ସରିଲା ପବିତ୍ର କାର୍ତ୍ତିକ ମାସ, ଲୁହଭିଜା ବିଦାୟ ନେଲେ ହବିଷ୍ୟାଳୀ ।

0 0

ପୁରୀ,୨୪/୧୧(ପିପିଟି):ମାସେ ଧରି ଶ୍ରୀକ୍ଷେତ୍ରରେ ଭକ୍ତି, ଆସ୍ଥା ଓ ଆଧ୍ୟାତ୍ମିକତାର ପରିବେଶରେ ବ୍ରତ ପାଳନ କରିବା ପରେ ଶେଷ ହୋଇଛି ପବିତ୍ର କାର୍ତ୍ତିକ ମାସ। କାର୍ତ୍ତିକ ପୂର୍ଣ୍ଣିମାର ପୁଣ୍ୟ ପ୍ରଭାତରେ ମହୋଦଧିରେ ବୁଡ଼ ପକାଇ, କଦଳୀ ପଟୁକାରେ ନିର୍ମିତ ଡଙ୍ଗାରେ ଫୁଲ, ଦୀପ ଓ ଧୂପ ରଖି ବୋଇତ ଭସାଇବା ସହ ବାଲୁକା ପୂଜା କରି ହବିଷ୍ୟାଳୀମାନେ ନିଜର ଏକମାସିଆ ବ୍ରତ ଉଦ୍‌ଯାପନ କରିଛନ୍ତି। ଭୋରରୁ ମହୋଦଧି କୂଳରେ ହବିଷ୍ୟାଳୀଙ୍କ ଭିଡ଼ ଜମିଥିବାବେଳେ ‘ଆ କା ମା ବୈ’ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସମୁଦ୍ରକୂଳ। ଡଙ୍ଗା ଭସାଇବା ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରି ଅନେକ ହବିଷ୍ୟାଳୀ ଭାବବିହ୍ୱଳ ହୋଇପଡ଼ିଥିଲେ। ଏକମାସ ଧରି ବଡ଼ି ଭୋରରୁ ସ୍ନାନ, ତୁଳସୀ ଚଉରା ମୂଳେ ଦୀପଦାନ, ଭାଗବତ ପାଠ, ନାମ ସଂକୀର୍ତ୍ତନ ଓ ମହାପ୍ରଭୁଙ୍କ ଦର୍ଶନରେ ବିତିଥିବା ଜୀବନରେ ଆଜି ପଡ଼ିଛି ପୂର୍ଣ୍ଣଚ୍ଛେଦ। ହବିଷ୍ୟାଳୀ ଶିବିର, ମଠବାଡ଼ି ଓ ଲଜ୍‌ଗୁଡ଼ିକରେ ଏବେ ଆରମ୍ଭ ହୋଇଛି ଘରବାହୁଡ଼ା ପ୍ରକ୍ରିୟା। ମାସେ ଧରି ଗୋଟିଏ ପରିବାର ଭଳି ରହିଥିବା ମହିଳାମାନେ ପରସ୍ପରକୁ କୁଣ୍ଢାଇ ଧରି ଲୁହଭିଜା ଆଖିରେ ବିଦାୟ ଦେଉଛନ୍ତି। କାହାର ଦେହ ଖରାପ ହେଲେ ଅନ୍ୟମାନେ ସେବା କରୁଥିଲେ, ମନ ଦୁଃଖ ହେଲେ କାଳିଆଙ୍କ ନାମ ନେଇ ସାନ୍ତ୍ୱନା ଦେଉଥିଲେ। ଏକାଠି ରୋଷେଇ, ଏକାଠି ଭୋଜନ, ଭଜନ ଓ କୀର୍ତ୍ତନ ମଧ୍ୟରେ ଗଢ଼ିଉଠିଥିବା ଆତ୍ମୀୟତା ଆଜି ବିଦାୟ ବେଳେ ସମସ୍ତଙ୍କୁ ଭାବପ୍ରବଣ କରିଦେଇଛି। କେହି ବ୍ୟାଗ୍‌ ଓ ଟ୍ରଙ୍କ ଗାଡ଼ିରେ ରଖୁଥିବାବେଳେ ଆଉ କେହି ସାଥୀ ହବିଷ୍ୟାଳୀଙ୍କୁ ଆଲିଙ୍ଗନ କରି ଆର ବର୍ଷ ପୁଣି ଦେଖାହେବାର ପ୍ରତିଶ୍ରୁତି ଦେଉଛନ୍ତି। ବୃନ୍ଦାବତୀ ନିବାସ ସମେତ ବିଭିନ୍ନ ଶିବିରରେ ବିଦାୟର ଏହି ଦୃଶ୍ୟ ହୃଦୟସ୍ପର୍ଶୀ ହୋଇଛି। ମାସେ ଧରି ଭଜନ, କୀର୍ତ୍ତନ ଓ ହରିନାମରେ ମୁଖରିତ ଶ୍ରୀକ୍ଷେତ୍ରରେ ଏବେ ଧୀରେ ଧୀରେ ନିରବତା ଛାଇଯାଇଛି। ଘରକୁ ଫେରିବାର ଖୁସି ଥିଲେ ମଧ୍ୟ ମନରେ ରହିଛି କାଳିଆକୁ ଛାଡ଼ି ଯିବାର କୋହ। ସମସ୍ତଙ୍କ ମନରେ ଗୋଟିଏ ପ୍ରାର୍ଥନା—ହେ କାଳିଆ, ଆସନ୍ତା ବର୍ଷ ପୁଣି ତୋ ଶ୍ରୀକ୍ଷେତ୍ରକୁ ଡାକି ଆଣିବୁ।

Leave A Reply

Your email address will not be published.