ଭଞ୍ଜନଗର,୨୪/୧୦(ପିପିଟି): ଭଞ୍ଜନଗର ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି, ଡକାୟତି, ଲୁଟ ଓ ଆକ୍ରମଣ ଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଅପରାଧିମାନେ ଏଭଳି କାଣ୍ଡ ଘଟାଇ ଚାଲିଛନ୍ତି।ଗତ ୨୧ତାରିଖ ରାତି ପ୍ରାୟ ୯ଟା ସମୟରେ ତାରସିଙ୍ଗି ଥାନା ଅନ୍ତର୍ଗତ କୋକଳବା ପଞ୍ଚାୟତର ବିଜେଡ଼ି ସରପଞ୍ଚ ନିର୍ମଳ ଚନ୍ଦ୍ର ନାୟକ କୌଣସି କାମରେ ଭଞ୍ଜନଗର ଆସି କାର ନଂ ୟୁପି ୧୬ ୱାଇ ୫୯୦୧ ଯୋଗେ ଗ୍ରାମକୁ ଫେରୁଥିବା ବେଳେ ନିକଟସ୍ଥ ତୁଳସୀ ପଲି ଖଦାଳ ସାହି ଛକ ନିକଟରେ ହାଠାତ୍ ୩ଜଣ ଯୁବକ ଗାଡ଼ି ଅଟକାଇ ସରପଞ୍ଚ ଶ୍ରୀ ନାୟକଙ୍କୁ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଗାଡ଼ି ଭିତରୁ ଟାଣିଆଣି ଖଣ୍ଡାରେ ମୁଣ୍ଡକୁ ଆକ୍ରମଣ କରିଥିଲେ। ହେଲେ ସୌଭାଗ୍ୟ ବଶତଃ ସେ ଘୁଞ୍ଚି ଯିବାରୁ ଆକ୍ରମଣରୁ ବର୍ତ୍ତି ଯାଇଥିଲେ ଏବଂ ଖଣ୍ଡାଟି ଯାଇ କାର ର ସାମ୍ନା କାଚରେ ବାଜିବାରୁ କାଚ ଭାଙ୍ଗିଯାଇଥିଲା। ଏହି ସୁଯୋଗରେ ଶ୍ରୀ ନାୟକ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟ ଦୁଇଜଣ ଯୁବକ ତାଙ୍କୁ ମାଡ଼ ମାରିଥିଲେ।ସେହି ସମୟରେ କିଛି ଲୋକ ଆସୁଥିବା ଦେଖି ଆକ୍ରମଣକାରୀ ମାନେ ତାଙ୍କୁ ଛାଡ଼ି ଦେବା ସହ ଜୀବନରେ ମାରିଦେବାକୁ ଧମକ ଦେଇ ସେଠାରୁ ଚାଲିଯାଇଥିଲେ।ନିଜ ଜୀବନ ପ୍ରତି ବିପଦ ଥିବା ଆଶଙ୍କାରେ ଶ୍ରୀ ନାୟକ ଶନିବାର ଏସମ୍ପର୍କରେ ଭଞ୍ଜନଗର ଥାନାରେ ଅଭିଯୋଗ କରିଛନ୍ତି।ପୋଲିସ ଏହି ଘଟଣାରେ ଜଣକୁ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )
Prev Post