ଭଞ୍ଜନଗର, ୨୪/୦୪(ପିପିଟି):ଭଞ୍ଜନଗର ସହର ଦେଇ ଯାଇଥିବା ଲୋହରାଖଣ୍ଡି ନଦୀରୁ ଶୁକ୍ରବାର ସକାଳେ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଜବତ କରିଛି। ସେ ହେଲେ ଭଞ୍ଜନଗର ସହର ରେଡକ୍ରସ ରୋଡ ବାସିନ୍ଦା କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ୫0ବର୍ଷ । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇଛି।
ଘଟଣାରୁ ପ୍ରକାଶ ଯେ, କୃଷ୍ଣଚନ୍ଦ୍ର ଗୁରୁବାର ରାତିରେ ନଦୀକୁ ଶୌଚ ହେବା ପାଇଁ ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଆଉ ଘରକୁ ଫେରି ନ ଥିଲେ।ଫଳରେ ପରିବାର ଲୋକଙ୍କ ମନରେ ସନ୍ଦେହ ହେବାରୁ ସେମାନେ ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳି ନ ଥିଲା। ଶୁକ୍ରବାର ସକାଳୁ ମାଲସାହି ନିକଟ ଲୋହରାଖଣ୍ଡି ନଦୀରେ ତାଙ୍କ ମୃତଦେହ ଭାସୁଥିବା ଲୋକେ ଦେଖିଥିଲେ। ଏହାପରେ ଖବର ପାଇ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ। ନଦୀରେ ପାଣି ଅଧିକ ଥିବା ଯୋଗୁ ସେଥିରେ ବୁଡ଼ି ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି।ଗତ କିଛି ଦିନ ପୂର୍ବେ ଭଞ୍ଜନଗର ଜଳଭଣ୍ଡାର ରେ ବୁଡ଼ି ୨ଜଣ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ପୁଣି ଲୋହରାଖଣ୍ଡି ନଦୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି।
ରିପୋର୍ଟ -(ଜେ.କେ ପଟ୍ଟନାୟକ)