ବ୍ରହ୍ମପୁର ସହରରେ ଜଳ ନିଷ୍କାସନ ପାଇଁ ଅଗ୍ନିଶମ ବିଭାଗର ବ୍ୟାପକ ପ୍ରସ୍ତୁତି ।

ବ୍ରହ୍ମପୁର,୧୯/୧୧(ପିପିଟି): ସହରର ବିଭିନ୍ନ ଜଳବନ୍ଦୀ ଓ ଜଳମଗ୍ନ ଅଞ୍ଚଳରୁ ଜଳ ନିଷ୍କାସନ କରିବା ତଥା ଜନସାଧାରଣଙ୍କୁ ତୁରନ୍ତ ଆଶ୍ୱସ୍ତି ପ୍ରଦାନ କରିବା ଉଦ୍ଦେଶ୍ୟରେ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ପଦକ୍ଷେପ ଗ୍ରହଣ କରାଯାଇଛି ।

ଏଥିପାଇଁ ବ୍ରହ୍ମପୁର ସହରର ବିଭିନ୍ନ ସମ୍ବେଦନଶୀଳ ଓ ଜଳବନ୍ଦୀ ପ୍ରବଣ ଅଞ୍ଚଳରେ ୧୦ଟି ଉଚ୍ଚ କ୍ଷମତାସମ୍ପନ୍ନ ଡିୱାଟରିଂ ପମ୍ପ ଏବଂ ୨୦ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଏହି ଟିମ୍‌ଗୁଡ଼ିକ ଆବଶ୍ୟକୀୟ ଯନ୍ତ୍ରପାତି ଓ ଉପକରଣ ସହିତ ସଜାଗ ରହି ଜଳ ନିଷ୍କାସନ କାର୍ଯ୍ୟ ପାଇଁ ପ୍ରସ୍ତୁତ ଅଛନ୍ତି ।

ଅଗ୍ନିଶମ ବିଭାଗ ପକ୍ଷରୁ ଚିହ୍ନଟ କରାଯାଇଥିବା ଅଞ୍ଚଳଗୁଡ଼ିକ ମଧ୍ୟରେ ଅଶୋକ ନଗର ୩ୟ ଲାଇନ୍, ଗଜପତି ନଗର ୫ମ ଲାଇନ୍, ନୀଳାଚଳ ନଗର ୪ର୍ଥ ଲାଇନ୍, ଜୟପ୍ରକାଶ ନଗର, ନୀଳାଚଳ ନଗର ୩ୟ ଲାଇନ୍ ଏକ୍ସଟେନ୍ସନ୍, ରାଜାରାଣୀ ଆପାର୍ଟମେଣ୍ଟ, ଶ୍ୟାମା ନଗର, ଅଳକାପୁରୀ ଟାଉନସିପ୍ ୨ୟ ଲାଇନ୍, ଖୋଡ଼ାସିଂ ଗେଟ୍, ଶାରଦାବାଲି ଓ ବସୁଦେବ ନଗର ଆଦି ଅଞ୍ଚଳ ଅନ୍ତର୍ଭୁକ୍ତ ।

ଜନସାଧାରଣଙ୍କ ସୁରକ୍ଷା ଓ ସୁବିଧାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଦିନରାତି ସଜାଗ ରହିଛନ୍ତି । ଆବଶ୍ୟକତା ଅନୁଯାୟୀ ତୁରନ୍ତ ଜଳ ନିଷ୍କାସନ କାର୍ଯ୍ୟ ଆରମ୍ଭ କରିବା ସହିତ ଜଳବନ୍ଦୀ ଅଞ୍ଚଳରେ ଜନସାଧାରଣଙ୍କୁ ସହାୟତା ପ୍ରଦାନ ପାଇଁ ସମସ୍ତ ବ୍ୟବସ୍ଥା ରଖାଯାଇଛି ।

Comments (0)
Add Comment