେ ସିଟିଓ (କନସେଣ୍ଟ ଟୁ ଅପରେଟ୍) ଥିଲେ ସୁଦ୍ଧା ସିଟିଇ (କନସେଣ୍ଟ ଟୁ ଏଷ୍ଟାବ୍ଲିସ୍) ଏଯାବତ୍ ଅନୁମୋଦିତ ହୋଇନାହିଁ। ଏତେ ଅବ୍ୟବସ୍ଥା ସତ୍ତ୍ବେ ଏହି ସଂସ୍ଥା ଗତ ୬ ମାସ ଧରି କିଭଳି କାର୍ଯ୍ୟକ୍ଷମ ରହିଛି, ତାହା ଆଶ୍ଚର୍ଯ୍ୟର ବିଷୟ । ପୂର୍ବରୁ ‘ରାମକୀ’ ନାମରେ ପରିଚିତ ଏହି ସଂସ୍ଥା ପ୍ରାୟ ୭୦ ଏକର ପରିମିତ ଜମିରେ ୨୦୧୦-୧୧ ଆର୍ଥିକ ବର୍ଷରୁ କାର୍ଯ୍ୟକ୍ଷମ ରହିଛି। ଏହା ରାଜ୍ୟର ବିଭିନ୍ନ ଶିଳ୍ପାନୁଷ୍ଠାନ, ଡାକ୍ତରଖାନା ଓ ରାସାୟନିକ କାରଖାନାରୁ ବିପଜ୍ଜନକ ବର୍ଜ୍ୟ ସଂଗ୍ରହ, ସଂରକ୍ଷଣ ତଥା ନିଷ୍କାସନ କରିଆସୁଛି । ନିୟମ ଅନୁଯାୟୀ,ଏହି ପ୍ରକଳ୍ପର ବାର୍ଷିକ ୬୦ ହଜାର ଟନ୍‌ ଶିଳ୍ପ ବର୍ଜ୍ୟ, ୬୩, ୩୦୦ ଟନ୍ ବିପଜ୍ଜନକ ବର୍ଜ୍ୟ, ୨୪, ୬୦୦ ଟନ୍ ଲ୍ୟାଣ୍ଡଫିଲ୍ ଏବଂ ୮, ୧୦୦ ଟନ୍‌ ଦହନଯୋଗ୍ୟ ବର୍ଜ୍ୟ ନିଷ୍କାସନ କରିବାର କ୍ଷମତା ରହିଛି। ତେବେ ବୈଧ ପ୍ରାଧିକରଣ ଏବଂ ସଡ଼କ ପରିବହନ ଅନୁମତି ନ ଥାଇ ମଧ୍ୟ ସଂସ୍ଥା କିପରି ବିଭିନ୍ନ କାରଖାନାରୁ ବିପଜ୍ଜନକ ବର୍ଜ୍ୟବସ୍ତୁ ଆଣି ପରିଚାଳନା କରୁଛି, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜ୍ୟର ଏହା ଏକମାତ୍ର ସଂସ୍ଥା ହୋଇଥିବାବେଳେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହାର କାର୍ଯ୍ୟ ତଦାରଖ କରିଥାଏ । ଗତ ୬ ମାସ ତଳେ ସମ୍ପୃକ୍ତ ସଂସ୍ଥା ଚଳାଇ ଆସୁଥିବା ବର୍ଜ୍ୟ ସଂରକ୍ଷଣ ଓ ନିଷ୍କାସନ ପ୍ରକ୍ରିୟାରେ ଗୁରୁତର ତ୍ରୁଟି ଥିବା ଅଭିଯୋଗ ହୋଇଥିଲା। ପରେ ଏହାକୁ କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ତନ୍ନତନ୍ତ୍ର କରି ୪ଥର ଯାଞ୍ଚ କରାଯାଇଥିଲା। ଗୁରୁତର ତ୍ରୁଟି ସ୍ପଷ୍ଟ ହେବା ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ବୈଷୟିକ ଦଳ ମଧ୍ୟ ବ୍ୟବସ୍ଥାର ଯାଞ୍ଚ କରିଥିଲେ। ସଂସ୍ଥା ପରିସରରେ ବର୍ଜ୍ୟ ପରିଚାଳନା ବିପଦଯୁକ୍ତ ହୋଇଥିବାରୁ ଏହାର ପ୍ରାଧିକରଣକୁ ସେବେଠାରୁ ବନ୍ଦ ରଖାଯାଇଛି। ଏହାପରେ ସଂସ୍ଥା ଆଦୌ ବର୍ଜ୍ୟ ପରିଚାଳନା କରିବା କଥା ନୁହେଁ। ମାତ୍ର ଏହି ସଂସ୍ଥା ସେବେଠାରୁ ବିଭିନ୍ନ ଶିଳ୍ପ ସଂସ୍ଥା, ମେଡିକାଲ, କେମିକାଲ ପ୍ଲାଣ୍ଟ ଓ ଅନ୍ୟାନ୍ୟ ବିପଜ୍ଜନକ ବର୍ଜ୍ୟ ସଂଗ୍ରହ କରି ନିଜ ପରିସରରେ ପରିଚାଳନା କରି ଚାଲିଛି । ଗତ ଅଗଷ୍ଟ ୨୪ ତାରିଖରେ ସୁକିନ୍ଦା ପୁଲିସ ଏହି ସଂସ୍ଥାର ଦୁଇଟି ବର୍ଜ୍ୟ ବୋଝେଇ ଟ୍ରକ୍ ଜବତ କରିଥିଲେ ହେଁ ପରିଚାଳନା ବନ୍ଦ ହୋଇପାରିନାହିଁ। ଏ ସମ୍ପର୍କରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ମଦନ ମୋହନ ସାହୁ କହିଛନ୍ତି ଯେ, ସମ୍ପୃକ୍ତ ସଂସ୍ଥାର ବୈଧ ଅଥରାଇଜେସନ୍ ନାହିଁ ଏବଂ ନିୟମ ଉଲଂଘନ କରୁଥିବାରୁ ଏହାର ବର୍ଜ୍ୟ ପରିଚାଳନା କାର୍ଯ୍ୟ ଖୁବ୍‌ଶୀଘ୍ର ସମ୍ପୂର୍ଣ୍ଣ ବନ୍ଦ କରାଯିବ।

Leave A Reply

Your email address will not be published.