ଚିକିଟି ବ୍ଲକସ୍ତରୀୟ ସୁରଭି-୨୦୨୬ ଉତ୍ସବ।

0 239

ଚିକିଟି, ୧୬/୧୦(ପିପିଟି ): ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସୁନାପୁର ପରିସରରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଚିକିଟି ବ୍ଲକର ୯୪ଟି ବିଦ୍ୟାଳୟରୁ ପ୍ରାୟ ୩୫୦ ଜଣ ଛାତ୍ରଛାତ୍ରୀ ଏହି ଉତ୍ସବରେ ଯୋଗଦେଇ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରୁ ୩୦ ଜଣ ପ୍ରତିଭାବାନ ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲେ।
ଏହି ଉତ୍ସବରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଚିକିଟି ଗୋଷ୍ଠୀ ଶିକ୍ଷାଧିକାରୀ ପନ୍ନଗ ଭୂଷଣ ମାଝୀ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ସମ୍ମାନିତ ଅତିଥି ଭାବେ ବିଡିଓ ବିବେକାନନ୍ଦ ମିଶ୍ର, ସୁନାପୁର ସରପଞ୍ଚ ଲକ୍ଷ୍ମୀଧର ବେହେରା, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ତ୍ରିନାଥ ମଲ୍ଲିକ, ମେଘନାଥ ବେହେରା ଓ ନାୟକ ସେଠୀ ଯୋଗଦେଇଥିଲେ।
ଏଥିସହ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୀମାଞ୍ଚଳ ବେହେରା, ବିଦ୍ୟାଳୟର ପ୍ରଧାନଶିକ୍ଷକ ଲଳିତ ମୋହନ ବେହେରା, ଶିକ୍ଷକ କର୍ମକର୍ତ୍ତା ବଳରାମ ବେହେରା, ତ୍ରିଲୋଚନ ପ୍ରଧାନ, ସମସ୍ତ ସିଆରସିସି, ପ୍ରଧାନଶିକ୍ଷକ-ପ୍ରଧାନଶିକ୍ଷୟିତ୍ରୀ ଓ ଗାଇଡ୍ ଶିକ୍ଷକ-ଶିକ୍ଷୟିତ୍ରୀ ଉତ୍ସବର ସଫଳ ଆୟୋଜନରେ ସହଯୋଗ କରିଥିଲେ।ସୁରଭି ଉତ୍ସବ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ, ସୃଜନଶୀଳତାର ପରିପ୍ରକାଶ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ଏକ ଉପଯୁକ୍ତ ମଞ୍ଚ ଭାବେ ପରିଗଣିତ ହୋଇଥିଲା। ବିଭିନ୍ନ ବିଷୟଭିତ୍ତିକ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ କୁନି କୁନି ପ୍ରତିଯୋଗୀମାନେ ନିଜର ଦକ୍ଷତା ପ୍ରଦର୍ଶନ କରି ଉପସ୍ଥିତ ଅତିଥି ଓ ଦର୍ଶକଙ୍କ ମନ ମୋହିଥିଲେ।କାର୍ଯ୍ୟକ୍ରମ ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ ଜିଲ୍ଲାସ୍ତରକୁ ମନୋନୀତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଯାଇଥିଲା। ଶିକ୍ଷକ, ଶିକ୍ଷୟିତ୍ରୀ ଓ ସମସ୍ତ ଆୟୋଜକଙ୍କ ମିଳିତ ପ୍ରୟାସରେ ଚିକିଟି ବ୍ଲକସ୍ତରୀୟ ସୁରଭି-୨୦୨୬ ଉତ୍ସବ ସଫଳତାର ସହ ସମ୍ପନ୍ନ ହୋଇଥିଲା।

ରିପୋର୍ଟ -(ନିଗମାନନ୍ଦ ପଣ୍ଡା )

Leave A Reply

Your email address will not be published.