ବ୍ରହ୍ମପୁର,୨୪/୧୧(ପିପିଟି): ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାର ଅଭିଯୋଗକାରୀ ତାଙ୍କ ସାନଭାଇ ପୂର୍ଣ୍ଣଚନ୍ଦ୍ର ପଣ୍ଡା (୪୮)ଙ୍କ ମଙ୍ଗଳବାର ସକାଳେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଟ୍ୟୁମର ଅସ୍ତ୍ରୋପଚାର ପରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି। ପୀତବାସଙ୍କ ହତ୍ୟା ମାମଲାରେ ପୂର୍ଣ୍ଣଚନ୍ଦ୍ର ଅଭିଯୋଗକାରୀ ଥିବାରୁ ତାଙ୍କ ମୃତ୍ୟୁ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ଅନୁଯାୟୀ, ୨୦୨୫ ମସିହା କୁମାର ପୂର୍ଣ୍ଣିମା ରାତିରେ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ବହୁଚର୍ଚ୍ଚିତ ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ମୋଟ ୧୬ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ। ନିକଟରେ ବିକ୍ରମ ପଣ୍ଡା ଜାମିନରେ ମୁକୁଳିଛନ୍ତି । ହାଇକୋର୍ଟଙ୍କ ଜାମିନ ଆଦେଶକୁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିବାବେଳେ ଆସନ୍ତା ୨୭ ତାରିଖରେ ଏହାର ଶୁଣାଣି ହେବାକୁ ଧାର୍ଯ୍ୟ ହୋଇଛି । ଏହି ମାମଲାରେ ବିକ୍ରମ ପଣ୍ଡାଙ୍କ ସହ ଅଭିଯୋଗକାରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଥିଲା । ଏଭଳି ସମୟରେ ମାମଲାର ଅଭିଯୋଗକାରୀଙ୍କ ପରଲୋକ ନ୍ୟାୟିକ ପ୍ରକ୍ରିୟାକୁ ନେଇ ନୂଆ ପ୍ରଶ୍ନ ସୃଷ୍ଟି କରିଛି । ତେବେ ତାଙ୍କ ମୃତ୍ୟୁର ପ୍ରଭାବ ଆଗାମୀ ଆଇନଗତ ପ୍ରକ୍ରିୟା ଉପରେ କିପରି ପଡ଼ିବ, ତାହା ଆସନ୍ତା ଶୁଣାଣି ପରେ ସ୍ପଷ୍ଟ ହେବ ।