ଶିକ୍ଷାର ଗୁଣବତ୍ତା ବୃଦ୍ଧି ଓ ଦକ୍ଷ ଶିଶୁ ଗଠନ ପାଇଁ ଜିଲ୍ଲାସ୍ତରୀୟ କର୍ମଶାଳା ।

0 0

ବ୍ରହ୍ମପୁର, ୨୯/୧୧(ପିପିଟି): ଗଞ୍ଜାମ ଜିଲ୍ଲାରେ ଶିକ୍ଷାର ଗୁଣବତ୍ତା ବୃଦ୍ଧି, ଶିଶୁମାନଙ୍କ ମୌଳିକ ଭାଷା ଓ ଗଣିତ ଦକ୍ଷତାର ବିକାଶ ତଥା ଦକ୍ଷ ଶିଶୁ ଗଠନ ଲକ୍ଷ୍ୟରେ ଜିଲ୍ଲା ସଂସ୍କୃତି ଭବନ, ବ୍ରହ୍ମପୁରଠାରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ଙ୍କ ଦ୍ୱାରା ‘ଆରୋହଣ’, ‘ପରଖ’ ଓ ସିଆରସିସି ମାର୍ଗଦର୍ଶିକାର ଶୁଭାରମ୍ଭ କରାଯାଇଥିଲା।ସମଗ୍ର ଶିକ୍ଷା ପ୍ରକଳ୍ପ କାର୍ଯ୍ୟାଳୟ, ଡାଏଟ୍ ଖଲ୍ଲିକୋଟ ଏବଂ ରାଜ୍ୟ ନିପୁଣ ସେଲ୍‌ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାଥମିକ ସ୍ତରରୁ ଶିଶୁମାନଙ୍କ ପଢ଼ିବା, ଲେଖିବା ଓ ଗଣିତର ମୌଳିକ ଦକ୍ଷତାକୁ ସୁଦୃଢ଼ କରିବା, ଶିକ୍ଷଣ ଅଗ୍ରଗତିକୁ ଆକଳନ କରିବା ଏବଂ ବିଦ୍ୟାଳୟ ସ୍ତରରେ ଏହି ପଦକ୍ଷେପଗୁଡ଼ିକର ସଫଳ ରୂପାୟନ ଉପରେ ଗୁରୁତ୍ୱ ଦିଆଯାଇଥିଲା।ଏହି ଅବସରରେ ୨୯୩ ଜଣ ସିଆରସିସି ଓ ୨୨ ଜଣ ବିଆରସିସିଙ୍କୁ ନେଇ ଏକ ଦିବସୀୟ କର୍ମଶାଳା ଆୟୋଜିତ ହୋଇଥିଲା। କର୍ମଶାଳାରେ ଜିଲ୍ଲା ଶିକ୍ଷକ ଶିକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ଵାରା ପ୍ରସ୍ତୁତ ‘ଆରୋହଣ’ ଓ ‘ପରଖ’ କାର୍ଯ୍ୟକ୍ରମର ରୂପରେଖ, ଶିକ୍ଷଣ ଫଳାଫଳର ଆକଳନ, କ୍ଲଷ୍ଟର ସ୍ତରରେ ଏହାର କାର୍ଯ୍ୟକାରିତା ଏବଂ ସିଆରସିସିମାନଙ୍କ ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।ସିଆରସିସିମାନେ କେବଳ ମନିଟରିଂରେ ସୀମିତ ନ ରହି ଶିକ୍ଷକମାନଙ୍କୁ ଶିକ୍ଷଣ ସମସ୍ୟାର ସମାଧାନ, ଶିକ୍ଷାଦାନ ପ୍ରଣାଳୀର ଉନ୍ନତି ଓ ଶିଶୁମାନଙ୍କ ଶିକ୍ଷଣ ଦକ୍ଷତା ବୃଦ୍ଧି ପାଇଁ ଜଣେ ସହଯୋଗୀ ମାର୍ଗଦର୍ଶକ ଭାବେ କାର୍ଯ୍ୟ କରିବା ଉପରେ ପରାମର୍ଶ ଦିଆଯାଇଥିଲା।କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁନୀଲ କେରକେଟା, ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ର, ଏଡିଇଓ ଡ଼. ପ୍ରଭାତୀ ମହାପାତ୍ର, ଏସ. ଧନଞ୍ଜୟ, ଶିକ୍ଷା ସଂଯୋଜକ ଡ଼. ସରୋଜ ମୋହନ ପାଳ, ଡାଏଟ୍ ଖଲ୍ଲିକୋଟର ଅଧ୍ୟକ୍ଷ ଡ଼. ସନ୍ତୋଷ କୁମାର ପରିଡ଼ା ଏବଂ ରାଜ୍ୟ ନିପୁଣ ସେଲ୍‌ର ପ୍ରତିନିଧି ରୀତା ବୋରାହା ଓ ଅନଭ ମହାନ୍ତି ଉପସ୍ଥିତ ରହିଥିଲେ।ଏହି ଅବସରରେ ଡାଏଟ୍ ଖଲ୍ଲିକୋଟର ଅଧ୍ୟକ୍ଷ ଡ଼. ସନ୍ତୋଷ କୁମାର ପରିଡ଼ାଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ, ସୁଚିନ୍ତିତ ଯୋଜନା, ଦକ୍ଷ ପ୍ରଶିକ୍ଷଣ ବ୍ୟବସ୍ଥା ଓ ଶିକ୍ଷକମାନଙ୍କ ବୃତ୍ତିଗତ ଦକ୍ଷତା ବିକାଶ ପାଇଁ ନିରନ୍ତର ମାର୍ଗଦର୍ଶନକୁ ଜିଲ୍ଲାପାଳ ପ୍ରଶଂସା କରିଥିଲେ। ନୂତନ ଶିକ୍ଷଣ ପଦ୍ଧତିର ପ୍ରସାର ଓ ଜିଲ୍ଲାରେ ଗୁଣାତ୍ମକ ଶିକ୍ଷା ପାଇଁ ଡାଏଟ୍ ଖଲ୍ଲିକୋଟର ଅନନ୍ୟ ଅବଦାନ ଏହି କର୍ମଶାଳାକୁ ଅଧିକ ସାର୍ଥକ କରିଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ରଙ୍କ ନେତୃତ୍ୱ ଓ ଡାଏଟ୍ ଖଲ୍ଲିକୋଟର ସମନ୍ୱିତ ପ୍ରୟାସ ଯୋଗୁଁ ଗଞ୍ଜାମ ଜିଲ୍ଲାରେ ଶିକ୍ଷାର ମାନବୃଦ୍ଧି ଏକ ନୂତନ ଦିଗ ପାଇଥିବା ମତ ପ୍ରକାଶ ପାଇଥିଲା।
ଶେଷରେ ସମସ୍ତ ବିଆରସିସି ଓ ସିଆରସିସି ନିଜ ନିଜ ବ୍ଲକ ଓ କ୍ଲଷ୍ଟରରେ ‘ଆରୋହଣ’ ଓ ‘ପରଖ’ କାର୍ଯ୍ୟକ୍ରମକୁ ସଫଳତାର ସହ କାର୍ଯ୍ୟକାରୀ କରିବା, ଶିକ୍ଷକମାନଙ୍କୁ ସହଯୋଗୀ ମାର୍ଗଦର୍ଶନ ଦେବା ଏବଂ ପ୍ରତ୍ୟେକ ଶିଶୁର ମୌଳିକ ଦକ୍ଷତା ବିକାଶ ସୁନିଶ୍ଚିତ କରିବା ପାଇଁ ସଂକଳ୍ପବଦ୍ଧ ହୋଇଥିଲେ।

ରିପୋର୍ଟ -ନିଗମାନନ୍ଦ ପଣ୍ଡା

Leave A Reply

Your email address will not be published.