ସିଲ୍‌ ହେଲା ଗାଜଲବାଡ଼ି ଘାଟି, ଉଭୟ ପଟୁ ଯାତାୟାତ ବନ୍ଦ ।

ବାଲିଗୁଡ଼ା, ୧୯/୧୧ (ପିପିଟି): ପ୍ରକୃତିର ଦାଉରୁ ଏଯାଏଁ ସମ୍ପୂର୍ଣ୍ଣ ମୁକୁଳି ନଥିବା କନ୍ଧମାଳ ଜିଲ୍ଲାକୁ ପୁଣି ଘାରିଛି ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ଭୟ। ବାତ୍ୟାର ସମ୍ଭାବ୍ୟ ପ୍ରଭାବ ଓ ଘାଟି ଅଞ୍ଚଳରେ ଭୂସ୍ଖଳନ ଆଶଙ୍କାକୁ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି ଆଗୁଆ ସତର୍କତାମୂଳକ ପଦକ୍ଷେପ। କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାକୁ ସଂଯୋଗ କରୁଥିବା ଦାରିଙ୍ଗବାଡ଼ି ସୀମାନ୍ତ ଗାଜଲବାଡ଼ି ଘାଟି ରାସ୍ତାକୁ ପୁଣି ଉଭୟ ପଟୁ ସିଲ୍‌ କରି ଦିଆଯାଇଛି। ଫଳରେ ଦାରିଙ୍ଗବାଡ଼ି ଦେଇ ବ୍ରହ୍ମପୁର ଓ ଭଞ୍ଜନଗରକୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇପଡ଼ିଛି।କନ୍ଧମାଳ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଘାଟି ରାସ୍ତାରେ ସମସ୍ତ ପ୍ରକାର ଯାନବାହନ ଚଳାଚଳକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି। ଗଞ୍ଜାମ ଜିଲ୍ଲା ପଟେ ଗାଜଲବାଡ଼ି ନିକଟରେ ସୋରଡ଼ା ଥାନା ଆଇଆଇସି ସୁନୀଲ ପ୍ରଧାନଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ପୁଲିସ ବାହିନୀ ମୁତୟନ ହୋଇ ଯାନବାହନ ଚଳାଚଳକୁ ରୋକିଛନ୍ତି। ସେହିପରି କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣଙ୍କ ନିର୍ଦ୍ଦେଶକ୍ରମେ ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରଜ ପାତ୍ର ଓ ଥାନା ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କ ଉପସ୍ଥିତିରେ ବାଇମାଲା ଚେକ୍‌ଗେଟ୍‌ ନିକଟରେ ରାସ୍ତାକୁ ସିଲ୍‌ କରାଯାଇଛି। ଉଭୟ ପଟେ ପୁଲିସ ମୁତୟନ ରହି ଯାନବାହନ ଚାଳକଙ୍କୁ ଆଗକୁ ନଯିବା ପାଇଁ ସତର୍କ କରାଉଛନ୍ତି। ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଘାଟି ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ହେଲେ ଭୂସ୍ଖଳନ, ପାହାଡ଼ରୁ ପଥର ଓ ମାଟି ଧସିବା ସହ ରାସ୍ତା ଓ ପୋଲର ଭିତ୍ତିଭୂମି କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ବିଶେଷକରି ପାହାଡ଼ିଆ ଓ ଦୁର୍ବଳ ଭୂମି ଦେଇ ଯାଇଥିବା ଏହି ଘାଟି ରାସ୍ତାରେ ଯାତାୟାତ କରିବା ଯାତ୍ରୀ ଓ ଅନ୍ୟ ରାସ୍ତା ବ୍ୟବହାରକାରୀଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପାରେ। ତେଣୁ ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ତଥା ସମ୍ଭାବ୍ୟ ଅଘଟଣକୁ ଏଡ଼ାଇବା ଲକ୍ଷ୍ୟରେ ଏହି କଟକଣା ଲାଗୁ କରାଯାଇଛି। ପରବର୍ତ୍ତୀ ସରକାରୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଘାଟି ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିବ। ତେବେ ଘାଟି ରାସ୍ତା ବନ୍ଦ ହେବା ଫଳରେ କେବଳ ଯାତ୍ରୀ ପରିବହନ ନୁହେଁ, ଦୈନନ୍ଦିନ ଜୀବନଯାପନ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ଗଞ୍ଜାମ ଜିଲ୍ଲାରୁ କନ୍ଧମାଳକୁ ନିୟମିତ ଆସୁଥିବା ରାସନ ସାମଗ୍ରୀ, ପନିପରିବା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଦ୍ରବ୍ୟର ପରିବହନ ଏହି ରାସ୍ତା ଉପରେ ଅନେକାଂଶରେ ନିର୍ଭର କରିଥାଏ। ରାସ୍ତା ବନ୍ଦ ରହିଲେ ଏହାର ଯୋଗାଣ ବ୍ୟବସ୍ଥା ପ୍ରଭାବିତ ହେବା ସହ ବ୍ୟବସାୟୀ ଓ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ବଢ଼ିଛି। ସୂଚନାଯୋଗ୍ୟ ଯେ, ପୂର୍ବରୁ ବାତ୍ୟା ‘ଅର୍ଣ୍ଣବ’ ସମୟରେ ଗତ ୨୯ ତାରିଖରେ ଏହି ଗାଜଲବାଡ଼ି ଘାଟି ରାସ୍ତାରେ ବଡ଼ଧରଣର ଭୂସ୍ଖଳନ ହୋଇଥିଲା। ଏଥିସହ ଗାଜଲବାଡ଼ିକୁ ସଂଯୋଗ କରୁଥିବା ଅଡ଼ଙ୍ଗୀ ନଦୀ ନିକଟରେ ପ୍ରାୟ ୩୬୦ ମିଟର ରାସ୍ତା ଓ ପୋଲ ବର୍ଷାଜଳର ପ୍ରବଳ ସ୍ରୋତରେ ଧୋଇ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ଅସ୍ଥାୟୀ ମରାମତି କରାଯାଇ ଚଳିତ ମାସ ୬ ତାରିଖଠାରୁ କେବଳ ହାଲୁକା ଯାନବାହନ ଚଳାଚଳକୁ ଅନୁମତି ଦିଆଯାଇଥିଲା। ଯାତ୍ରୀବାହୀ ବସ୍‌ ଓ ଭାରୀଯାନ ଚଳାଚଳ ଉପରେ କିନ୍ତୁ ପୂର୍ବରୁ କଟକଣା ଜାରି ରହିଥିଲା। ଏବେ ପୁଣି ଏକ ସମ୍ଭାବ୍ୟ ବାତ୍ୟାର ଆଶଙ୍କା ଦେଖାଦେବା ପରେ ପ୍ରଶାସନ ପକ୍ଷରୁ ଘାଟି ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବା ଘଟଣା ଏହି ଅଞ୍ଚଳରେ ଯାତାୟାତ ଓ ଯୋଗାଣ ବ୍ୟବସ୍ଥାକୁ ପୁଣି ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଛି। ତଥାପି ପ୍ରଶାସନର ଏହି ପଦକ୍ଷେପ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ତେଣୁ ଯାତ୍ରୀ, ଗାଡ଼ିଚାଳକ ଓ ସାଧାରଣ ଲୋକେ ପ୍ରଶାସନର ନିର୍ଦ୍ଦେଶକୁ ଅବମାନନା ନକରି ଧୈର୍ଯ୍ୟର ସହ ପରିସ୍ଥିତିର ମୁକାବିଲା କରିବା ସହ ନିଜ ସୁରକ୍ଷା ଏବଂ ଅନ୍ୟମାନଙ୍କ ସୁରକ୍ଷା ପ୍ରତି ସଚେତନ ରହିବାକୁ ଅନୁରୋଧ କରାଯାଇଛି।

ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Comments (0)
Add Comment