ବୋଲଗଡ଼,୧୭/୧୦(ପିପିଟି):ନବରାତ୍ରୀର ସପ୍ତମ ଦିନ। ଏଦିନ ପୂଜା ପାଆନ୍ତି ମା’ କାଳରାତ୍ରୀ। ମା’ ଦୁର୍ଗାଙ୍କ ନଅ ରୂପ ଭିତରେ ଏହି ରୂପ ସବୁଠୁ ଭିନ୍ନ, ସବୁଠୁ ଭୟଙ୍କର। ମା’ଙ୍କ ବର୍ଣ୍ଣ ଘୋର କୃଷ୍ଣ, ଚୁଟି ମୁକୁଳା, ବିଛୁରିତ। ଗଳାରେ ବିଜୁଳି ପରି ଚମକୁଥିବା ମାଳା। ତିନୋଟି ନୟନରୁ ଅଗ୍ନିର ବର୍ଷା ହେଉଛି। ଶ୍ୱାସରୁ ଅଗ୍ନି ଶିଖା ବାହାରୁଛି। ହାତରେ ଖଡ୍ଗ ଓ କଣ୍ଟା। ବାହନ ଗଧ। ଦେଖିଲେ ଭୟ ଲାଗେ। କିନ୍ତୁ ଏହି ଭୟ ଭିତରେ ଲୁଚି ଅଛି ସବୁଠୁ ବଡ଼ ଅଭୟ।
ପୁରାଣ ଅନୁସାରେ କାଳରାତ୍ରୀ ଅର୍ଥ ଯିଏ କାଳକୁ ବି ନାଶ କରନ୍ତି। ଯିଏ ଅନ୍ଧାରର ଅନ୍ଧାରକୁ ଆଲୋକିତ କରନ୍ତି। ମା’ କାଳରାତ୍ରୀ ସମସ୍ତ ଭୟ, ଅଜ୍ଞାନତା, ନକାରାତ୍ମକ ଶକ୍ତି, ଭୂତ-ପ୍ରେତ ଓ ଅଶୁଭକୁ ନାଶ କରନ୍ତି। ଭକ୍ତଙ୍କୁ ସେ କେବେ ଭୟ ଦିଅନ୍ତି ନାହିଁ, ବରଂ ସମସ୍ତ ଭୟରୁ ମୁକ୍ତି ଦିଅନ୍ତି। ତେଣୁ ତାଙ୍କର ଅନ୍ୟ ନାମ ଶୁଭଙ୍କରୀ।
ଆମେ ଆମ ଝିଅମାନଙ୍କୁ ସବୁବେଳେ କହୁ “ମିଠା ହୁଅ, ସହିଯା, ମୁଣ୍ଡ ନୁଆଁଇ ଚାଲ”। ଆମେ ତାକୁ ଫୁଲ ହେବାକୁ ଶିଖାଉଛୁ, ନିଆଁ ହେବାକୁ ନୁହେଁ।
କିନ୍ତୁ ମା’ କାଳରାତ୍ରୀ କହୁଛନ୍ତି – ଫୁଲ ହେବା ଭଲ, ହେଲେ ଯେତେବେଳେ ବଗିଚାରେ ଅସୁର ପଶେ, ଫୁଲକୁ ନିଆଁ ହେବାକୁ ପଡେ। ସମାଜରେ ଯେତେବେଳେ ଅନ୍ୟାୟ, ଅତ୍ୟାଚାର, ଲୋଭ ଓ ଅହଂକାର ରୂପୀ ରାକ୍ଷସ ବଢନ୍ତି, ସେତେବେଳେ ମିଠା କଥାରେ କାମ ହୁଏନି। ସେତେବେଳେ କାଳରାତ୍ରୀ ହେବାକୁ ପଡେ।
ମା’ କାଳରାତ୍ରୀ ସୁନ୍ଦର ନୁହନ୍ତି, ସେ ତେଜସ୍ୱିନୀ। ଆଜିର ସମାଜ ଝିଅର ରୂପ ଦେଖେ, ତେଜ ଦେଖେନା। କିନ୍ତୁ ମନେ ରଖନ୍ତୁ, ରୂପ କିଛି ଦିନର, ତେଜ ସବୁଦିନର। ସମ୍ମାନ କେବେ ସୁନ୍ଦର ଦେଖାଇ ମିଳେନି, ସମ୍ମାନ ମିଳେ ତେଜରୁ, ସାହସରୁ, ବ୍ୟକ୍ତିତ୍ୱରୁ। ମା’ କାଳରାତ୍ରୀ ଭୟଙ୍କର ହୋଇ ବି ପୂଜ୍ୟା, କାରଣ ତାଙ୍କ ଭିତରେ ଅଛି ସତ୍ୟର ତେଜ।
ସେ ରାତ୍ରି ଭଳି କଳା, ହେଲେ ସେ ରାତ୍ରିକୁ ହିଁ ଆଲୋକିତ କରନ୍ତି। ଏହାର ଅର୍ଥ ଜୀବନର ସବୁଠୁ ଅନ୍ଧାର ସମୟରେ ବି ଭିତରେ ଗୋଟିଏ ଆଲୁଅ ଜଳିଥାଏ, ତାହା ହେଉଛି ନିଜ ଉପରେ ବିଶ୍ୱାସ।
ଶେଷରେ ଗୋଟିଏ କଥା ପ୍ରତି ଝିଅ ଭିତରେ ଗୋଟିଏ କୋମଳ ପାର୍ବତୀ ଅଛି, ଆଉ ଗୋଟିଏ ଭୟଙ୍କର କାଳରାତ୍ରୀ ବି ଅଛି। ଯେଉଁଦିନ ସେ ନିଜ ଭିତରର କାଳରାତ୍ରୀକୁ ଜାଗ୍ରତ କରିବ, ସେଦିନ ତାକୁ କୌଣସି ବାହ୍ୟ ସୁରକ୍ଷା ଦରକାର ପଡିବନି, ସେ ନିଜେ ନିଜର ଶକ୍ତି ହୋଇଯିବ।ଜୟ ମା’ କାଳରାତ୍ରୀ।