ବାତ୍ୟା ଅକଭାନ ପ୍ରଭାବରେ ପ୍ରବଳ ବର୍ଷା, ପୋଲସରା ଅଞ୍ଚଳରେ ହଜାର ହଜାର ଏକର ଜମି ଜଳମଗ୍ନ ।

0 0

ପୋଲସରା,୨୦/୧୧ (ପିପିଟି): ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ବାତ୍ୟା ଅକଭାନ ପ୍ରଭାବ ରେ ଗତକାଲି ଠାରୁ ବର୍ଷା ଲାଗି ରହିବା ଦ୍ବାରା ପୋଲସରା ଅଞ୍ଚଳ ର ସମସ୍ତ ନଦୀ ଓ ନାଳ ରେ ବନ୍ୟା ଆସିବା ଫଳରେ ପୋଲସରା ର ଅର୍ଦ୍ଧାଧିକ ଅଞ୍ଚଳ ଜଳମଗ୍ନ ଅବସ୍ଥାରେ ରହିବା ଯୋଗୁ ହଜାର ହଜାର ଏକର ଜମି ର ଧାନ ଫସଲ ସମ୍ପୂର୍ଣ୍ଣ ଭାବେ ଧୋଇ ହୋଇଯାଇଛି । ଖବର ନେବାରେ ଜଣା ପଡିଛି ଯେ ଚିରିକିପଡା ଶାସନ ନିକଟରେ ପ୍ରବାହିତ ବାଘୁଆ ମୂଖ୍ୟ କେନାଲ ରେ କ୍ଷମତା ଠାରୁ ଅଧିକ ପାଣି ଆସିବା ଦ୍ବାରା କେନାଲରେ ଘାଇ ହୋଇ ଯାଇଥିଲା । କେନାଲ ଭାଙ୍ଗି ଯିବାରୁ କେନାଲ ନିକଟରେ ଥିବା ତଳ ନଦୀ ରେ କେନାଲ ପାଣି ପଶି ଯାଇଥିଲା । ଫଳର ତଳନଦୀ ରେ ତିନୋଟି ଜାଗାରେ ଘାଇ ହୋଇ ଯାଇଥିଲା । ଫଳରେ ଚିରିକିପଡା ଶାସନ ଗ୍ରାମ ର ଶହ ଶହ ଏକର ଚାଷଜମି ରେ ପାଣି ପଶିଯାଇ ପାଚିଲା ଧାନ ଫସଲ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯାଇଛି । ସେହିପରି ଶକ୍ତି ପୀଠ ସିଂହାସନି ମନ୍ଦିର ନିକଟରେ ଥିବା ବ୍ରିଟିଶ ଅମଳର ନିରାଶ ପଲ୍ଲି ମାଟି ବନ୍ଧ ଲଙ୍ଘି ପାଣି ମାଡି ଆସିବାରୁ କଷିପଡା , ପାଣ୍ଡିରିରିପଡା , ପାତାଳ ସିଂ ଓ ଗୋଛାବାଡି ଅଞ୍ଚଳ ର ଅନେକ ଚାଷଜମି ରେ ପାଣି ମାଡି ଯିବା ସହିତ ସିଂହାସନି ପୀଠ କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା । ସେହି ପରି ଧନେଇ ନଦୀ , ବେଲେଇ ଦାଣ୍ଡି , ଯୋଗିଆ ନାଳ , ମଣିଷ ମୁଣ୍ଡିଆ ନାଳ ଓ ଜାମି ନାଳରେ ବନ୍ୟା ପାଣି ଆସିବା ଦ୍ବାରା ପୋଲସରା , ବାଲିଘାଇ , ସିଦ୍ଧି ପୁର , ଉସ୍ତାପଡା , ବନ୍ଥ ପଲ୍ଲି , କୋଙ୍କରଡା , ଖଣ୍ଡୁରୁ , ଚଢିଆପଡା , ରୁଖାକଣା , କଳମ୍ବ , ଜେନାପୁର ଓ ଘୋଡାପଲାଣ ଅଞ୍ଚଳ ର ହଜାର ହଜାର ଏକର ଚାଷଜମି ରେ ପାଣି ପଶିଯାଇ ଧାନ ଫସଲ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଆଉ ମାତ୍ର ଏକ ସପ୍ତାହ ମଧ୍ୟରେ ଧାନ କଟା ଯାଇଥାନ୍ତା। ମାତ୍ର ଲଘୁଚାପ ଜନିତ ଅଦିନିଆ ବର୍ଷା ରେ ପୋଲସରା ଅଞ୍ଚଳ ର ହଜାର ହଜାର ଏକର ଚାଷଜମି ର ପାଚିଲା ଧାନ ସମ୍ପୂର୍ଣ୍ଣ ଭାବେ ଧୋଇ ହୋଇଗଲା । ଫଳରେ ଚାଷୀ ମାନେ ସର୍ବସ୍ବାନ୍ତ ହୋଇଗଲେ ।ଗତମାସ ଶେଷ ସପ୍ତାହରେ ଆସିଥିବା ବାତ୍ୟା ଅର୍ଣ୍ଣବ ପ୍ରଭାବ ରେ ତିନି ପର୍ଯ୍ୟନ୍ତ ଲଗାଣ ବର୍ଷା ଯୋଗୁଁ ବ୍ୟାପକ ଫସଲ ହାନି ହୋଇଥିଲା । ବଞ୍ଚି ଯାଇଥିବା ଅବଶିଷ୍ଟ ଫସଲ କୁ ଯେନତେନ ପ୍ରକାରେ ଅମଳ କରି ଘରକୁ ଆଣିବ ବୋଲି ଚାଷୀ ଚିନ୍ତା କରିବା ସମୟରେ ବାତ୍ୟା ଅକଭାନ ତାର ଆଶା କୁ ଧୂଳିସାତ୍ କରି ଦେଲା । ଏଣୁ ରାଜ୍ୟ ସରକାର ଏଥି ପ୍ରତି ଦୃଷ୍ଟି ଦେଇ ଯୁଦ୍ଧକାଳୀନ ଭିତ୍ତିରେ ସର୍ଭେ କରି କ୍ଷତିଗ୍ରସ୍ତ ସମସ୍ତ ଚାଷୀ ଙ୍କୁ କ୍ଷତିପୂରଣ ଦେବାକୁ , ଏକ ବର୍ଷ ପର୍ଯ୍ୟନ୍ତ ମାଗଣା ଡାଲି ଚାଉଳ ଯୋଗାଇ ଦେବାକୁ , ଚାଷୀ ଉପରୁ ସମସ୍ତ ପ୍ରକାର ଋଣ ଛାଡ଼ କରିବାକୁ , ରବି ଫସଲ ପାଇଁ ବିହନ , ସାର ଓ କୀଟନାଶକ ମାଗଣା ରେ ଯୋଗାଇଦେବାକୁ ଏବଂ ଏମ ଜି ଏନ ଆର ଜି ଯୋଜନାରେ ବର୍ଷ ସାରା କାମ ଯୋଗାଇ ଦେବାକୁ ଅଖିଳ ଭାରତ କୃଷକ ସଭା ର ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀହର୍ଷ ରଥ , ସମ୍ପାଦକ ରାଜୀବ ଲୋଚନ ପଣ୍ଡା , କୃଷକ ନେତା ନିଳକଣ୍ଠ ଦାସ , ଦଣ୍ଡପାଣି ସାମଲ , ଗୌରହରି ବିଷୋୟୀ ଓ ହରିହର ପାତ୍ର ପ୍ରମୁଖ ଦାବି କରିଛନ୍ତି ।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.