ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ।

ମାଲକାନଗିରି,୦୧/୧୦ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଆଜି ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ-୨୦୨୬ ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବେଦବର ପ୍ରଧାନ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମାରୋହର ଶୁଭ ଉଦ୍‌ଘାଟନ କରିଥିଲେ। ବରିଷ୍ଠ ନାଗରିକମାନଙ୍କ ସମାଜ ପ୍ରତି ଅବଦାନ ଓ ସୁରକ୍ଷା ସମ୍ପର୍କରେ ଆଲୋକପାତ କରି ସେ କହିଥିଲେ, ବରିଷ୍ଠ ନାଗରିକମାନେ ଆମ ସମାଜର ମାର୍ଗଦର୍ଶକ ଓ ଅଭିଭାବକ। ସେମାନଙ୍କ ଅନୁଭବ, ଜ୍ଞାନ ଓ ଆଶୀର୍ବାଦ ସମାଜକୁ ସଠିକ୍ ଦିଗଦର୍ଶନ ଦେଇଥାଏ। ସେମାନଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ ଆଇନଗତ ଅଧିକାର ସୁନିଶ୍ଚିତ କରିବା ସହ ସମ୍ମାନଜନକ ଜୀବନଯାପନର ପରିବେଶ ଯୋଗାଇ ଦେବା ଜିଲ୍ଲା ପ୍ରଶାସନର ପ୍ରାଥମିକତା ବୋଲି ସେ ମତ ପ୍ରକାଶ କରିଥିଲେ।
ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଜଜ୍ ସଙ୍ଗୀତା ପାତ୍ର, ମାଲକାନଗିରି ବିଧାୟକଙ୍କ ପ୍ରତିନିଧି ନିହାର ରାୟ, ଜିଲ୍ଲା ବରିଷ୍ଠ ନାଗରିକ ସଂଗଠନର ସମ୍ପାଦକ ଅଶୋକ ସାମଲ, ଉପଦେଷ୍ଟା ରବିନ୍ଦ୍ର କୁମାର ମହାରଣା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ ବିଶେଷଜ୍ଞ ଡା. ବାସନ୍ତୀ ହାଁସଦା ଯୋଗଦେଇ ବରିଷ୍ଠ ନାଗରିକଙ୍କ ପାଇଁ ଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ଓ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ଆଲୋଚନା କରିଥିଲେ।
ଦିବସ ପାଳନ ଅବସରରେ ସକାଳ ୭ଟାରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା। ଏହାପରେ ସ୍ଥାନୀୟ ପାଠାଗାର ପରିସରରେ ବୃକ୍ଷରୋପଣ, ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଏବଂ ସଚେତନତା ପଦଯାତ୍ରା ଆୟୋଜିତ ହୋଇଥିଲା। ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ସାଧାରଣ ସଭାରେ ଆଇନଗତ ସଚେତନତା କର୍ମଶାଳା ସହ ‘ନିଶାମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ଶପଥ ପାଠ କରାଯାଇଥିଲା।
କାର୍ଯ୍ୟକ୍ରମର ଶେଷ ଭାଗରେ ମନୋଜ୍ଞ ଭଜନ ସମାରୋହ ଅନୁଷ୍ଠିତ ହେବା ସହ ବିଭିନ୍ନ ସାମାଜିକ କ୍ଷେତ୍ରରେ ଅତୁଳନୀୟ ଯୋଗଦାନ ପାଇଁ ୬ ଜଣ ବରିଷ୍ଠ ନାଗରିକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳଚନ୍ଦ୍ର ଧାରୁଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳିତ ହୋଇଥିବା ବେଳେ ବିଭାଗୀୟ କର୍ମଚାରୀ ସହଯୋଗ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Comments (0)
Add Comment