ବାତ୍ୟା ଆସିଲେ ଛାଡ଼ିବାକୁ ପଡ଼ୁଛି ଭିଟାମାଟି: ଅସ୍ଥାୟୀ ଆଶ୍ରୟସ୍ଥଳରେ ଜୀବନ, ସ୍ଥାୟୀ ବିସ୍ଥାପନ ଦାବି ଜୋରଦାର ।

ବାଲିଗୁଡ଼ା:୧୯/୧୧(ପିପିଟି): ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା ଆସିଲେ ଘାରି ହେଉଛି ଘରଦ୍ୱାର। ନିଜ ଭିଟାମାଟିରେ ରହିବା ପରିବର୍ତ୍ତେ ସୁରକ୍ଷିତ ଆଶ୍ରୟ ଖୋଜିବାକୁ ପଡ଼ୁଛି। ବର୍ଷା ଓ ବାତ୍ୟାର ଖବର ଶୁଣିବା ମାତ୍ରେ ପିଲାଛୁଆଙ୍କୁ ଧରି ଆଶ୍ରୟସ୍ଥଳକୁ ଦୌଡ଼ିବାକୁ ପଡ଼ୁଛି। ଏଭଳି ଅନିଶ୍ଚିତତା ଓ ଭୟ ମଧ୍ୟରେ ଦିନ କାଟୁଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ୍ ହାତୀମୁଣ୍ଡା ପଞ୍ଚାୟତର କୁମ୍ଭାରୀପଦ୍ର ଗ୍ରାମବାସୀ।
ସମ୍ଭାବ୍ୟ ‘ଅକଭାନ’ ବାତ୍ୟାକୁ ନେଇ ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଥିବା ବେଳେ ଭୂସ୍ଖଳନ ଆଶଙ୍କାରେ ଗ୍ରାମବାସୀ ନିଜ ଘର ଛାଡ଼ି ତାମାଙ୍ଗି ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଅସ୍ଥାୟୀ ଆଶ୍ରୟସ୍ଥଳରେ ରହିଛନ୍ତି। ବିଦ୍ୟାଳୟର ବାରଣ୍ଡା ଓ ବିଭିନ୍ନ କୋଠରୀରେ ମହିଳା, ପୁରୁଷ ଓ ଶିଶୁମାନେ ଆଶ୍ରୟ ନେଇଥିବା ବେଳେ ସେମାନଙ୍କ ପାଇଁ ନିକଟସ୍ଥ ରୋଷେଇ ସେଡ୍‌ରେ ଖାଦ୍ୟ ପ୍ରସ୍ତୁତ କରାଯାଉଛି। ପ୍ରଶାସନ ପକ୍ଷରୁ ଖାଦ୍ୟ ଓ ରହିବାର ବ୍ୟବସ୍ଥା ହୋଇଥିବାରୁ ବିପଦ ସମୟରେ ଏହା ଗ୍ରାମବାସୀଙ୍କୁ ଆଶ୍ୱସ୍ତି ଦେଇଛି। କିନ୍ତୁ ପ୍ରତିଥର ବିପଦ ଆସିଲେ ଆଶ୍ରୟସ୍ଥଳକୁ ଯିବା ଏହି ଗ୍ରାମବାସୀଙ୍କ ପାଇଁ ଏକ ସ୍ଥାୟୀ ସମାଧାନ ହୋଇପାରିବ କି? ଏହି ପ୍ରଶ୍ନ ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଗ୍ରାମବାସୀ ଅଶୋକ ବଳିଆରସିଂଙ୍କ ସୂଚନା ଅନୁଯାୟୀ, କୁମ୍ଭାରୀପଦ୍ର ଗ୍ରାମର ଶାହିମୁଣ୍ଡ ଅଞ୍ଚଳରେ ୨୦୧୯ ମସିହାରୁ ଭୂସ୍ଖଳନ ସମସ୍ୟା ଦେଖାଦେଇଛି। ଦୀର୍ଘ ସାତ ବର୍ଷ ଧରି ଏହି ବିପଦର ଆଶଙ୍କା ମଧ୍ୟରେ ଜୀବନ ବିତାଉଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ହୋଇପାରିନାହିଁ। ପୂର୍ବରୁ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କ ବିସ୍ଥାପନ ପାଇଁ କେତେକ ସ୍ଥାନ ଚିହ୍ନଟ କରାଯାଇଥିଲା। ହେଲେ ଏଯାବତ୍ ସେହି ଯୋଜନା ବାସ୍ତବ ରୂପ ନେଇପାରିନାହିଁ। ଫଳରେ ଗ୍ରାମବାସୀଙ୍କ ମନରୁ ଭୂସ୍ଖଳନ ଭୟ ଦୂର ହେଉନାହିଁ। ପ୍ରତିଥର ବାତ୍ୟା କିମ୍ବା ପ୍ରବଳ ବର୍ଷାର ପୂର୍ବାଭାସ ମିଳିଲେ ନିଜ ଘର ଛାଡ଼ି ଅନ୍ୟତ୍ର ଆଶ୍ରୟ ନେବାକୁ ପଡ଼ୁଛି। ଏହାଦ୍ୱାରା ଦୈନନ୍ଦିନ ଜୀବନ, ପିଲାମାନଙ୍କ ପାଠପଢ଼ା, ଜୀବିକା ଓ ପାରିବାରିକ କାର୍ଯ୍ୟକଳାପ ପ୍ରଭାବିତ ହେଉଛି। ନିଜ ଘର ସୁରକ୍ଷିତ ଅଛି କି ନାହିଁ, ଫେରିଲେ ପୁଣି ସେଠାରେ ରହିପାରିବେ କି ନାହିଁ, ଏଭଳି ଆଶଙ୍କା ମଧ୍ୟରେ ରହୁଛନ୍ତି ପରିବାରଗୁଡ଼ିକ।ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ପ୍ରଶାସନର ତତ୍କାଳୀନ ଦାୟିତ୍ୱ ହୋଇଥିବା ବେଳେ ଦୀର୍ଘଦିନ ଧରି ଭୂସ୍ଖଳନ ଆଶଙ୍କାରେ ରହୁଥିବା ପରିବାର ଗୁଡ଼ିକର ସ୍ଥାୟୀ ଥଇଥାନ ମଧ୍ୟ ସମାନ ଗୁରୁତ୍ୱ ବହନ କରୁଛି। ଚିହ୍ନଟ ହୋଇଥିବା ବିସ୍ଥାପନ ସ୍ଥାନରେ ଆବଶ୍ୟକ ଭିତ୍ତିଭୂମି, ଘର ଓ ମୌଳିକ ସୁବିଧା ଯୋଗାଇ ଶୀଘ୍ର ପୁନର୍ବାସ ପ୍ରକ୍ରିୟା ଆରମ୍ଭ କରିବାକୁ ଗ୍ରାମବାସୀ ଦାବି ଉଠାଇଛନ୍ତି। ବର୍ତ୍ତମାନର ବାତ୍ୟା ପରିସ୍ଥିତିରେ ପ୍ରଶାସନର ତତ୍ପରତା ଓ ଆଶ୍ରୟସ୍ଥଳରେ ଖାଦ୍ୟ ବ୍ୟବସ୍ଥାକୁ ଗ୍ରାମବାସୀ ସ୍ୱାଗତ କରିଛନ୍ତି। ତେବେ ସାମୟିକ ରିଲିଫ୍‌ରେ ସମସ୍ୟାର ଅନ୍ତ ହେବ ନାହିଁ। ୨୦୧୯ରୁ ଲାଗି ରହିଥିବା ଭୂସ୍ଖଳନ ସମସ୍ୟାର ବୈଜ୍ଞାନିକ ଅନୁଧ୍ୟାନ କରିବା ସହ ବିସ୍ଥାପନ ଓ ପୁନର୍ବାସ ଯୋଜନାକୁ ତ୍ୱରାନ୍ୱିତ କରିବା ଏବେ ଜିଲ୍ଲା ପ୍ରଶାସନ ପାଇଁ ଏକ ବଡ଼ ଆହ୍ୱାନ ହୋଇଛି। ବିପଦ ଆସିଲେ ଘର ଛାଡ଼ିବା, ବିପଦ ଟଳିଲେ ପୁଣି ଫେରିବା ଏହି ଅନିଶ୍ଚିତ ଜୀବନରୁ କୁମ୍ଭାରୀପଦ୍ରବାସୀଙ୍କୁ କେବେ ମିଳିବ ମୁକ୍ତି ? ଏବେ ସମସ୍ତଙ୍କ ନଜର ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ।

ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Comments (0)
Add Comment