ପୋଲସରା,୩୦/୧୨(ପିପିଟି): ଅଖିଳ ଭାରତ କୃଷକ ସଭା ପୋଲସରା ଆଞ୍ଚଳିକ କମିଟି ପକ୍ଷରୁ ଆଜି ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ୭ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି। ଆଜି ସ୍ଥାନୀୟ ରତନି ଠାକୁରାଣୀ ମନ୍ଦିର ଠାରୁ ତିନି ଶତାଧିକ କୃଷକ ଏକ ଶୋଭାଯାତ୍ରା ରେ ବାହାରି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେଠାରେ ସମବେତ କୃଷକ ମାନଙ୍କୁ ଉଦବୋଧନ ଦେଇ ସିପିଆଇ ଗଞ୍ଜାମ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ ଭାରତ ନିତି ର ତିବ୍ର ସମାଲୋଚନା କରିଥିଲେ। ଏଥି ସହିତ ଦେଶର ବୃହତ ଶିଳ୍ପପତି ମାନଙ୍କୁ ଲକ୍ଷ ଲକ୍ଷ କୋଟି ଟଙ୍କା ଛାଡ କରୁଥିବା ବେଳେ ନଭେମ୍ବର ମାସ ରେ ଲଗାଣ ବର୍ଷା ଯୋଗୁଁ ଘଟିଥିବା ଫସଲ ହାନିର ବର୍ତ୍ତମାନ ସୁଦ୍ଧା ଆକଳନ ନ ହୋଇପାରିଲା ଦୁର୍ଭାଗ୍ୟଜନକ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଖିଳ ଭାରତ କୃଷକ ସଭା ର ଗଞ୍ଜାମ ଜିଲ୍ଲା ସମ୍ପାଦକ ରାଜୀବ ଲୋଚନ ପଣ୍ଡା , ବରିଷ୍ଠ କୃଷକ ନେତା ସୁଦର୍ଶନ ସ୍ୱାଇଁ , ଆଞ୍ଚଳିକ ସମ୍ପାଦକ ଦଣ୍ଡପାଣି ସାମଲ ଏବଂ ବିକେଏମ୍ୟୁ ନେତା ହରି ହର ପାତ୍ର ପ୍ରମୁଖ ଉଦବୋଧନ ଦେଇ ତୁରନ୍ତ ତାଷୀ ମାନଙ୍କୁ କ୍ଷତିପୂରଣ ଦେବା , କୃଷି ଋଣ ଛାଡ କରିବା , କ୍ଷତିଗ୍ରସ୍ତ ଚାଷୀକୁ ଫସଲ ବୀମା ଟଙ୍କା ତୁରନ୍ତ ଦେବା,ଚାଷୀ ମାନଙ୍କୁ ୫୫ ବର୍ଷ ବୟସରେ ମାସିକ ୩ ହଜାର ଟଙ୍କା ଭତ୍ତା ଦେବା,ଧାନ କୁଇଣ୍ଟାଲର ସର୍ବ ନିମ୍ନ ମୂଲ୍ୟ ୩ ହଜାର ଟଙ୍କା କରିବା ଏବଂ ଲଘୁଚାପ ଜନିତ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ଭାଗଚାଷୀ ମାନଙ୍କୁ ଚିହ୍ନଟ କରି କ୍ଷତିପୂରଣ ଦେବାପାଇଁ ଦାବି କରିଥିଲେ। ଶେଷରେ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୭ ଦଫା ସମ୍ବଳିତ ଦାବିପତ୍ର ସ୍ଥାନୀୟ ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ଗଣପତି ସାହୁ, ବିଜୟ ସାମନ୍ତରା, ଦୁର୍ଯୋଧନ ରାଉତ,ରବିନ୍ଦ୍ର ଜେନା,ପ୍ରତିମା ମହାପାତ୍ର, ଲକ୍ଷ୍ମୀ ପାତ୍ର, ରୁନୁ ସେଠୀ, ତ୍ରିନାଥ ସାମଲ ଏବଂ ଗାଣ୍ଡୁ ଗଉଡ ପ୍ରମୁଖ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ।