ଛତ୍ରପୁର,୧୯/୧୧(ପିପିଟି): ସମ୍ଭାବ୍ୟ ବାତ୍ୟା ‘ଅକଭାନ୍’କୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ଚାଲିଥିବା ପ୍ରସ୍ତୁତି ଓ ମୁକାବିଲା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା। ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟ ପରିଚାଳନା କେନ୍ଦ୍ର (ଡିଇଓସି)ରେ ଆୟୋଜିତ ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ ଜୀବନହାନି ଲକ୍ଷ୍ୟ ହାସଲ ପାଇଁ ସମସ୍ତ ଅଞ୍ଚଳରେ ସତର୍କତା, ସମନ୍ୱୟ ଓ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଏହି ବୈଠକରେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଓ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ ଉପସ୍ଥିତ ଥିଲେ ।
ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ବର୍ତ୍ତମାନର ସ୍ଥିତି ଓ ପ୍ରସ୍ତୁତି ସମ୍ପର୍କରେ ବୈଠକରେ ଅବଗତ କରାଇଥିଲେ ।
ପରିସ୍ଥିତିକୁ ହାଲୁକା ଭାବେ ନ ନେଇ ସମସ୍ତ ଅଧିକାରୀ ନିଜ ନିଜ ଅଞ୍ଚଳରେ ଲୋକଙ୍କ ସହ ରହି ପ୍ରସ୍ତୁତି ଓ ସ୍ଥାନାନ୍ତରଣ କାର୍ଯ୍ୟର ତଦାରଖ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଗୋପାଳପୁର,ଛତ୍ରପୁର ଓ ଚିକିଟି ସମେତ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳରେ ସ୍ଥାନାନ୍ତରଣ ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ସମୁଦ୍ରତଟବର୍ତ୍ତୀ ଓ ଅନ୍ୟ ବିପଦପ୍ରବଣ ଅଞ୍ଚଳରେ କୌଣସି ବ୍ୟକ୍ତି ଯେପରି ଅସୁରକ୍ଷିତ ନ ରହନ୍ତି,ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ କହିବା ସହ ସ୍ଥାନାନ୍ତରଣ କାର୍ଯ୍ୟରେ ପ୍ରଶାସନକୁ ସହଯୋଗ କରିବା ପାଇଁ ମନ୍ତ୍ରୀ ଲୋକମାନଙ୍କୁ ଅନୁରୋଧ କରିଥିଲେ ।
ଆଶ୍ରୟସ୍ଥଳୀଗୁଡ଼ିକରେ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ,ପାନୀୟ ଜଳ ଓ ଅନ୍ୟ ଆବଶ୍ୟକ ସାମଗ୍ରୀର ପର୍ଯ୍ୟାପ୍ତ ମହଜୁଦ ରଖିବା ସହ ସ୍ଥାନାନ୍ତରିତ ଲୋକଙ୍କୁ ସମ୍ମାନର ସହ ରଖିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଚିକିଟି ବ୍ଲକ୍ର ସମସ୍ତ ଆଶ୍ରୟସ୍ଥଳୀରେ ଲୋକଙ୍କୁ ରଖିବା ବ୍ୟବସ୍ଥା ସମ୍ପର୍କରେ ମନ୍ତ୍ରୀ ତଥ୍ୟ ନେଇଥିଲେ । ରାମୟାପାଟଣା ସମେତ ଅନ୍ୟ ସମୁଦ୍ରତଟବର୍ତ୍ତୀ ଓ ବିପଦପ୍ରବଣ ଅଞ୍ଚଳର ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।
ରଙ୍ଗେଇଲୁଣ୍ଡା ବ୍ଲକ୍ର ନୂଆ ଗୋଲାବନ୍ଧ ଅଞ୍ଚଳର ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଏବଂ ଉଦ୍ଧାର କାର୍ଯ୍ୟରେ ପ୍ରଶାସନକୁ ସହଯୋଗ କରିବାକୁ ସେ ଅନୁରୋଧ କରିଥିଲେ । ଛତ୍ରପୁର ବ୍ଲକ୍ରେ ୮,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ସ୍ଥାନାନ୍ତରଣ, କାଳିପଲ୍ଲୀ ପଞ୍ଚାୟତର ସ୍ଥିତି ଏବଂ ବରଙ୍ଗ, ବଡ଼ମାଧପୁର ଓ ପୋଟଲାମପୁର ଅଞ୍ଚଳର ପ୍ରସ୍ତୁତି ସମ୍ପର୍କରେ ସେ ସମୀକ୍ଷା କରିଥିଲେ । ଆବଶ୍ୟକ ସ୍ଥଳେ ଅଧିକ ଚୁଡ଼ା ଯୋଗାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।
ଗଞ୍ଜାମ ବ୍ଲକ୍ର ୧୭ଟି ଗ୍ରାମରୁ ଲୋକଙ୍କ ସ୍ଥାନାନ୍ତରଣ, ସମୁଦ୍ରତଟବର୍ତ୍ତୀ ଅଞ୍ଚଳର ସୁରକ୍ଷା ଓ ଆଶ୍ରୟସ୍ଥଳୀରେ ଖାଦ୍ୟ ବ୍ୟବସ୍ଥା ସମ୍ପର୍କରେ ମନ୍ତ୍ରୀ ତଥ୍ୟ ନେଇଥିଲେ । ଖଲ୍ଲିକୋଟ ବ୍ଲକ୍ର ସମସ୍ତ ଆଶ୍ରୟସ୍ଥଳୀରେ ପ୍ରସ୍ତୁତି ଓ ରନ୍ଧା ଖାଦ୍ୟ ବ୍ୟବସ୍ଥା ସମ୍ପର୍କରେ ଅବଗତ ହୋଇଥିଲେ । ସମଲ ଓ ବଳରାମପୁର ଅଞ୍ଚଳର ସ୍ଥିତି ସମୀକ୍ଷା କରିବା ସହ ବଳରାମପୁର ଅଞ୍ଚଳର ଖରଖରି ନାଳ ମରାମତି ଏବଂ ଜଳ ନିଷ୍କାସନ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ କହିଥିଲେ ।
ବ୍ରହ୍ମପୁର ସହରର ଜଳ ନିଷ୍କାସନ ବ୍ୟବସ୍ଥା,ଗଜପତିନଗର ଓ ନୀଳାଞ୍ଚଳନଗରରେ ନାଳ ମରାମତି କାର୍ଯ୍ୟର ଅଗ୍ରଗତି, ଧନେଇ ଓ ହରଭଙ୍ଗୀ ଜଳସେଚନ ପ୍ରକଳ୍ପର ସ୍ଥିତି ଏବଂ ଗୋକନପୁର,ପୁରୁଷୋତ୍ତମପୁର ଓ ବଳରାମପଲ୍ଲୀ ଅଞ୍ଚଳର ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିଥିଲେ। ସୋରଡ଼ା, ଭଞ୍ଜନଗର ଓ ବାଘୁଆ ଧନେଇ ଅଞ୍ଚଳର ଜଳସ୍ତର ସମ୍ପର୍କରେ ତଥ୍ୟ ନେବା ସହ ସମସ୍ତ ନଦୀ, ନାଳ ଓ ଜଳାଶୟର ଜଳସ୍ତର ଉପରେ ନିରନ୍ତର ନଜର ରଖିବାକୁ କହିଥିଲେ ।
ରାସ୍ତାର ବିପଦପ୍ରବଣ ସ୍ଥାନଗୁଡ଼ିକରେ ବ୍ୟାରିକେଡ୍ ଲଗାଇବା, ନାଳ ଓ ଜଳ ନିଷ୍କାସନ ପଥ ସଫା ରଖିବା ଏବଂ ଆବଶ୍ୟକ ଉଦ୍ଧାର ସମ୍ବଳ ପ୍ରସ୍ତୁତ ରଖିବା ଉପରେ ମଧ୍ୟ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।
ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୮୪ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।
ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ପରିଶ୍ରମକୁ ପ୍ରଶଂସା କରି ଆହୁରି ନିଷ୍ଠା ଓ ତତ୍ପରତାର ସହ କାର୍ଯ୍ୟ କରିବାକୁ ମନ୍ତ୍ରୀ ଆହ୍ୱାନ ଦେଇଥିଲେ ।
ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ,ବିଡିଓ, ତହସିଲଦାର ଓ ଅଧୀକ୍ଷଣ ଯନ୍ତ୍ରୀମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ ।