ପତିତପାବନ ବାନା ଆଉ କେତେ ବେଳକୁ,ଭାସିଗଲେ ଭବ ଜଳେ ନାବ ଦିଅ କୂଳକୁ ।

0 5

ବୋଲଗଡ଼,୧୭/୭(ପିପିଟି): ଭକ୍ତଟିଏ ଯେତବେଳେ ନୀଳଚକ୍ର ଉପରେ ଉଡୁଥିବା ବାନାରେ ଆଖି ପଡିଯାଏ ଦୁଇ ହାତ ଟେକି ଭାବବିହ୍ୱଳ କଣ୍ଠରେ ଗାଇଥାଏ ପତିତପାବନ ବାନା ଆଉ କେତେ ବେଳକୁ,ଭାସିଗଲେ ଭବ ଜଳେ ନାବ ଦିଅ କୂଳକୁ ।

ଶ୍ରୀମନ୍ଦିର ରତ୍ନସିଂହାସନରେ ଥିବା ଜଗନ୍ନାଥଙ୍କ ଅନ୍ୟତମ ନାମ ପତିତପାବନ। ତେଣୁ ନୀଳ ଆକାଶ ତଳେ ମନ୍ଦିର ଚୁଳରେ ନୀଳଚକ୍ରରେ ଫର ଫର ହୋଇ ଉଡୁଥିବା ନାଲି ଓ ହଳଦିଆ ରଙ୍ଗର ପତାକାକୁ ପତିତପାବନ ନେତ ଯାହାକୁ ମଧ୍ୟ ପତିତପାବନ ବାନା ମଧ୍ୟ କୁହାଯାଏ। ଶ୍ରୀଜଗନ୍ନାଥଙ୍କ ମନ୍ଦିରର ନୀଳଚକ୍ରରେ ଉଡୁଥିବା ପବିତ୍ର ପତାକା। ପତିତ ଅର୍ଥାତ୍ ଦୀନ, ଦରିଦ୍ର, ପାପୀ ଓ ଅବହେଳିତ ମାନବ ସମାଜକୁ ଉଦ୍ଧାର କରିବା ହେଉଛି ଏହି ବାନାର ମହନୀୟତା। ଏହା ଜଗନ୍ନାଥଙ୍କର ଅପାର କରୁଣା ଏବଂ ସମସ୍ତଙ୍କ ପାଇଁ ତାଙ୍କ ଦ୍ୱାର ସର୍ବଦା ଖୋଲା ରହିବାର ପ୍ରତୀକ। ଆଧ୍ୟାତ୍ମିକ ଅନୁସାରେ ନୀଳଚକ୍ର ସ୍ଥିରତାର ପ୍ରତୀକ ହୋଇଥିବା ବେଳେ ପବନରେ ଉଡୁଥିବା ବାନା ସକ୍ରିୟତାର ନିଦର୍ଶନ ଅଟେ। ଧର୍ମଶାସ୍ତ୍ର ଓ ଆମର ବିଶ୍ବାସ ଅନୁସାରେ ଏହି ବାନାକୁ ଦର୍ଶନ କରିବା ମାତ୍ରେ ପାପୀ ଓ ଅସହାୟ ବ୍ୟକ୍ତି ମାନସିକ ଶାନ୍ତି ପାଇବା ସହ ପାପମୁକ୍ତ ହୋଇ ଥାଆନ୍ତି।
ଆମର ଧାର୍ମିକ ବିଶ୍ୱାସ ଅନୁଯାୟୀ ପତିତପାବନ ନେତ ଦର୍ଶନ କଲେ ସକଳ ପାପରୁ ମୁକ୍ତି ମିଳିଥାଏ। ଭକ୍ତ ମାନେ ଏହାକୁ ଭକ୍ତି, ସ୍ନେହ ଏବଂ ପ୍ରଭୁଙ୍କ ଆଶ୍ରୀବାଦର ଏହା ମହାନ ପ୍ରତୀକ ଭାବରେ ଗ୍ରହଣ କରନ୍ତି।ଲୋକକଥା ଅନୁଯାୟୀ ଶ୍ରୀମନ୍ଦିରରେ ଜଗନ୍ନାଥ ଦର୍ଶନ କରି ମାଆ ଲକ୍ଷ୍ମୀଙ୍କ ମନ୍ଦିର ବୁଲି ତାଙ୍କ ମନ୍ଦିର ପ୍ରାଙ୍ଗଣରୁ ବସି ଯଦି ବଡଦେଉଳର ନୀଳଚକ୍ରର ଉଡୁଥିବା ବାନାକୁ ଦର୍ଶନ କରାଯାଏ ତେବେ କୋଟି ଜନ୍ମର ପୂଣ୍ୟ ପ୍ରାପ୍ତ ହୁଏ ଏବଂ ମହାବାହୁଙ୍କ ଦର୍ଶନ ସାର୍ଥକ ହୋଇଥାଏ। ପତିତପାବନ ବାନା ପରିବର୍ତ୍ତନର ଅପୂର୍ବ ଦୃଶ୍ୟ ଭକ୍ତ ଦେଖିବାକୁ ଅପେକ୍ଷା କରି ରହିଥାନ୍ତି । ଏବଂ ଏହି ଲୀଳାର ଦର୍ଶନ କରି ଆତ୍ମ ସାନିଧ୍ୟ ଲାଭ କରନ୍ତି । ପ୍ରତିଦିନ ଶ୍ରୀମନ୍ଦିର ଚୂଡାକୁ ଚଢି ଚୁନରା ସେବାୟତ ବାନା ପରିବର୍ତ୍ତନ କରନ୍ତି । ୧୯ ଫୁଟ ଉଚ୍ଚ ବାଉଁଶର ଶୀର୍ଷରେ ଧ୍ୱଜା ବନ୍ଧାଯାଏ । ମୁଖ୍ୟତଃ ରକ୍ତ, ପିତ ଏବଂ ଶୁକ୍ଳ ରଙ୍ଗର ବସ୍ତ୍ରରେ ବାନା ପ୍ରସ୍ତୁତ କରାଯାଏ। ଆମର ସନାତନ ଧର୍ମ ବିଶ୍ଵାସ ଅନୁଯାୟୀ ଶ୍ରୀକ୍ଷେତ୍ର କୁ ଯାଇ କାଳିଆ ସାଆନ୍ତଙ୍କୁ ଦେଖିପାରୁନାହଁ ତେବେ ନୀଳଚକ୍ର ବାନାକୁ ହାତଟେକି ସମର୍ପଣ କରିଦେଲେ ରତ୍ନସିଂହାସନରେ ବସିଥିବା କାଳିଆ ସାଆନ୍ତ ଭକ୍ତର ଗୁହାରୀ ସୁଣନ୍ତି ଓ ସମର୍ପଣ ଭାବକୁ ଗ୍ରହଣ କରନ୍ତି। ମୋଟାମୋଟି କହିବାକୁ ଗଲେ ଜାତି, ବର୍ଣ୍ଣ ଓ ଧର୍ମ ନିର୍ବିଶେଷରେ ସମସ୍ତେ ଭଗବାନଙ୍କର ସନ୍ତାନ ଏବଂ ସେ ସମସ୍ତଙ୍କର ଉଦ୍ଧାର କର୍ତ୍ତା, ଏହି ବାନାଟି ପ୍ରଦାନ କରିଥାଏ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.