ମାଲକାନଗିରି,୧୭/୧୧(ପିପିଟି): ମାଲକାନଗିରି ଜିଲ୍ଲା ସଦରମହକୁମାରେ ଥିବା ଅଧିକାଂଶ ସରକାରୀ କାର୍ଯ୍ୟାଳୟ ଗୁଡିକରେ ସୂଚନା ଅଧିକାର ଅଧିନିୟମ -୨୦୦୫ର ଫଳକ ଆଜି କାଲି ଦୃଷ୍ଟି ଗୋଚର ହେଉ ନାହିଁ। ସତେ ଯେପରି ଏହି ଆଇନକୁ ଆଖି ଠାର ପରି ଉପହାସ କରାଯାଉଛି। ଫଳରେ ସାଧାରଣ ଲୋକ ତଥ୍ୟ ମାଗିବାରୁ ବଞ୍ଚିତ ହେଉଛନ୍ତି। ତଥ୍ୟ ପ୍ରଦାନ କାରୀ ସରକାରୀ କର୍ମଚାରୀଙ୍କ ନାମ, ପଦବୀ, ମୋବାଇଲ ନମ୍ବର ଉଲ୍ଲେଖ କରିବାର ନିୟମ ଥିବା ସତ୍ତ୍ବେ ଏହାକୁ ସଂପୂର୍ଣ୍ଣ ଅଣ ଦେଖା କରାଯାଉଥିବା ଜଣାପଡିଛି।
ଭାରତର ସମ୍ବିଧାନ ଗଣତନ୍ତ୍ର ଉପରେ ପ୍ରତିଷ୍ଠିତ। ସରକାର ଲୋକମାନଙ୍କର ଲୋକମାନଙ୍କ ଦ୍ବାରା ଗଠିତ ହୋଇଥାଏ।ଏ ଦେଶ ପ୍ରକୃତ ମାଲିକ ହେଉଛନ୍ତି ନାଗରିକମାନେ। ଜନ ମଙ୍ଗଳ ରାଷ୍ଟ୍ରରେ ଲୋକଙ୍କ ମଙ୍ଗଳ ପାଇଁ ସମସ୍ତ କାର୍ଯ୍ୟ କରାଯାଇଥାଏ। ସରକାରଙ୍କ ପାଖରେ ଥିବା ତଥ୍ୟ ଜନ ହିତ ପାଇଁ ଉଦ୍ଦିଷ୍ଟ ଏଣୁ ସାଧାରଣ ଲୋକଙ୍କ ପାଖରେ ଲୁଚାଇ ରଖିଥିବାର କୌଣସି ଯୈ।ଚିକଣା ନାହିଁ। କ୍ଷମତାସୀନ ରାଜ ନେତା ଏବଂ ସରକାରୀ କଳର କର୍ତ୍ତବ୍ୟ ବିଷୟରେ ନିର୍ଦ୍ଦିଷ୍ଟ ସୂଚନା ନଥିବାରୁ ପ୍ରଶାସନ ଉତ୍ତର ଦାୟୀ ଏବଂ ସମ୍ବେଦନଶୀଳ ନହୋଇ ସ୍ବେଛାଚାରୀ ହୋଇ ପଡ଼ୁଥିଲା। ବିଭିନ୍ନ ସରକାରୀ ପ୍ରକଳ୍ପ ଏବଂ ପରିଯୋଜନା ରେ ହେଉଥିବା ଖର୍ଚ୍ଚ ଏବଂ ହିତାଧିକାରୀମାନଙ୍କ ନ୍ୟାଯ୍ୟ ପ୍ରାପ୍ଯ ପ୍ରଦାନରେ ହେଉଥିବା ଦୁର୍ନୀତି ବିଷୟରେ ସଠିକ୍ ସମୟରେ ସଠିକ୍ ତଥ୍ୟ ପାଉନଥିବାରୁ ସାଧାରଣ ଲୋକେ ସରକାରୀ କଳ ବିରୋଧ ସ୍ବରତ୍ତୋଳନ କରିପାରୁ ନଥିଲେ।
ସରକାରୀ କଳକୁ ସମ୍ବେଦନଶୀଳ ଓ ସ୍ବଚ୍ଛତା ଆଣିବା ଉଦ୍ଦେଶ୍ୟରେ ୨୦୦୫ ମସିହାରେ ଆମ ଦେଶରେ ସୂଚନା ଅଧିକାର ଆଇନ ପ୍ରଣୀତ ହେଲା। ଏହି ଆଇନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ଲାଗୁ ହେଲା। ସରକାରୀ ଯୋଜନା ସରକାରୀ ଦପ୍ତରରୁ ଜନ ସାଧାରଣଙ୍କୁ ନ୍ୟାଯ୍ୟ ପ୍ରାପ୍ୟ ବିଷୟରେ ଲୋକଙ୍କୁ ଅବଗତ କରାଇବେ । ଯଦି କୌଣସି ବ୍ୟକ୍ତି କୌଣସି ସରକାରୀ ଦପ୍ତରରୁ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ବା ସୂଚନା ଚାହୁଁ ଥିଲେ ତାଙ୍କୁ ଯୋଗାଇ ଦିଆଯିବ। ସୂଚନା ଅଧିକାର ଆଇନ ଲୋକଙ୍କୁ ଅଧିକାର ପ୍ରଦାନ କରିଛି। ତଥ୍ୟ ଯୋଗାଇଦେବା ସରକାର ଓ ସରକାରୀ କର୍ମଚାରୀଙ୍କ ଉପରେ ଦାୟିତ୍ଵ ନ୍ୟସ୍ତ । ସରକାରୀ କାର୍ଯ୍ୟାଳୟ ମାନଙ୍କରେ ଆବେଦନକାରୀଙ୍କୁ ସୂଚନା ଯୋଗାଇ ଦେବା ପାଇଁ ଆବଶ୍ୟକ ମତେ ଜଣେ ବା ଅଧିକ ଲୋକ ସୂଚନା ଅଧିକାରୀ ନିଯୁକ୍ତି କରିବାର ବ୍ୟବସ୍ଥା ରହିଛି। ସେମାନଙ୍କ ନାମ, ଠିକଣା,ଓ ଯୋଗାଯୋଗ ପାଇଁ ଟେଲିଫୋନ ନମ୍ବର କାର୍ଯ୍ୟଳୟର ଫଳକରେ ଉଲ୍ଲେଖ କରିବାର ନିୟମ ରହିଛି। ମାତ୍ର ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥିବା ଅଧିକାଂଶ ସରକାରୀ ତପ୍ତରରେ ଏହି ସୂଚନା ଅଧିକାର ଫଳକ ଦେଖବାକୁ ମିଳୁ ନାହିଁ।
ଏହି ସୂଚନା ଅଧିକାର ଆଇନ ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଛି। ଏଥିପାଇଁ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ଆବଶ୍ୟକ। ଫଳରେ ଗଣତନ୍ତ୍ରର ପ୍ରକୃତ ମୂଲ୍ୟବୋଧ ବଜାୟ ରହିବ। ଏବଂ ସୂଚନା ଅଧିକାର ଆଇନ- ୨୦୦୫ ଉପଯୁକ୍ତ ବିନିଯୋଗ ହୋଇ ପାରିବ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)