ଭୁବନେଶ୍ୱର୧୭/୦୭(ପିପିଟି ):ପୁରୀରେ ରଥଯାତ୍ରା ଦଳାଚକଟା ହୋଇ ଗତକାଲି ଜଣେ ଭକ୍ତଙ୍କ ମୃତ୍ୟୁ ଘଟିଥିବା ଘଟଣାକୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଏପରି ଘଟଣାର ଯେଭଳି ପୁନରାବୃତ୍ତି ନହୁଏ ତଥା ଏହାକୁ ରୋକିବା ପାଇଁ ଓଡ଼ିଶା ସରକାର ସତର୍କ ରହି ଜନସମାଗମର ଉଚିତ ପରିଚାଳନା କରିବାକୁ ଅନୁରୋଧ କରିଛନ୍ତି।
ଏହି ଘଟଣାରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ ବିଶ୍ବବିଦିତ ରଥଯାତ୍ରା ସମୟରେ ପୁଣିଥରେ ହୋଇଥିବା ଅବ୍ୟବସ୍ଥା ଓ ସୁରକ୍ଷା ବିଫଳତା ପାଇଁ ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପୂର୍ବରୁ ଘଟିଥିବା ଦୁଃଖଦ ଭିଡ଼ ଦୁର୍ଘଟଣାରେ ଭକ୍ତମାନଙ୍କ ପ୍ରାଣହାନି ଓ ଶତାଧିକ ଲୋକ ଆହତ ହେବା ପରେ, ସେ ଏହି ଦୁର୍ଘଟଣା ପାଇଁ ପ୍ରଶାସନିକ ଅବହେଳାକୁ ଦାୟୀ କରିଛନ୍ତି।
ଜଗତର ନାଥ ଜଗନ୍ନାଥଙ୍କ ରଥଯାତ୍ରା ସମୟରେ ବଡ଼ଦାଣ୍ଡର ମରିଚିକୋଟ ଛକ ନିକଟରେ ଆଜି ଅତ୍ୟଧିକ ଭିଡ଼ ଯୋଗୁଁ ଅନିଲଙ୍କୁ ଶ୍ୱାସରୁଦ୍ଧ ଅନୁଭବ ହୋଇଥିଲା। ପୋଲିସ କର୍ଡନରୁ ପ୍ରାୟ ୧୦୦ ଫୁଟ ଦୂରରେ ସେ ତଳେ ପଡ଼ିଯାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରାଯାଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ଙ୍କୁ ମୃତ ଘୋଷଣା କରିଥିଲେ।ମୃତକ ଜଣଙ୍କ ହେଲେ କେନ୍ଦୁଝର ଜିଲ୍ଲାର ଅନିଲ ଦାସ ।କଂଗ୍ରେସ ସଭାପତି ଶ୍ରୀ ଦାସ କହିଛନ୍ତି ଯେ,ରଥ ଯାତ୍ରାସମୟରେ ଏଭଳି ବାରମ୍ବାର ଘଟଣା ଘଟିବା ଅତ୍ୟନ୍ତ ଚିନ୍ତାଜନକ କଥା ଏବଂ ଏହାର ପୁନର୍ବାର ସତର୍କ ସମୀକ୍ଷା କରାଯିବାର ଆବଶ୍ୟକତା ରହିଛି ।
କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଏକ ପ୍ରେସ ବିବୃତିରେ କହିଛନ୍ତି ଯେ, ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ ପ୍ରବଳ ଭିଡ଼ ମଧ୍ୟରେ ଜଣେ ଭକ୍ତଙ୍କ ପ୍ରାଣହାନି ଖବରରେ ସେ ଗଭୀର ଭାବେ ମର୍ମାହତ ହୋଇଛନ୍ତି । ସେ ପ୍ରାଣ ହରାଇଥିବା ଭକ୍ତଙ୍କ ଆତ୍ମାର ସଦ୍ଗତି କାମନା କରିବା ସହ ଆହତ ହୋଇଥିବା ଶତାଧିକ ଭକ୍ତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ଶ୍ରୀ ଦାସ୍ କହିଛନ୍ତି ଯେ, ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅତ୍ୟନ୍ତ ପବିତ୍ର ଧାର୍ମିକ ପର୍ବମାନଙ୍କ ମଧ୍ୟରୁ ଗୋଟିଏ, ଯାହା ପ୍ରତିବର୍ଷ ଭାରତ ଏବଂ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତଙ୍କୁ ଆକର୍ଷିତ କରିଥାଏ। ଚଳିତ ବର୍ଷର ରଥଯାତ୍ରା ସମୟରେ ଘଟିଥିବା ଏହି ଦୁର୍ଭାଗ୍ୟଜନକ ଘଟଣା ସାରା ବିଶ୍ୱରେ ପ୍ରଭୁ ଜଗନ୍ନାଥଙ୍କ ଭକ୍ତମାନଙ୍କୁ ଗଭୀର ଭାବେ ଦୁଃଖିତ ଓ ସ୍ତବ୍ଧ କରିଦେଇଛି ବୋଲି ସେ କହିଛନ୍ତି।
ସେ ଗଭୀର ଶୋକ ପ୍ରକାଶ କରି ଏହି ଦୁର୍ଘଟଣାକୁ ଅକ୍ଷମଣୀୟ ବୋଲି କହିବା ସହ ଅଭିଯୋଗ କରିଛନ୍ତି ଯେ ରଥଯାତ୍ରା ସମୟରେ ଜଣେ ଭକ୍ତଙ୍କ ପ୍ରାଣହାନି ଘଟିଥିବା ବେଳେ ଭିଡ଼ଜନିତ ଘଟଣା ,ଶ୍ବାସରୁଦ୍ଧ ଓ ଅନ୍ୟାନ୍ୟ କାରଣ ଯୋଗୁଁ ୧୫୦ରୁ ଅଧିକ ଭକ୍ତ ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଊଥିବା ଖବର ମିଳୁଛି।
ସେ ସ୍ମରଣ କରାଇଛନ୍ତି ଯେ, ଗତ ୨୯ ଜୁନ୍ ୨୦୨୫ରେ ପୁରୀ ରଥଯାତ୍ରା ସମୟରେ ଅନ୍ୟ ଏକ ବଡ଼ ଦଳାଚକଟା ଘଟଣା ଘଟିଥିଲା। ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଭିଡ଼ର ଚାପ ବଢ଼ିଯିବାରୁ ଦୁଃଖଦ ଭାବେ ତିନିଜଣ ଭକ୍ତଙ୍କ ପ୍ରାଣହାନି ଘଟିଥିଲା ଏବଂ ଏଥିରେ ୫୦ରୁ ଅଧିକ ଲୋକ ଆହତ ହୋଇଥିଲେ। ମୃତକମାନଙ୍କ ମଧ୍ୟରେ ଭୁବନେଶ୍ୱରର ଜଣେ ୮୦ ବର୍ଷୀୟ ବ୍ୟକ୍ତି ଏବଂ ଖୋର୍ଦ୍ଧା ଜିଲ୍ଲାର ଦୁଇଜଣ ମହିଳା ଥିଲେ।
କଂଗ୍ରେସ ସଭାପତି ଶ୍ରୀ ପୁନର୍ବାର ଦୋହରାଇ କହିଛନ୍ତି ଯେ, ଆବଶ୍ୟକତାଠାରୁ ଅଧିକ କର୍ଡନ ପାସ, ଆରଏସଏସ ସ୍ବେଛାସେବୀଙ୍କୁ କେଉଁ ଆଧାରରେ କର୍ଡନ ଭିତରକୁ ଅନୁମତି ଆଦି ମଧ୍ୟ ବିଭ୍ରାଟର ଅନ୍ୟ ଏକ କାରଣ ବୋଲି ଶ୍ରୀ ଦାସ କହିଛନ୍ତି l ପୁଣି ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦେଇ ମହାପ୍ରଭୁଙ୍କୁ ବିନା ଟାହିଆରେ ଶ୍ରୀ ମନ୍ଦିରରୁ ରଥକୁ ପହଣ୍ଡି କରିବା ସମସ୍ତ ଓଡ଼ିଆ ଜାତିକୁ ବ୍ୟଥିତ କରିଛି l
ତେବେ ଓଡ଼ିଆଙ୍କ ପ୍ରାଣ ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପରିଚାଳନା ସମୟରେ ଭକ୍ତମାନଙ୍କ ସୁରକ୍ଷା ଓ କଲ୍ୟାଣ ସର୍ବୋଚ୍ଚ ପ୍ରାଥମିକତା ହେବା ଉଚିତ ବୋଲି କହିବା ସହ ମନ୍ଦିର ପ୍ରଶାସନିକ ଅଧିକାରୀଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ ଏବଂ ଜଗନ୍ନାଥଙ୍କ ପ୍ରତି ଯଦି ସାମାନ୍ୟ ଭକ୍ତି ଅଛି ତେବେ ଆଇନମନ୍ତ୍ରୀ ନିଜ ପଦବୀରୁ ଇସ୍ତଫା ଦିଅନ୍ତୁ ବୋଲି ସଭାପତି ଶ୍ରୀ ଦାସ ଦାବୀ କରିଛନ୍ତି ।