ମାଲକାନଗିରି,୦୮/୦୬(ପିପିଟି):ମାଲକାନଗିରି ସଦର ମହକୁମାକୁ ପହଞ୍ଚିବା ପୂର୍ବରୁ ଭୈରବ ମନ୍ଦିର ପଡେ। ଏହି ମନ୍ଦିରଟି ଛୋଟିଆ ଗମ୍ବୂଜ ଗୃହରେ ଭୈରବ ମୂର୍ତ୍ତି ସ୍ଥାପନ କରାଯାଛି। ଛୋଟିଆ ମନ୍ଦିର ହେଲେ ମଧ୍ୟ ଯେଉଁ ସବୁ ଯାନାବହନ ମାଲକାନଗିରିରୁ ଜୟପୁର ଅଭିମୁଖେ ବାହାରେ ମନ୍ଦିର ପାର୍ଶ୍ୱରେ ଅଟକି ନଡ଼ିଆ, ଫୁଲ,ଧୂପ,ଦୀପ ଦେଇ
ଗାଡି ଚଳକ ପୂଜା ଅର୍ଚ୍ଚନା କରିଥାଏ।ଯାତ୍ରା ଶୁଭ ହେଉ ; ଲକ୍ଷ୍ଯ ପଥରେ ଗାଡ଼ିଟି କୌଣସି ଦୁର୍ଘଟଣା ନ ହୋଇ ପହଞ୍ଚୁ। ବସରେ ଯାଉଥିବା ଯାତ୍ରୀମାନେ ମଧ୍ୟ ଭୈରବୀଙ୍କ ଠାକୁରଙ୍କୁ କର ଯୋଡି ପ୍ରାର୍ଥନା। କରନ୍ତି, ଯେପରି କୌଣସି ଅମଙ୍ଗଳ ନଘଟୁ। ମାଲକାନଗିରି ସହରରେ ଯେ କୌଣସି ଲୋକ ଦୁଇ ଚକିଆ ହେଉ କି ତିନି,ଚାରି ଚକିଆ ଗାଡି ନୂତନ ଭାବେ କ୍ରୟ କରୁ ସେ ଭୈରଵ ମନ୍ଦିରକୁ ଆସି ପୂଜା କରାଏ । ଏଣୁ ଭୈରବ ଠାକୁରଙ୍କ ପ୍ରତି ଶ୍ରଦ୍ଧାଳୁମାନଙ୍କ ଆତ୍ମ ବିଶ୍ବାସ ରହିଛି।
ତେବେ ୨୦୨୪ ନିର୍ବାଚନ ସମୟରେ ଓଡ଼ିଶାର ବହୁ ଜରାଜୀର୍ଣ୍ଣ ମନ୍ଦିର ଗୁଡିକ ପୁନରୁଦ୍ଧାର କରିବା, ନତୁବା ନୂତନ ଭାବେ ମନ୍ଦିର ନିର୍ମାଣ କରିବା ପଦକ୍ଷେପ ନବୀନ ସରକାରଙ୍କ ସମୟରେ ହୋଇଥିଲା। ଏଥି ପାଇଁ ବିଭିନ୍ନ ମନ୍ଦିର ନିର୍ମାଣ ପାଇଁ ଅନୁଦାନ ଆସିଥିଲା । ସେହି ପରି ଭୈରବ ମନ୍ଦିର ନୂତନ ଭାବେ ନିର୍ମାଣ କରିବା ପାଇଁ ୫୦ ଲକ୍ଷ ଟଙ୍କା ଅନୁଦାନ ନବୀନ ସରକାର ଦେଇଥିଲା ବେଳେ ମନ୍ଦିର ନିର୍ମାଣ ଆରମ୍ଭ ହୋଇଥିଲା। ତେବେ ଭୈରବ ମନ୍ଦିର ନିର୍ମାଣ ଲାଗି ୫୦ ଲକ୍ଷ ଟଙ୍କା ସରିଯାଇଥିବା ବେଳେ ବର୍ତ୍ତମାନ ପୂର୍ଣ୍ଣାଙ୍ଗ ପାଇଁ ଆବଶ୍ୟକ ଅନୁଦାନ ନାହିଁ। ଅନ୍ୟ ପକ୍ଷରେ ବିଜେଡ଼ି ଗତ ନିର୍ବାଚନରେ ହାରିବା ପରେ ନୂତନ ସରକାର ଭାବେ ବିଜେପି ଶାସନ ଗାଦିରେ ବସିଲା । ସେହି ସମୟରେ ମନ୍ଦିର, ଚର୍ଚ୍ଚା, ମସଜିଦ ନିର୍ମାଣ ଓ ପୁନରୁଦ୍ଧାର ପାଇଁ ବିଜେଡି ଆର୍ଥିକ ଅନୁଦାନ ପ୍ରଦାନ କରିଥିଲା । ଯେଉଁ ଧାର୍ମିକ ଅନୁଷ୍ଠାନ ଗୁଡିକ ଅନୁମୋଦିତ ଆର୍ଥିକ ଅଟ୍ଟକ।ଳରେ ନିର୍ମାଣ କଲେ, ସେଗୁଡିକର ଅସୁବିଧା ନାହିଁ। ମାତ୍ର ଯେଉଁ ଧାର୍ମିକ ଅନୁଷ୍ଠାନଗୁଡିକ ଅନୁମୋଦିତ ଅର୍ଥ ଠାରୁ ଅଧିକ ଖର୍ଚ୍ଚ କଲେ, କାର୍ଯ୍ୟ ମାତ୍ର ଅଧାପନ୍ତରିଆ ହୋଇ ରହି ଯାଇଅଛି। ଯେହେତୁ
ବିଜେଡି ଆଉ ଶାସନ ଗାଦିରେ ନାହିଁ, ଏଣୁ ମନ୍ଦିର ନିର୍ମାଣ ପୂର୍ଣ୍ଣାଙ୍ଗ ପାଇଁ ଅନୁଦାନ ଦେବ କିଏ? ବିଜେପି ଯଦିଓ ଧର୍ମକୁ ନେଇ ରାଜନୀତି କରିବା, ତାଙ୍କ ରାଜନୈତିକ ଏଜେଣ୍ଡାରେ ଅଛି, କିନ୍ତୁ ବିଜେଡିର ପୁରୁଣା ପ୍ରକଳ୍ପରେ କାହିଁକି ଅନୁକମ୍ପା ଦେଖାଇ ଆର୍ଥିକ ଅନୁଦାନ ପ୍ରଦାନ କରିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ?
ବର୍ତ୍ତମାନ ଅର୍ଥ ନଥିବାରୁ ଭୈରବ ମନ୍ଦିରର ସ୍ଥିତି ସେୟା। ବର୍ଷେ ହେଲା କାମ ବନ୍ଦ। ମନ୍ଦିର ଚତୁଃପାର୍ଶ୍ଵରେ ଅନାବନା ଗୁଳ୍ମର ଘେରା ବନ୍ଦୀରେ ନବନିର୍ମିତ ଭୈରବ ମନ୍ଦିର ଏକ ଜରାଜୀର୍ଣ୍ଣ ଅବସ୍ଥାରେ ଦଣ୍ଡାୟମାନ। ସେ ମନ୍ଦିର ନିର୍ମାଣ ସଂପୂର୍ଣ୍ଣ ହେବାର ସମ୍ଭାବନା ବର୍ତ୍ତମାନ କ୍ଷୀଣ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯଦି ସ୍ଥାନୀୟ ବିଧାୟକ ବା ସାଂସଦ ଇଛା ପ୍ରକାଶ କରନ୍ତି, ତେବେ ସେମାନଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଅର୍ଥ ପ୍ରଦାନ କରିବା କ୍ଷମତା ରହିଛି।
ଏହାକୁ ରାଜନୈତିକ ଦୃଷ୍ଟିକୋଣରୁ ବିଚାର ନକରି, ଧାର୍ମିକ ଦୃଷ୍ଟିକୋଣରୁ ବିଚାର କରାଯାଏ, ତେବେ ବିଧାୟକ ଓ ସାଂସଦଙ୍କ
ଆଞ୍ଚଳିକ ଉନ୍ନୟନ ପାଣ୍ଠିକୁ ବିନିଯୋଗ କରାଯାଇ ପାରିବ। ତେବେ ଭୈରବ ମନ୍ଦିର ପୂର୍ଣ୍ଣାଙ୍ଗ ପାଇଁ ମନ୍ଦିର କମିଟି ତରଫରୁ ସ୍ଥାନୀୟ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା, ବିଧାୟକ ମଧ୍ୟ କୁଆଡ଼େ ପ୍ରତିଶ୍ରୁତି ଦେଇଥିଲେ ଆର୍ଥିକ ଅନୁଦାନ ଯୋଗାଇ ଦେବା ପାଇଁ। କିନ୍ତୁ ଦିନ ପରେ ଦିନ,ମାସ ପରେ ମାସ ବିତିଯାଇଥିଲେ ମଧ୍ୟ ଭୈରବ ମନ୍ଦିର ନିର୍ମାଣ ଅଧାପନ୍ତରିଆ ହୋଇ ଅଟକି ରହିଛି। ଶ୍ରଦ୍ଧାଳୁମାନଙ୍କ ଗୋଟିଏ ପ୍ରଶ୍ନ ସତରେ ଏହି ମନ୍ଦିର ପୂର୍ଣ୍ଣାଙ୍ଗ ହୋଇ ଭୈରବ ଠାକୁର ସ୍ଥାନାନ୍ତରିତ ହେବେ ନା, ସେହି ପୁରୁଣା ଗମ୍ବୁଜ ଘରେ ଯୁଗ ଯୁଗ ଧରି ପୂଜା ପାଇବେ?
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)