ଗଞ୍ଜାମ ଜିଲ୍ଲାରେ ୧ ଲକ୍ଷ ୩୮ ହଜାରରୁ ଊର୍ଦ୍ଧ୍ୱ ଲୋକ ସ୍ଥାନାନ୍ତରିତ, ୫୮୯ଟି ମାଗଣା ରନ୍ଧାଖାଦ୍ୟ କେନ୍ଦ୍ର କାର୍ଯ୍ୟକ୍ଷମ ।

ବ୍ରହ୍ମପୁର,୧୯/୧୧(ପିପିଟି):ସମ୍ଭାବ୍ୟ ବାତ୍ୟା ‘ଅକଭାନ୍’ର ମୁକାବିଲା ତଥା ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ଆଗୁଆ ପ୍ରସ୍ତୁତି ସହ ବିଭିନ୍ନ ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରାଯାଇଛି । ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ବିପଦସଙ୍କୁଳ ଅଞ୍ଚଳରୁ ଲୋକଙ୍କ ସ୍ଥାନାନ୍ତର, ଆଶ୍ରୟସ୍ଥଳୀରେ ରହଣି ଓ ଖାଦ୍ୟ ଯୋଗାଣ,ଉଦ୍ଧାରକାରୀ ଦଳ ମୁତୟନ ଏବଂ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି ।

ଗୋପାଳପୁରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଏହି ସୂଚନା ଦେଇଛନ୍ତି ।

ନଭେମ୍ବର ୧୯ ତାରିଖ ସନ୍ଧ୍ୟା ସୁଦ୍ଧା ଜିଲ୍ଲାର ପ୍ରାୟ ୫୮୫ଟି ବିପଦସଙ୍କୁଳ ଗ୍ରାମ ଓ ୱାର୍ଡରୁ ୧ ଲକ୍ଷ ୩୮ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସ୍ଥାନାନ୍ତରିତ ଲୋକଙ୍କ ରହଣି ନିମନ୍ତେ ୭୯ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଓ ୫୫୦ଟି ଅସ୍ଥାୟୀ ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯାଇଛି । ସେହିପରି ଆଶ୍ରୟସ୍ଥଳୀରେ ଅବସ୍ଥାନ କରୁଥିବା ଲୋକଙ୍କୁ ମାଗଣାରେ ରନ୍ଧାଖାଦ୍ୟ ଯୋଗାଇଦେବା ପାଇଁ ଜିଲ୍ଲାରେ ୫୮୯ଟି ରନ୍ଧାଖାଦ୍ୟ କେନ୍ଦ୍ର କାର୍ଯ୍ୟକ୍ଷମ କରାଯାଇଛି ।

ବାତ୍ୟା ସମୟରେ ଖାଦ୍ୟ ସାମଗ୍ରୀର ଉପଲବ୍ଧତା ସୁନିଶ୍ଚିତ କରିବା ନିମନ୍ତେ ଆବଶ୍ୟକ ପରିମାଣର ଚୁଡ଼ା ଓ ଗୁଡ଼ ବଣ୍ଟନ କରାଯାଇଛି । ଏଥିସହ ଜରୁରୀକାଳୀନ ପରିସ୍ଥିତିରେ ଖାଦ୍ୟ ଯୋଗାଣ ଅବ୍ୟାହତ ରଖିବା ପାଇଁ ଅତିରିକ୍ତ ଶୁଖିଲା ଖାଦ୍ୟ ସାମଗ୍ରୀ ମଧ୍ୟ ମହଜୁଦ ରଖାଯାଇଛି ।

ଗର୍ଭବତୀ ମହିଳା ଓ ନବଜାତ ଶିଶୁଙ୍କ ସୁରକ୍ଷା ପ୍ରତି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି । ନଭେମ୍ବର ୩୦ ତାରିଖ ସୁଦ୍ଧା ପ୍ରସବ ତାରିଖ ଥିବା ମୋଟ ୧,୮୦୩ ଜଣ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୧,୩୦୬ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ନଭେମ୍ବର ୧୯ ତାରିଖରେ ୪୭ ଜଣ ମହିଳାଙ୍କ ପ୍ରସବ ହୋଇଥିବା ବେଳେ ନଭେମ୍ବର ୧୬ ତାରିଖଠାରୁ ଏପର୍ଯ୍ୟନ୍ତ ଜିଲ୍ଲାରେ ମୋଟ ୩୪୪ଟି ପ୍ରସବ ହୋଇଛି ।

ବିପର୍ଯ୍ୟୟର ମୁକାବିଲା ତଥା ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ପାଇଁ ଜିଲ୍ଲାରେ ୪ଟି ଓଡ୍ରାଫ୍ ଟିମ୍‌ର ୧୨ଟି ଉପଦଳ, ୩ଟି ଏନ୍‌ଡିଆର୍‌ଏଫ୍ ଟିମ୍ ଏବଂ ଅଗ୍ନିଶମ ବାହିନୀର ୨୪ଟି ଟିମ୍ ମୁତୟନ କରାଯାଇଛି । ସେହିପରି ଗଛ କାଟିବା,ରାସ୍ତାରୁ ଅବରୋଧ ହଟାଇବା ଓ ଯୋଗାଯୋଗ ବ୍ୟବସ୍ଥାର ପୁନରୁଦ୍ଧାର ନିମନ୍ତେ ୧୦ଟି ଓଏଫ୍‌ଡିସି ଟିମ୍‌କୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି ।

ବାତ୍ୟା ପରବର୍ତ୍ତୀ ସମୟରେ ରାସ୍ତାଘାଟ, ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ତ୍ୱରିତ ପୁନରୁଦ୍ଧାର ନିମନ୍ତେ ଆବଶ୍ୟକ ଯନ୍ତ୍ରପାତି ଓ ସାମଗ୍ରୀ ଆଗୁଆ ମହଜୁଦ ରଖାଯାଇଛି । ଏଥିମଧ୍ୟରେ ୧୦୦ରୁ ଊର୍ଦ୍ଧ୍ୱ ଜେସିବି,ପାଖାପାଖି ୧୯୧ଟି ଜେନେରେଟର ସେଟ୍,୩୫୦ରୁ ଅଧିକ ପାଣି ଟ୍ୟାଙ୍କର, ୬୦ରୁ ଅଧିକ ପମ୍ପସେଟ୍ ଓ ପାଖାପାଖି ୯,୦୦୦ ବାଲିବସ୍ତା ରହିଛି। ବାତ୍ୟା ପରେ ଯୋଗାଯୋଗ,ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ ସେବାକୁ ଯଥାଶୀଘ୍ର ସ୍ୱାଭାବିକ କରିବା ନିମନ୍ତେ ସମ୍ପୃକ୍ତ ବିଭାଗଗୁଡ଼ିକୁ ଆବଶ୍ୟକ ପ୍ରସ୍ତୁତି ସହ ସଜାଗ ରଖାଯାଇଛି ।

ଅନ୍ୟପକ୍ଷରେ, ବାତ୍ୟା ‘ଅକଭାନ୍’ର ପ୍ରଭାବରେ ନଭେମ୍ବର ୧୯ ତାରିଖ ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ଅଞ୍ଚଳରେ ବର୍ଷା ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ ଜିଲ୍ଲାର ହାରାହାରି ବର୍ଷା ପରିମାଣ ୧୮.୬୨୪ ମିଲିମିଟର ରହିଛି ।

ବିଭିନ୍ନ ଅଞ୍ଚଳରେ ରେକର୍ଡ ବର୍ଷା ପରିମାଣ ମଧ୍ୟରେ ପାତ୍ରପୁର ବ୍ଲକ୍‌ରେ ସର୍ବାଧିକ ୪୦ ମିଲିମିଟର, ପୁରୁଷୋତ୍ତମପୁରରେ ୩୭ ମିଲିମିଟର ଏବଂ ଗୋପାଳପୁର ଏନ୍‌ଏସି ଅଞ୍ଚଳରେ ୩୨.୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏହାବ୍ୟତୀତ ଛତ୍ରପୁରରେ ୨୬.୪ ମିଲିମିଟର, ଚିକିଟିରେ ୨୬ ମିଲିମିଟର, ହିଞ୍ଜିଳିକାଟୁରେ ୨୪ ମିଲିମିଟର, କୋଦଳାରେ ୨୨.୬ ମିଲିମିଟର, ବ୍ରହ୍ମପୁର ମହାନଗର ନିଗମର ବ୍ରଜନଗର ଅଞ୍ଚଳରେ ୨୨ ମିଲିମିଟର ଏବଂ ସାନଖେମୁଣ୍ଡିରେ ୨୦.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ବର୍ଷା ହୋଇଛି ।

ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବା ସହ ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ନିୟନ୍ତ୍ରଣ କକ୍ଷକୁ ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ରଖାଯାଇଛି । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ବାତ୍ୟା ପୂର୍ବ, ବାତ୍ୟା ସମୟ ଓ ବାତ୍ୟା ପରବର୍ତ୍ତୀ ସମୟରେ ଜରୁରୀକାଳୀନ ସେବା ନିରବଚ୍ଛିନ୍ନ ରଖିବା ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇଛି ।

ଜନସାଧାରଣ ଆତଙ୍କିତ ନହୋଇ ସତର୍କ ରହିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୟାନୁସାରେ ଜାରି କରାଯାଉଥିବା ସତର୍କ ସୂଚନା ଓ ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରାଯାଇଛି । ନିଜ ଅଞ୍ଚଳରେ ବିପଦର ଆଶଙ୍କା ଥିଲେ ବିଳମ୍ବ ନକରି ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ନିରାପଦ ସ୍ଥାନକୁ ଯିବାକୁ ପ୍ରଶାସନ ପରାମର୍ଶ ଦେଇଛି ।

Comments (0)
Add Comment