ଅଦିନିଆ ବାତ୍ୟାରେ ଭାଙ୍ଗୁଛି ଚାଷୀର ମେରୁଦଣ୍ଡ ।

0 0

ରେଙ୍ଗାଲିକ୍ୟାମ୍ପ, ୨୧/୧୧(ପିପିଟି): ପ୍ରକୃତିର ଅନିଶ୍ଚିତତା ଓ ବ୍ୟବସ୍ଥାର ଧିମେଇ ଯାଇଥିବା ଗତି ମଧ୍ୟରେ ଯେତେବେଳେ ଜଣେ ଚାଷୀ ଫସିଯାଏ, ସେତେବେଳେ କେବଳ ଗୋଟିଏ ଋତୁର ଫସଲ ନଷ୍ଟ ହୁଏ ନାହିଁ; ବରଂ ଭାଙ୍ଗିଯାଏ ଏକ ପୂରା ପରିବାରର ଭବିଷ୍ୟତ ଓ ଆତ୍ମବିଶ୍ୱାସ। ବରଗଡ଼ ଜିଲ୍ଲାର ଅତାବିରା ବ୍ଲକ ସମେତ ଧାନ ଚାଷ ଉପରେ ନିର୍ଭରଶୀଳ ଅଞ୍ଚଳଗୁଡ଼ିକରେ ଏବେ ଯେଉଁ ଦୃଶ୍ୟ ଦେଖିବାକୁ ମିଳୁଛି, ତାହା କୌଣସି ପ୍ରଶାସନିକ ବ୍ୟବସ୍ଥା ପାଇଁ ଏକ ବଡ଼ ଚେତାବନୀ। ଗୋଟିଏ ପରେ ଗୋଟିଏ ଅଦିନିଆ ବାତ୍ୟା—ପ୍ରଥମେ ‘ଅର୍ଣ୍ଣବ’, ତା’ପରେ ‘ମୁରାଶୁ’ ଏବଂ ଏବେ ‘ଅକଭାନ’—ଚାଷୀଙ୍କ ପରିଶ୍ରମ ଓ ସ୍ୱପ୍ନକୁ ବାରମ୍ବାର ଆଘାତ ଦେଇ ଚାଲିଛି। କ୍ଷୀର ଖାଉଥିବା ଧାନଠାରୁ ଆରମ୍ଭ କରି କେଣ୍ଡା ନଇବା ଓ ଅମଳ ବେଳ ପର୍ଯ୍ୟନ୍ତ ପ୍ରକୃତିର ଏହି ଲଗାତାର ମାଡ଼ ଚାଷୀକୁଳକୁ ଅକଥନୀୟ ଦୁଃଖ ଭିତରକୁ ଠେଲି ଦେଇଛି।
ଅଧିକ ଚିନ୍ତାଜନକ କଥା ହେଉଛି, ଚାଷୀମାନେ ପୈତୃକ ବୃତ୍ତିକୁ ସମ୍ମାନ ଦେଇ ନିଜର ଶିକ୍ଷିତ ଯୁବ ପିଢ଼ିକୁ ମଧ୍ୟ ଚାଷ କାର୍ଯ୍ୟରେ ଲଗାଇଥିଲେ। ପରିବାରର ମୁହଁରୁ ଦାନା ଛଡ଼େଇ, ଋଣ ଓ ପରିଶ୍ରମର ବୋଝ ମୁଣ୍ଡାଇ ସେମାନେ ଜମିରେ ସୁନାର ଫସଲ ଫଳାଇଥିଲେ। ପିଲାଙ୍କ ସ୍କୁଲ ଫି’, ବାପା-ମା’ଙ୍କ ଔଷଧ ବାକିଆ ସୁଝିବା ଏବଂ ଘରର ଛୋଟମୋଟ ଆବଶ୍ୟକତା ପୂରଣ କରିବା ଭଳି ସ୍ୱପ୍ନ ଅମଳ ସମୟ ସହିତ ଯୋଡ଼ି ହୋଇଥିଲା। କିନ୍ତୁ ଅମଳ ବେଳେ ଅଦିନିଆ ବର୍ଷା ଓ ବାତ୍ୟାରେ ଧାନ ଗଛ ଶୋଇ ପଡ଼ିବା ଏବଂ ଜମିରେ ପାଣି ଜମି ରହିବା ଫଳରେ ପାଚିଲା ଧାନରେ ଗଜା ମାରିବାର ଆଶଙ୍କା ବଢ଼ିଯାଇଛି।

ଏହି ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରେ ସବୁଠାରୁ ବଡ଼ ବିଡ଼ମ୍ବନା ହେଉଛି ମଣ୍ଡି ଖୋଲିବାରେ ବିଳମ୍ବ। ଧାନ ଅମଳ ଆରମ୍ଭ ହୋଇସାରିଥିଲେ ମଧ୍ୟ ମଣ୍ଡି ବ୍ୟବସ୍ଥା କାର୍ଯ୍ୟକ୍ଷମ ନ ହେବା ଯୋଗୁଁ ଚାଷୀମାନେ ବାଧ୍ୟ ହୋଇ ଖୋଲା ସ୍ଥାନ କିମ୍ବା ରାସ୍ତା କଡ଼ରେ ଧାନ ରଖୁଛନ୍ତି। ସ୍ଥାନ ଅଭାବରୁ ପଡ଼ି ରହିଥିବା ସେହି ଧାନ ଏବେ ବର୍ଷା ପାଣିରେ ଭିଜୁଛି ଓ ଭାସୁଛି। ବର୍ଷାରେ ଭିଜି ଧାନ ନଷ୍ଟ ହେଉଥିବା ଦେଖି ଜଣେ ଅନ୍ନଦାତାର ମନରେ କେଉଁ ପ୍ରକାର ମାନସିକ ଯନ୍ତ୍ରଣା ହେଉଥିବ, ତାହା ସହଜରେ ଅନୁମେୟ।
ଅନ୍ୟପଟେ, ଧାନ କିଣାକୁ ନେଇ ସରକାରୀ ନୀତି ନିୟମ ଓ ମାନଦଣ୍ଡ ଚାଷୀଙ୍କ ପାଇଁ ନୂଆ ଆଶଙ୍କା ସୃଷ୍ଟି କରିଛି। ସ୍ୱାଭାବିକ ସମୟର କଡ଼ା ନିୟମ ଯଦି ବାତ୍ୟା ଓ ବର୍ଷା ପ୍ରଭାବିତ ଧାନ କ୍ଷେତ୍ରରେ ମଧ୍ୟ ଅପରିବର୍ତ୍ତିତ ରହେ, ତେବେ ଭିଜିଥିବା ବା ଗଜା ମାରିବାର ଆଶଙ୍କା ଥିବା ଧାନକୁ କିଏ କିଣିବ? ଏହା ଚାଷୀଙ୍କ ପାଇଁ ‘କଟା ଘା’ରେ ଚୂନ’ ସଦୃଶ ହେବ।
ଆଜି ଆବଶ୍ୟକତା କେବଳ ଆଶ୍ୱାସନାର ନୁହେଁ, ବରଂ ତ୍ୱରିତ ଓ ସଂବେଦନଶୀଳ ପଦକ୍ଷେପର। ପ୍ରଶାସନ ତୁରନ୍ତ ପ୍ରଭାବିତ ଅଞ୍ଚଳରେ ସଠିକ୍ ଓ ନିରପେକ୍ଷ କ୍ଷୟକ୍ଷତି ଆକଳନ କରି, ବିଳମ୍ବ ନ କରି ମଣ୍ଡି ଖୋଲିବା ବ୍ୟବସ୍ଥା କରିବା ଉଚିତ। ବାତ୍ୟା ପ୍ରଭାବିତ ଚାଷୀଙ୍କ ସ୍ୱାର୍ଥରେ ଧାନ କ୍ରୟ ନିୟମରେ ଆବଶ୍ୟକ କୋହଳତା ଆଣିବା ଏବଂ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଓ ସହାୟତା ପ୍ରଦାନ କରିବା ସରକାରଙ୍କ ପ୍ରାଥମିକତା ହେବା ଦରକାର। ଯେଉଁ ହାତ ସମଗ୍ର ସମାଜକୁ ଖାଦ୍ୟ ଯୋଗାଏ, ସେହି ହାତକୁ ସୁରକ୍ଷା ଓ ସମ୍ମାନ ଦେବା ହିଁ ପ୍ରକୃତ ଶାସନର ପରିଚୟ। କେବଳ ଚାଷୀ ନୁହ,ଚାଷୀ ଙ୍କ ଦୁଃଖ ଦେଖି ସାଧାରଣ ଜନତା ଙ୍କ ମଧ୍ୟ ଚିନ୍ତା ବଢ଼ିଛି ।କାରଣ ଚାଷୀ କୁଳ ପ୍ରଭାବିତ ହେଲେ ସମଗ୍ର ଖାଉଟି ମାନଙ୍କ ଉପରେ ପ୍ରଭାବ ପଡ଼ିଥାଏ ।କେବଳ ଧାନ ଚାଷୀ ନୁହନ୍ତି ପରିବା ଚାଷୀ ମଧ୍ୟ ଅନେକ କ୍ଷତିଗ୍ରସ୍ତ ହୋଇଛନ୍ତି ।ତେବେ ଭବିଷ୍ୟତ ଦରବୃଦ୍ଧି ର ଆଶଙ୍କା କୁ ଏହି ପରିସ୍ଥିତି ରେ ଏଡ଼ାଇ ଦିଆଯାଇ ପାରିବ ନାହିଁ । ଆଗକୁ ଆଉ ଏକ ଲଘୁଚାପ ର ସୂଚନା ନିଦ ହଜେଇ ଦେଇଛି ସମସ୍ତଙ୍କର । ଏଭଳି ଏକ ସଙ୍କଟମୟ ଓ ସମ୍ବେଦନଶୀଳ ପରିସ୍ଥିତି କୁ ବିଚାର କରି ସରକାର ଶୀଘ୍ର ମଣ୍ଡି ଖୋଲି ଧାନ କ୍ରୟ ପ୍ରକ୍ରିୟା କୁ ତ୍ୱରାନ୍ୱିତ କରିବା ପାଇଁ ଚାଷୀ ମହଲ ରେ ଦାବୀ ହେଉଛି ।

Leave A Reply

Your email address will not be published.