ଯାଜପୁରରେ ରାଜ୍ୟସ୍ତରୀୟ ପାଲା ଓ ଦାସକାଠିଆ ମହୋତ୍ସବ-୨୦୨୬ ଉଦ୍‌ଘାଟିତ ।

0 192

ଯାଜପୁର, ୨୧/୦୯(ପିପିଟି): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଯାଜପୁର ଜିଲ୍ଲା ପ୍ରଶାସନ, ଜିଲ୍ଲା ସଂସ୍କୃତି ପରିଷଦ ଏବଂ ‘ପୁଣ୍ୟ ଉତ୍କଳ’ର ମିଳିତ ସହଯୋଗରେ ସୋମବାର ସନ୍ଧ୍ୟାରେ ଯାଜପୁର ସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ‘ରାଜ୍ୟସ୍ତରୀୟ ପାଲା ଓ ଦାସକାଠିଆ ମହୋତ୍ସବ-୨୦୨୬’ ମହାସମାରୋହରେ ଉଦ୍‌ଘାଟିତ ହୋଇଯାଇଛି।

ଏହି ଉଦ୍‌ଘାଟନୀ ସମାରୋହରେ ସମ୍ମାନିତ ଅତିଥି ଭାବେ ଶ୍ରୀ ଗୌତମ ରାୟ ଯୋଗଦେଇ କହିଥିଲେ ଯେ, ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ତଥା ଲୋକକଳାର ସଂରକ୍ଷଣ ଦିଗରେ ଏଭଳି ମହୋତ୍ସବର ଆୟୋଜନ ପ୍ରକୃତରେ ଅତ୍ୟନ୍ତ ପ୍ରଶଂସନୀୟ। ଏହି କାର୍ଯ୍ୟକ୍ରମକୁ ଅଧିକ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସେ ଗୋଟିଏ ସମ୍ପୂର୍ଣ୍ଣ ସନ୍ଧ୍ୟା ଏହି ମହୋତ୍ସବରେ ଉପସ୍ଥିତ ରହିବେ ବୋଲି ମଧ୍ୟ କହିଥିଲେ। ସେହିପରି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ. ଚନ୍ଦ୍ରଶେଖର ହୋତା ଏଥିରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଯାଜପୁର ହେଉଛି କଳା ଓ ସଂସ୍କୃତିର ଏକ ପ୍ରାଚୀନ ପୀଠ ଏବଂ ମାନନୀୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ବିଶେଷ ଆଗ୍ରହ ତଥା ପ୍ରଚେଷ୍ଟା କ୍ରମେ ଯାଜପୁର ମାଟିରେ ଏହି ମହୋତ୍ସବ ଆୟୋଜିତ ହୋଇପାରିଛି।

ସେପ୍ଟେମ୍ବର ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ୫ ଦିନିଆ ମହୋତ୍ସବରେ ପ୍ରଥମ ଦୁଇ ଦିନ ଦାସକାଠିଆ ଏବଂ ପରବର୍ତ୍ତୀ ତିନି ଦିନ ପାଲା ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ମଞ୍ଚରେ ଉପସ୍ଥିତ ଥିବା ଯାଜପୁରର ବିଶିଷ୍ଟ ଶିକ୍ଷାବିତ୍ ପଣ୍ଡିତ ଭୂପତି ଭୂଷଣ ମିଶ୍ର, ଶ୍ରୀ ହରିଶ ଚନ୍ଦ୍ର ପଣ୍ଡା, ଉପ-ଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ , ବିଶିଷ୍ଟ ଶିକ୍ଷାବିତ୍ ଡ. ଦାମୋଦର ବେହେରା ଏବଂ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥିମାନେ ମଧ୍ୟ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ।

Leave A Reply

Your email address will not be published.