ମାଲକାନଗିରି,୦୩/୧୦(ପିପିଟି): ମାଲକାନଗିରି ଜିଲ୍ଲାରେ ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର)-୨୦୨୬ ପ୍ରକ୍ରିୟା ସଫଳତାର ସହ ସମାପ୍ତ ହୋଇଥିବା ପରିପ୍ରେକ୍ଷୀରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ପ୍ରେସ ନୋଟ ଜାରି କରାଯାଇଛି। ଏହି ନୂତନ ନିୟମାନୁଯାୟୀ, ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ କରିବା ପାଇଁ ଆବେଦନ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଯଥେଷ୍ଟ ସରଳ ଓ ସୁଗମ କରାଯାଇଛି।
ଏସଆଇଆର ସମୟରେ ଯଦି କୌଣସି ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରୁ ବାଦ ପଡ଼ିଥାଏ, ତେବେ ପୁନର୍ବାର ନାମ ଯୋଡ଼ିବା ପାଇଁ ଫର୍ମ-୬ ଦାଖଲ କରିବା ବେଳେ ୨୦୦୨ ମସିହାର ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ କିମ୍ବା ଆବେଦନକାରୀଙ୍କ ପିତାମାତା, ଜେଜେବାପା/ଜେଜେମାଆଙ୍କ ନାମ ୨୦୦୨ ତାଲିକାରେ ଥିଲା କି ନାହିଁ ସେ ନେଇ କୌଣସି ପ୍ରମାଣ ଦେବାକୁ ପଡ଼ିବ ନାହିଁ। ଭାରତ ନିର୍ବାଚନ ଆୟୋଗ (ଇସିଆଇ) ଫର୍ମ-୬ରୁ ଏହି ଅତିରିକ୍ତ ଘୋଷଣାନାମାକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦେଇଛନ୍ତି, ଯାହାଦ୍ୱାରା ଯୋଗ୍ୟ ନାଗରିକମାନେ କୌଣସି ଅତିରିକ୍ତ ଶପଥପତ୍ର ବିନା ସାଧାରଣ ପ୍ରକ୍ରିୟାରେ ନିଜର ଆବେଦନ କରିପାରିବେ।
ତେବେ କେବଳ ଫର୍ମ-୬ ଦାଖଲ କରିଦେଲେ ସ୍ବତଃସ୍ଫୂର୍ତ୍ତ ଭାବେ ନାମ ସାମିଲ ହେବ ନାହିଁ। ନିର୍ବାଚନ କର୍ତ୍ତୃପକ୍ଷ ଆବେଦନକାରୀଙ୍କ ଯୋଗ୍ୟତା ଏବଂ ଦାଖଲ କରାଯାଇଥିବା ଦସ୍ତାବିଜଗୁଡ଼ିକର କଠୋର ଯାଞ୍ଚ କରିବା ପରେ ହିଁ ନାମ ଅନ୍ତର୍ଭୁକ୍ତି ସମ୍ବନ୍ଧରେ ଅନ୍ତିମ ନିଷ୍ପତ୍ତି ନେବେ। ଯେଉଁ ଯୋଗ୍ୟ ନାଗରିକଙ୍କ ନାମ ବର୍ତ୍ତମାନର ଭୋଟର ତାଲିକାରେ ନାହିଁ, ସେମାନେ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସରଣ କରି ଆବେଦନ କରିପାରିବେ। ଏକ ନିର୍ଭୁଲ, ସ୍ବଚ୍ଛ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ କରିବା ସହ ସମସ୍ତ ଯୋଗ୍ୟ ନାଗରିକଙ୍କୁ ଭୋଟର ଭାବେ ପଞ୍ଜୀକରଣର ସୁଯୋଗ ଦେବା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରାଯାଇଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)