ଯାଜପୁର ଗସ୍ତରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

0 218

ଯାଜପୁର, ୧୧/୦୯(ପିପିଟି ):ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଶୁକ୍ରବାର ଯାଜପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ଖାଦ୍ୟ ଯୋଗାଣ ବ୍ୟବସ୍ଥା ସହ ବନ୍ୟା ପରିସ୍ଥିତିରେ ପ୍ରଭାବିତ ଲୋକଙ୍କୁ ଯୋଗାଇ ଦିଆଯାଇଥିବା ରିଲିଫ୍ ସାମଗ୍ରୀ ସମ୍ପର୍କରେ ସମୀକ୍ଷା କରିଛନ୍ତି।

ଯାଜପୁର ରୋଡ୍‌ସ୍ଥିତ ହୋଟେଲ ବ୍ରାହ୍ମଣୀଠାରେ ମନ୍ତ୍ରୀ ଶ୍ରୀ ପାତ୍ର ଜିଲ୍ଲା ଯୋଗାଣ ଅଧିକାରୀ ଦିଲ୍ଲୀପ କୁମାର ପାଣିଗ୍ରାହୀ, ଏସିଏସ୍‌ଓ ଏବଂ ମାର୍କେଟିଂ ଇନ୍ସପେକ୍ଟରମାନଙ୍କ ସହ ଆଲୋଚନା କରି ଜିଲ୍ଲାର ଖାଦ୍ୟ ଯୋଗାଣ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିଥିଲେ।

ବିଶେଷକରି ସାମ୍ପ୍ରତିକ ବନ୍ୟା ସମୟରେ ପ୍ରଭାବିତ ଲୋକଙ୍କୁ ବଣ୍ଟନ କରାଯାଇଥିବା ଶୁଖିଲା ଖାଦ୍ୟ—ଚୁଡ଼ା, ଗୁଡ଼ ଓ ବିସ୍କୁଟ—ସମ୍ପର୍କରେ ମନ୍ତ୍ରୀ ତଥ୍ୟ ନେଇଥିଲେ। ଏଥିସହ ବନ୍ୟା ପ୍ରଭାବିତ ପରିବାରଙ୍କ ପାଇଁ ଚାଉଳ ଯୋଗାଣ ଓ ବଣ୍ଟନ, ହିତାଧିକାରୀଙ୍କ e-KYC ସ୍ଥିତି ଏବଂ ଧାନ ସଂଗ୍ରହ ପ୍ରକ୍ରିୟା ନେଇ ମଧ୍ୟ ସେ ବିସ୍ତୃତ ସମୀକ୍ଷା କରିଥିଲେ।

ଜିଲ୍ଲା ଯୋଗାଣ ଅଧିକାରୀ ଦିଲ୍ଲୀପ କୁମାର ପାଣିଗ୍ରାହୀଙ୍କ ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୯୭.୯୩ ପ୍ରତିଶତ e-KYC ସମ୍ପୂର୍ଣ୍ଣ ହୋଇଛି। ସେହିପରି ଧାନ ସଂଗ୍ରହ ପ୍ରକ୍ରିୟାରେ ଜିଲ୍ଲାର ୬୧ ହଜାରରୁ ଊର୍ଦ୍ଧ୍ୱ ଚାଷୀ ପଞ୍ଜୀକୃତ ହୋଇଥିବା ନେଇ ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା।

ସମୀକ୍ଷା ସମୟରେ ମନ୍ତ୍ରୀ ଶ୍ରୀ ପାତ୍ର ବନ୍ୟା ପ୍ରଭାବିତ ଲୋକଙ୍କ ନିକଟରେ ଆବଶ୍ୟକ ଖାଦ୍ୟଶସ୍ୟ ଓ ରିଲିଫ୍ ସାମଗ୍ରୀ ଯେପରି ସୁବ୍ୟବସ୍ଥିତ ଓ ସମୟୋଚିତ ଭାବେ ପହଞ୍ଚିପାରିବ, ସେଥିପାଇଁ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।

ପରେ ମନ୍ତ୍ରୀ କୋରେଇ ବ୍ଲକ୍‌ର ପାଣିକୋଇଲି ପଞ୍ଚାୟତ ଅନ୍ତର୍ଗତ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। ସେଠାରେ ବନ୍ୟା ପ୍ରଭାବିତ ପରିବାରମାନଙ୍କୁ ଚାଉଳ ବଣ୍ଟନ କରିବା ସହ ଲୋକମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଅବଗତ ହୋଇଥିଲେ। ଏହି ସମୟରେ କୋରେଇ ବ୍ଲକ୍ ବିଡିଓ ଅବନୀକାନ୍ତ ସାହୁ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ, ଯାଜପୁର ରୋଡ୍ ଓ ବ୍ୟାସନଗର ଭଳି ଶିଳ୍ପାଞ୍ଚଳ ତଥା ପ୍ରବାସୀ ଶ୍ରମିକବହୁଳ ଅଞ୍ଚଳରେ ଖାଦ୍ୟ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଖୁବ୍‌ଶୀଘ୍ର ଏକ ‘ରାଇସ୍ ଏଟିଏମ୍’ (ଗ୍ରେନ୍ ବ୍ୟାଙ୍କ) ସ୍ଥାପନ ପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିଥିଲେ।

Leave A Reply

Your email address will not be published.