ଭଞ୍ଜନଗର, ୧୯/୧୧(ପିପିଟି):ଭଞ୍ଜନଗର ସହର ବାଉଁଶ ଲୁଣ୍ଡି ମୁଖ୍ୟ ରାସ୍ତାରେ ଗୁରୁବାର ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଅଜଣା ଗାଡି ଧକ୍କାରେ ସ୍ଥାନୀୟ ଅଞ୍ଚଳର ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ଦେହାନ୍ତ ଘଟିଛି। ଜଣାଶୁଣା ପୂର୍ବତନ କଂଗ୍ରେସ ନେତା ତଥା ବିଧାୟକ ପ୍ରାର୍ଥୀ ଦେବୀ ବିଷୋୟୀଙ୍କ ମଝିଆ ଭାଇ ବିକ୍ରମ ବିଷୋୟୀ (୫୫)ଙ୍କର ଏକ ଅଜଣା ପିକ୍ଅପ୍ ଭ୍ୟାନ୍ ଧକ୍କାରେ ମୃତ୍ୟୁ ଘଟିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।
ସୂଚନା ଅନୁଯାୟୀ, ବିକ୍ରମ ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ନିକଟରେ ଥିବା ନିଜ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରି ଖାଇବା ପାଇଁ ବାଉଁଶଲୁଣ୍ଡିସ୍ଥିତ ନିଜ ଘରକୁ ଯାଉଥିଲେ । ହେଲେ ଘର ଠାରୁ ମାତ୍ର ୨୦୦ ମିଟର ଦୂର ବିଶାଲ ମେଗା ମାର୍ଟ ନିକଟରେ ଏକ ଅଜଣା ପିକ୍ଅପ୍ ଭ୍ୟାନ୍ ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇଛି । ଦୁର୍ଘଟଣା ଘଟାଇଥିବା ଗାଡ଼ି ଓ ଚାଳକ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ବିକ୍ରମ ଦୀର୍ଘବର୍ଷ ଧରି କଲେଜ ଛାତ୍ର ସଂସଦ ନିର୍ବାଚନ ସହ ଜଡ଼ିତ ଥିଲେ।
କଂଗ୍ରେସ ଦଳର ପ୍ରାର୍ଥୀ ଚୟନ ଓ ନିର୍ବାଚନ ପରିଚାଳନାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଛାତ୍ରୀଛାତ୍ରଙ୍କ ମଧ୍ୟରେ ସେ ଜଣେ ପ୍ରିୟ ନେତା ଭାବେ ପରିଚିତ ଥିଲେ।ବହୁ ଗରୀବ ଅସହାୟ ଛାତ୍ରଛାତ୍ରୀ ଙ୍କୁ ସେ ଶିକ୍ଷାକ୍ଷେତ୍ରରେ ସାହାଯ୍ୟ କରି ଆସିଛନ୍ତି। ତାଙ୍କ ଅକାଳ ବିୟୋଗ କଂଗ୍ରେସ ଦଳ ପାଇଁ ଏକ ବଡ଼ କ୍ଷତି ବୋଲି ଦଳୀୟ ମହଲରେ କୁହାଯାଉଛି। ତାଙ୍କ ମୃତ୍ୟୁରେ ଭଞ୍ଜନଗର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତି,ପରିବାର,ସାଙ୍ଗସାଥି, କଂଗ୍ରେସ ନେତା ଓ କର୍ମୀ ଗଭୀର ଶୋକବ୍ୟକ୍ତ କରିଛନ୍ତି ।
ରିପୋର୍ଟ -ଜେ କେ ପଟ୍ଟନାୟକ