ପୋଲସରା,୧୬/୧୦ (ପିପିଟି) : ଗଞ୍ଜାମ ଜିଲ୍ଲା ପୋଲସରା ସିଡ଼ିପିଓ କାର୍ଯ୍ୟାଳୟ ପକ୍ଷରୁ ୯ମ ରାଷ୍ଟ୍ରୀୟ ପୋଷଣ ମାସ -୨୦୨୬ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ, ପୋଲସରା ଅଧୀକାରିଣୀ ତିଳୋତମା ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ କାର୍ଯ୍ୟାଳୟ ଜନ ଶୁଣାଣି ପ୍ରକୋଷ୍ଠ ଗୃହରେ ଆୟୋଜିତ କାର୍ଯ୍ୟକ୍ରମକୁ ଏବିଡ଼ିଓ ସୋନମ ବେହେରା ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶୁଭ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପୋଲସରା ଆୟୁଷ ବିଭାଗ ଡ଼ାକ୍ଟର ଶୁଭ୍ରମୟୀ ପାଢ଼ୀ, ଉସ୍ତାପଡ଼ା ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଅମିୟ ରଞ୍ଜନ ଦାସ ଓ ଅଞ୍ଚଳ ପରିଦର୍ଶିକା ଲିଲି ଶବର ଓ ମୁକ୍ତା ଦେବୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସିଡ଼ିପିଓ ନିଜର ବକ୍ତବ୍ୟରେ ସମସ୍ତ ଅତିଥିବୃନ୍ଦଙ୍କ ସମେତ ଉପସ୍ଥିତ ଅନ୍ୟ ସମସ୍ତ ଅଙ୍ଗନବାଡ଼ି କର୍ମୀ, ପାଚିକା ସହାୟିକାମାନଙ୍କୁ ସ୍ୱାଗତ କରିବା ସହ ଆମ ଅଙ୍ଗନବାଡ଼ି, ଆମ ଦାୟିତ୍ୱ ସ୍ଵତନ୍ତ୍ର ସେବାକାର୍ଯ୍ୟ ଉପରେ ଆଲୋକପାତ କରିଥିବାବେଳେ ମୁଖ୍ୟ ଅତିଥି ମହୋଦୟା ନିଜର ଅଭିଭାଷଣ ଜରିଆରେ ସରକାରଙ୍କ ସୁସ୍ଥ ଶିଶୁ, ସୁସ୍ଥ ପରିବାର, ସମୃଦ୍ଧ ଓଡ଼ିଶା ଯୋଜନାକୁ ସଫଳ ରୂପାୟନରେ ପରିଣତ କରିବାକୁ ସମସ୍ତେ ନିଜନିଜର ଉତ୍ତର ଦାୟିତ୍ୱକୁ ସଠିକଭାବେ ତୁଲାଇବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଡାକ୍ଟର ମହୋଦୟା ନିଜ ବକ୍ତବ୍ୟରେ ବିଶେଷକରି ଗର୍ଭବତୀ ମହିଳାମାନେ ଡାକ୍ଟରଙ୍କ ଠାରୁ ଉଚିତ୍ ପରାମର୍ଶ ନେଇ ନିଜେ କିପରି ଯତ୍ନବାନ ହେବା ସହିତ ଶିଶୁମାନଙ୍କ କିଭଳି ଭାବେ ନେବେ ସେଥି ଉପରେ ମାର୍ଗଦର୍ଶନ ଦେଇଥିଲେ। ଏହି ଅବସରରେ ଜଣେ ନବଜାତକ ମାତାଙ୍କୁ ପୁରସ୍କାର ପ୍ରଦାନ ସମେତ ଜଣେ ଗର୍ଭବତୀ ମହିଳାଙ୍କୁ ଗୋଦଭରାଇ ଅନ୍ତର୍ଗତ ଅନ୍ନପ୍ରାସନ କାର୍ଯ୍ୟକ୍ରମ ସମ୍ପନ କରାଯାଇଥିଲା । ଏଥିସହ କୁଇଜ, ରଚନା, ଚିତ୍ରାଙ୍କନ ଓ ପ୍ରବନ୍ଧ ଉପରେ କରାଯାଇଥିବା ପ୍ରତିଯୋଗିତାରେ ଏହି ବ୍ଲକ୍ ବନ୍ଥପଲ୍ଲୀ ପଞ୍ଚାୟତ ଉସ୍ତାପଡ଼ା ଉଚ୍ଚ ବିଦ୍ୟାଳୟର ୧୦ମ ଶ୍ରେଣୀର ୯ ଜଣ କୃତିତ୍ୱ ଛାତ୍ରଛାତ୍ରୀଙ୍କୁ ପ୍ରଶ°ସାପତ୍ର ଏବଂ ଟ୍ରଫି ଦିଆଯାଇଥିବା ବେଳେ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ମହିଳା ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ପଦାର୍ଥ ସହିତ ପାରମ୍ପରିକ ଖାଦ୍ୟକୁ ନେଇ ପ୍ରତିଯୋଗିତା କରାଯାଇଥିଲା । ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରସ୍ତୁତି ଖାଦ୍ୟ ପାଇଁ ଏବଂ ପାଚିକା ସହାୟିକାମାନଙ୍କ ସମେତ ଅଙ୍ଗନବାଡ଼ି କର୍ମୀଙ୍କୁ ଦକ୍ଷତା ପ୍ରମାଣପତ୍ର ସହିତ ଟ୍ରଫି ଦିଆଯାଇଥିଲା । କାର୍ଯ୍ୟକ୍ରମକୁ ପରିଦର୍ଶିକା ମୁକ୍ତାଦେବୀ ସଂଯୋଜନା କରିଥିଲେ । ଶେଷରେ ସିଡ଼ିପିଓ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିବା ସହିତ ଶାରଦୀୟ ଅଭିନନ୍ଦନ ଜଣାଇଥିଲେ ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା