ବାତ୍ୟା ଆଶଙ୍କାରେ ଭିତରକନିକା ବନ୍ଦ, ୧୯ରୁ ୨୧ ଯାଏଁ ପର୍ଯ୍ୟଟକଙ୍କ ପ୍ରବେଶ ନିଷେଧ ।

କେନ୍ଦ୍ରାପଡ଼ା,୧୯/୧୧: ସମ୍ଭାବ୍ୟ ବାତ୍ୟା ‘ଅକଭାନ’ର ମୁକାବିଲା ପାଇଁ ପ୍ରଶାସନିକ ସତର୍କତା ଜୋରଦାର ହୋଇଥିବାବେଳେ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନକୁ ତିନିଦିନ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ନଭେମ୍ବର ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ଭିତରକନିକା ପ୍ରବେଶ ଅନୁମତି ମିଳିବ ନାହିଁ। ଏହି ସମୟରେ ଜାତୀୟ ଉଦ୍ୟାନ ମଧ୍ୟରେ ସମସ୍ତ ପ୍ରକାର ନୌଯାତ୍ରା ଓ ବୋଟ୍ ଚଳାଚଳ ଉପରେ କଟକଣା ଲଗାଯାଇଛି। ଏଥିସହ ପର୍ଯ୍ୟଟକଙ୍କ ରାତ୍ରିଯାପନ ପାଇଁ ପୂର୍ବରୁ କରାଯାଇଥିବା ସମସ୍ତ ବୁକିଂକୁ ବାତିଲ କରାଯାଇଛି। ରାଜନଗର ବନଖଣ୍ଡ ଅଧିକାରୀଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ପ୍ରବଳ ବର୍ଷା, ପବନ ଓ ଜଳପଥରେ ଅସୁରକ୍ଷିତ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ପର୍ଯ୍ୟଟକଙ୍କ ଯାତାୟାତକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି। ଏହି ପଦକ୍ଷେପ କେବଳ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ନୁହେଁ, ବରଂ ଭିତରକନିକାର ଜଙ୍ଗଲ, ନଦୀନାଳ, ମ୍ୟାନଗ୍ରୋଭ୍ ଅରଣ୍ୟ ଓ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ମଧ୍ୟ ଦୃଷ୍ଟିରେ ରଖି ନିଆଯାଇଛି। ତେଣୁ ନଭେମ୍ବର ୧୯ରୁ ୨୧ ମଧ୍ୟରେ ଭିତରକନିକା ଭ୍ରମଣ ପାଇଁ ଯୋଜନା କରିଥିବା ପର୍ଯ୍ୟଟକମାନେ ନିଜର ଯାତ୍ରା ସ୍ଥଗିତ ରଖିବାକୁ ବନ ବିଭାଗ ପରାମର୍ଶ ଦେଇଛି। ବାତ୍ୟାର ଗତିପଥ, ପ୍ରଭାବ ଓ ପାଣିପାଗ ସ୍ଥିତିର ସମୀକ୍ଷା ପରେ ଭିତରକନିକା ଖୋଲିବା ସମ୍ପର୍କରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।

Comments (0)
Add Comment